ମାର୍ଶାଘାଇ : ଶିକ୍ଷକ ଅଭାବକୁ କେନ୍ଦ୍ର କରି ମାର୍ଶାଘାଇ ବ୍ଲକ୍‌ କରିଲୋପାଟଣା ଜୟରାମ ହାଇସ୍କୁଲରେ ତୁମୁଳକାଣ୍ଡ ଘଟିଛି। ଶତାଧିକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ପ୍ରଧାନଶିକ୍ଷକଙ୍କ ସମେତ ୨୦ ଜଣଙ୍କୁ ଘରେ ତାଲା ପକାଇ ଦେଇଛନ୍ତି। ୫-ଟି ରୂପାନ୍ତରଣରେ ବକଶିତ ହୋଇଥିବା ଏହି ସ୍କୁଲର ଏଭଳି ସ୍ଥିତି ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

ସୂଚନା ଅନୁଯାୟୀ ଶନିବାର ଦିନ ସ୍କୁଲର ସ୍ମାର୍ଟ କ୍ଲାସ୍‌ରୁମ୍‌ରେ କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଚାଲିଥିବା ବେଳେ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଯୋଗ ଦେଇଥିଲେ। ସେହି ସମୟରେ ଅଭିଭାବକମାନେ ସେଠାରେ ପହଞ୍ଚି ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କୁ ଅଫିସ୍‌ ଭିତରକୁ ଡାକି ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସମେତ ୩ ଜଣ ସହକାରୀ ଶିକ୍ଷକଙ୍କ ସହ କ୍ଲଷ୍ଟରରୁ ଆସିଥିବା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୬ଜଣ ପ୍ରଧାନଶିକ୍ଷକଙ୍କୁ ଅଫିସ୍‌ ଘରେ ବସାଇ ତାଲା ପକାଇ ଦେଇଥିଲେ। ପରେ ସେମାନଙ୍କ ମଧ୍ୟରେ ଥିବା ୩ ଜଣ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଛାଡ଼ି ଦିଆଯାଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ମନ୍ତ୍ରୀ ଘଟଣା ସମ୍ପର୍କ‌ରେ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ମଣ୍ତଳ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସ୍ବାଇଁଙ୍କୁ ଅବଗତ କରିଥିଲେ।

ଖବରପାଇ କୁଦାନଗରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କୁ ମୁକୁଳାଇ ଥିଲା। ଆସନ୍ତା ୭ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ଫାଟକରେ ତାଲା ପକାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ନ ହେଲେ ସେମାନେ ପିଲାମାନଙ୍କୁ ଅନ୍ୟତ୍ର ନେଇଯିବାକୁ ସତର୍କ କରାଇ ଦେଇଛନ୍ତି। ଏ ସଂପର୍କରେ ବିଇଓ ଶ୍ରୀ ସ୍ବାଇଁ କହିଛନ୍ତି, କରିଲୋପାଟଣା ଜୟରାମ ହାଇସ୍କୁଲରେ ପୂର୍ବରୁ ୬ଷ୍ଠରୁ ୧୦ମ ଶ୍ରେଣୀ ରହିଥିଲା। ସେଥିରେ ୧ମରୁ ୫ମ ଶ୍ରେଣୀ ମିଶିଛି। ୧ମରୁ ୫ମ ଶ୍ରେଣୀ ପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ସେଠାରେ ଆଉ ଯାହା ଆବଶ୍ୟକତା ପୂରଣ କରାଯିବ। ତେବେ ଡିଇଓଙ୍କ ନିୟନ୍ତ୍ରଣରେ ୬ଷ୍ଠରୁ ୧୦ମ ଶ୍ରେଣୀ ରହିଥିବାରୁ ଖାଲି ପଡିଥିବା ସ୍ଥାନରେ ଡିଇଓ ଅଫିସ ନିଯୁକ୍ତି ଦେବ ବୋଲି ସୂଚନା‌ ଦେଇଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ ଅନ୍ନଦା ପ୍ରସାଦ ତ୍ରିପାଠୀ ତାଲା ପକାଯିବା ଘଟଣାର ନିନ୍ଦା କରିଛନ୍ତି।

ଉଲ୍ଲେଖ ଥାଉ କି, ଏହି ବିଦ୍ୟାଳୟଟି ରାଜ୍ୟ ସରକାରଙ୍କର ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଛି। ୧୯୪୬ରେ ସ୍ଥାପିତ ଏହି ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ହୋଇଛି। ହେଲେ ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ ହୋଇଛି। ଏଠାରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୫୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ୧ମରୁ ୮ମରେ ୩୩୦ଜଣ ଛାତ୍ରଛାତ୍ରୀ ଥିବା ପ୍ରାଇମେରି ସେକ୍ସନରେ ୮ଟି ପଦବି ଖାଲି ପଡ଼ିଥିବା ବେଳେ ସେକେଣ୍ତାରି ସେକ୍ସନରେ ୨୦୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଶିକ୍ଷକ ସଂଖ୍ୟାରୁ ଜଣେ ତାଲିମପ୍ରାପ୍ତ କଳା ଶିକ୍ଷକ ପଦବି ଖାଲି ପଡିଛି।