ଜଗା-ବଳିଆଙ୍କ ବାପାଙ୍କ ଇଚ୍ଛା: ଦୁଇ ପୁଅ ଦିଲ୍ଲୀରେ ରହନ୍ତୁ ଆଉ ଦୁଇ ମାସ

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଜଗା-ବଳିଆଙ୍କୁ ଏମ୍‌ସରେ ରଖିବାକୁ ଅନୁରୋଧ କରୁଛୁ

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ  ଅସ୍ତ୍ରୋପଚାର କରି ଅଲଗା କରାଯିବା ପରେ ସେମାନଙ୍କ ଚିକିତ୍ସା ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମସ୍‌)ରେ ଚାଲିଥିବା ବେଳେ ପରବର୍ତ୍ତୀ ଚିକିତ୍ସା ଲାଗି ଭୁବନେଶ୍ୱରକୁ   ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। କିନ୍ତୁ ଦୁଇ ଶିଶୁଙ୍କ ପିତା ଭୂୟା କହଁର ଚାହାନ୍ତି ବର୍ତ୍ତମାନ କ୍ଷେତ୍ରରେ ଜଗା ଓ ବଳିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରା ନ ଯାଉ। ଜଗା ଓ ବଳିଆଙ୍କୁ ଅତି କମ୍‌ରେ ଆଉ ଦୁଇମାସ ଦିଲ୍ଲୀ ଏମ୍ସରେ ରଖାଯାଇ ଚିକିତ୍ସା କରାଯାଉ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶନିବାର ନିଜର ପ୍ରତିକ୍ରିୟାରେ କହିଛନ୍ତି, ଜଗା-ବଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଦିଲ୍ଲୀ ଏମ୍ସରେ ରଖିବାକୁ ଅନୁରୋଧ କରୁଛୁ।

ଏମ୍ସରେ ଚିକିତ୍ସିତ ଜଗା ଓ ବଳିଆଙ୍କ ମଧ୍ୟରୁ ଏବେ ବି ପାଇପ ଯୋଗେ ଖାଦ୍ୟ ଗ୍ରହଣ କରୁଥିବାରୁ ଆଉ କିଛି ଦିନ ଏମ୍ସରେ ରଖାଯାଉ ବୋଲି ତାଙ୍କ ବାପା କହିଛନ୍ତି। ଜଗା ଅଧିକ ସୁସ୍ଥ ଅଛି। ସେ ଚଲାବୁଲା କରିବା କରିବା ସହିତ ଖେଳୁଛି। ମାତ୍ର ବଳିଆ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିବାରୁ ଆହୁରି ୨ମାସ ରହିଲେ ଭଲ ହେବ ବୋଲି ଭୂୟା କହଁର କହିଛନ୍ତି। ଜଗା ଓ ବଳିଆଙ୍କୁ ଯଦି ଓଡ଼ିଶା ଅଣାଯିବ ତା’ହେଲେ ଭୁବନେଶ୍ୱର ଏମ୍ସରେ ରଖିବାକୁ ସେ ଚାହାନ୍ତି।

କିଛି ଦିନ ତଳେ କୁହାଯାଉଥିଲା ଯେ ଜଗା-ବଳିଆଙ୍କ ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯିବ। ଏହି ଖବର ପ୍ରଚାର ହେବା ପରେ ସେମାନଙ୍କ ସ୍ଥାନାନ୍ତର କରାଯିବାକୁ ବିରୋଧ କରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଏନ୍‌ଏଚ୍‌ଆରସି ମଧ୍ୟ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକୁ ଗ୍ରହଣ କରି  ଦିଲ୍ଲୀ ଏମସ୍‌କୁ ତଥ୍ୟ ପ୍ରଦାନ ଲାଗି ନୋଟିସ୍‌ ଜାରି କରିଥିଲେ। ଏତଦ୍‌ବ୍ୟତୀତ ଏନ୍‌ଏଚ୍‌ଆରସି ଜାଣିବାକୁ ଚହିଁଥିଲେ ଯେ, ଜଗା ଓ ବଳିଆଙ୍କ ସ୍ଥିତି କିପରି ଅଛି?

ସମ୍ବନ୍ଧିତ ଖବର