ଇଂରାଜୀ ମାଧ୍ୟମ ସ୍କୁଲ ପରୀକ୍ଷା ଫି’ ବୃଦ୍ଧିକୁ ତୀବ୍ର ବିରୋଧ

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଅଧୀନ ଇଂରାଜୀ ମାଧ୍ୟମ ସ୍କୁଲର ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି(ଏସ୍‌ସି ଓ ଏସ୍‌ଟି) ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ଏକାଥରେ ୨୪ଗୁଣା ବୃଦ୍ଧି ପାଇଥିବାବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପରିମାଣ ଦୁଇଗୁଣା ବଢ଼ିଛି। ଏହି ବର୍ଦ୍ଧିତ ଫି’ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଚଳିତବର୍ଷଠାରୁ ଲାଗୁ‌ ହେବ।

ହଠାତ୍‌ ଏଭଳି ଅହେତୁକ ପରୀକ୍ଷା ଫି’ ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ତୀବ୍ର ବିରୋଧ କରିଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆର୍‌.ପି ନିଶାକ୍‌ଙ୍କୁ ଚିଠି ଲେଖି ସିବିଏସ୍‌ଇ ପରୀକ୍ଷା ଫି’ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି। ଶ୍ରୀ ଭଟ୍ଟ କହିଛନ୍ତି ଯେ ଏଭଳି ନିଷ୍ପତ୍ତିକୁ କୌଣସିପ୍ରକାରେ ଗ୍ରହଣ କରାଯିବ ନାହିଁ। କଡ଼ା ବିରୋଧ କରାଯିବ। ମଙ୍ଗଳବାର ସିବିଏସ୍‌ଇ ଆଞ୍ଚଳିକ ନିର୍ଦେଶକଙ୍କୁ ସାକ୍ଷାତ କରି ଦାବିପତ୍ର ଦେବୁ। ଛାତ୍ରଛାତ୍ରୀଙ୍କ ଉପରେ ଯେଉଁଭଳି ଫି’ ବୋଝ ଲଦାଯାଉଛି, ଏହାଦ୍ବାରା ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଛି। ଗୋଟିଏ ପଟେ ସ୍କୁଲ ଫି’ ବୃଦ୍ଧି ଉପରେ ଲଗାମ ଲଗା ଯାଉ ନ ଥିବା ବେଳେ ଏବେ ପରୀକ୍ଷା ଫି’ ବୃଦ୍ଧି ପିଲାଙ୍କୁ ବାଧିବ। ଯଦି ୭ଦିନ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଯାଏ, ଆନ୍ଦୋଳନ କରାଯିବ।

ସିବିଏସ୍‌ଇ କର୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନିଷ୍ପତ୍ତି ଉପରେ ତର୍ଜମା କରୁଛୁ। କ’ଣ ପଦକ୍ଷେପ ନିଆଯାଇପାରିବ, ସେନେଇ ଆଲୋଚନା କରାଯାଉଛି। ହଠାତ୍‌ ଏଭଳି ଫି’ ବୃଦ୍ଧି ଦ୍ବାରା ଅଭିଭାବକଙ୍କ ଉପରେ ଚାପ ପଡ଼ିବ। ପୂର୍ବରୁ ଏଭଳି ବୃଦ୍ଧି କେବେ ହୋଇ ନ ଥିଲା। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ କର୍ତୃପକ୍ଷମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହାଦ୍ବାରା ପିଲାଙ୍କ ପାଠପଢ଼ା ଉପରେ କିଛିଟା ପ୍ରଭାବ ପଡ଼ିବ। ଏସ୍‌ସି/ଏସ୍‌ଟି ପିଲାମାନେ ଅସୁବିଧାର ସମ୍ମୁଖୀନ ହେବେ। ଅଧାରୁ ପାଠ ଛାଡ଼ିବା ପରି ସ୍ଥିତି ଉପୁଜିପାରେ ବୋଲି ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର