କେନ୍ଦ୍ରାପଡ଼ା: ପ୍ରେମିକ ବିରୋଧରେ ବାପା-ମା’ ସାକ୍ଷ୍ୟ ଦେବାରୁ ଝିଅ ବିଷ ପିଇଦେବା ଭଳି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପୋକ୍‌ସୋ କୋର୍ଟ ଆଗରେ ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ନାବାଳିକା ପ୍ରେମିକାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉଭୟ ପ୍ରେମିକ-ପ୍ରେମିକାଙ୍କ ଘର ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ। ପ୍ରେମିକାଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟର। ନିପାଣିଆ ଅଞ୍ଚଳର କେଶବ ଦାସଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରିବାରର ସଦସ୍ୟ ଏଭଳି ପ୍ରେମ ସମ୍ପର୍କକୁ ଦୃଢ଼ ବିରୋଧ କରିଥିଲେ।  ପ୍ରେମ ସମ୍ପର୍କ ବଢ଼ିବା ପରେ ୨୦୨୪ଜୁନ୍‌ ୬ରେ ଦୁଇଜଣ ଘରୁ ପଳାଇ ଯାଇଥିଲେ। ଝିଅକୁ ଅଭିଯୁକ୍ତ କେଶବ ଅପହରଣ କରି ନେଇଥିବା ନେଇ ଜୁନ୍‌ ୭ରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ।

Advertisment

ଏ ନେଇ ଏକ ମାମଲା (କେସ୍‌ ନଂ-୭୧/୨୪) ରୁଜୁ କରି ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ପ୍ରେମିକାକୁ ପରିବାର ଲୋକଙ୍କ ଜିମା ଦେଇଥିଲା। କିନ୍ତୁ ବାପା-ମା’ଙ୍କ ସହ ଝିଅ ଯିବାକୁ ମନା କରିଥିଲା। ବାପା-ମା’ ବୁଝାସୁଝା କରିବା ସହିତ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କର ବିବାହ କରାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଝିଅ ଘରକୁ ଫେରିଥିଲା। ଆଜି ଏହି ମାମଲାରେ ପୋକ୍‌‌ସୋ କୋର୍ଟରେ ଶୁଣାଣି ଥିଲା। ଝିଅକୁ ଧରି ବାପା-ମା’ କୋର୍ଟ ଆସିଥିଲେ। ପୂର୍ବାହ୍‌ଣରେ ଶୁଣାଣି ସମୟରେ ଝିଅର ବାପା-ମା’ ପ୍ରେମିକ ବିରୋଧରେ ସାକ୍ଷ୍ୟ ଦେଇଥିଲେ। ବାପା-ମା’ଙ୍କ ଏଭଳି ଆଚରଣରେ ଝିଅ ଆଶ୍ଚର୍ଯ୍ୟ ହୋଇଯିବା ସହିତ ପ୍ରେମିକଙ୍କ ସହ ସେମାନେ ତା’ର ବିବାହ କରାଇବେ ନାହିଁ ବୋଲି ଭାବିଥିଲେ। ଏହାପରେ ସେ ଚୁପ୍‌ଚାପ୍‌ କୋର୍ଟ ବାହାରକୁ ଆସି ବିଷ ପିଇ ଦେଇଥିଲେ। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ତାଙ୍କ ଅବସ୍ଥା ସ˚କଟାପନ୍ନ ରହିଥିବା ସୂଚନା ମିଳିଛି। 

ଆଇନଜୀବୀ ସଞ୍ଜୟ କୁମାର ଜେନା କହିବାନୁଯାୟୀ, ସମ୍ପୃକ୍ତ ଯୁବକ ସହ ବିବାହ କରାଇବା କଥା କହି ବାପା-ମା’ ଝିଅକୁ କୋର୍ଟ ଆଣିଥିଲେ। ଏଠାରେ ସାକ୍ଷ୍ୟ ଦେବା ସମୟରେ ସେମାନେ ଯୁବକ ବିରୋଧରେ କହିଥିଲେ। ଅଭିଯୁକ୍ତ ଯୁବକ ଗିରଫ ହେବା କଥା ଜାଣିବା ପରେ ନାବାଳିକା ଜଣକ କିଛି ନକହି କୋର୍ଟ ବାହାରକୁ ଚାଲି ଆସିଥିଲେ। ଏହାର କିଛି ସମୟ ପରେ କୋର୍ଟ ଆଗରେ ସେ ତଳେ ପଡ଼ିଯାଇଥିଲେ। ପାଟିରୁ ପ୍ରବଳ ଫେଣ ବାହାରିବାରୁ ସେ ବିଷ ପିଇଥିବା ଜଣାପଡ଼ିଥିଲା। ତେବେ ବିଷ କେଉଁଠୁ ଆସିଲା, ତାହା ଜଣାପଡ଼ି ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।