ସମ୍ବଲପୁର : ଅଭାବ ଅନଟନ ଆଉ ଋଣ ବୋଝ ନେଲା ୫ ଜୀବନ। ନିଜ ସଂଗୀତର ମଧୁରତାରେ ଲୋକଙ୍କୁ ଖୁସି ବାଣ୍ଟୁଥିବା ଧରଣୀଧର ପଣ୍ଡା(୫୨) ପତ୍ନୀ ସଂଗୀତା ପଣ୍ଡା(୪୮) ଓ ୩ ଝିଅ ଅପରାଜିତା(୧୭), ଅନନ୍ୟା(୧୪) ଓ ଶ୍ରଦ୍ଧା(୩)ଏକ ସଂଗରେ ଝାରସୁଗୁଡ଼ା-ସମ୍ବଲପୁର ଡିଏମ୍ୟୁ ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସବୁବେଳେ ହସଖୁସିରେ ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଧରଣୀଧରଙ୍କ ଭଳି ଜଣେ ବ୍ୟକ୍ତି ଯେ ଏଭଳି କଠୋର ପଦକ୍ଷେପ ନେବେ, ତାହା କେହି ବେଶି ବିଶ୍ୱାସ କରି ପାରୁ ନାହାନ୍ତି। ଏହି ଅଭାବନୀୟ ଘଟଣା ସହରରେ ଶୋକର ଛାୟା ଖେଳାଇ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦା ଗାଁର ଧରଣୀଧର ପଣ୍ଡାଙ୍କ ଘର। ପିଲାଦିନରୁ ସଂଗୀତ ପ୍ରତି ରୁଚି ରହିଥିଲା। ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ସାଂଗକୁ ବି-ମ୍ୟୁଜିକ ଡିଗ୍ରି ହାସଲ କରିଥିଲେ। ସହର ପ୍ରତିଷ୍ଠିତ ଅନୁଷ୍ଠାନ ସମ୍ବଲପୁର କଳା ପରିଷଦ ସହ ସଂପୃକ୍ତ ହେବା ସହ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ। ପାଖାପାଖି ୧୭ ବର୍ଷ ହେଲା ମଦନାଓ୍ଵତୀ ପବ୍ଲିକ ସ୍କୁଲରେ ସଂଗୀତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପିଲାମାନଙ୍କୁ ସଂଗୀତ ଟ୍ୟୁସନ କରି କିଛି ଅର୍ଥ ମଧ୍ୟ ରୋଜଗାର କରୁଥିଲେ। ଜ୍ୟୋତିଷ ଶାସ୍ତ୍ରରେ ବି ତାଙ୍କ ଜ୍ଞାନ ରହିିଥିଲା। ଏଥିରୁ ବି କିଛି ଅର୍ଥ ଉପାର୍ଜନ କରୁଥିବା ସତ୍ତ୍ୱେ ତାଙ୍କ ପାଞ୍ଚ କୁଟୁମ୍ବରେ ଅର୍ଥାଭାବ ଲାଗି ରହିଥିଲା। ବିଭିନ୍ନ ଲୋକଙ୍କୁଠାରୁ ସେ ହାତ ଉଧାରି ନେଇଥିଲେ। ଆଗରୁ ଅନୁଗୁଳିଆ ପଡ଼ାରେ ନିଜର ଜଣେ ଡାକ୍ତର ବନ୍ଧୁଙ୍କ ଘରେ ରହୁଥିଲେ। ସେନାବାହିନୀରେ ଚାକରିରୁ ଅବସର ନେଇ ତାଙ୍କ ଡାକ୍ତର ବନ୍ଧୁ ସମ୍ବଲପୁର ଫେରିବା ପରେ ଧରଣୀଧରଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା।
ଗତ ୬ମାସ ହେଲା ସେ ଜଗନ୍ନାଥ କଲୋନିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାସିକ ସାଢ଼େ ୬ ହଜାର ଟଙ୍କା ଭଡ଼ାରେ ରହୁଥିଲେ। ଗତ ୨ ମାସ ହେଲା କିନ୍ତୁ ଘର ଭଡ଼ା ଦେଇପାରି ନ ଥିଲେ। ଅପରପକ୍ଷରେ ହାତ ଉଧାରି ଦେଇଥିବା ଲୋକେ ବି ତାଙ୍କ ପାଖକୁ ମଝିରେ ମଝିରେ ଟଙ୍କା ମାଗିବାକୁ ଆସୁଥିଲେ। ଘର ମାଲିକଙ୍କ କହିବା ଅନୁସାରେ, କିଛିଦିନ ତଳେ ଜଣେ ବ୍ୟକ୍ତି ଆସି ଧରଣୀଧରଙ୍କୁ ୧୫ଦିନ ଭିତରେ ଟଙ୍କା ଫେରାଇ ଦେବାକୁ କହିଥିଲେ। ଅପରପକ୍ଷରେ ଧରଣୀଧର ସୋମବାର ଅପରାହ୍ଣ ୪ଟାରେ ସ୍କୁଲ ଡ୍ୟୁଟି ସାରି ଛାତ୍ର ଜୀବନରେ ବହୁ ବର୍ଷ ଧରି ଭଡ଼ାରେ ରହିଥିବା ଦଲେଇପଡ଼ାକୁ ଯାଇଥିଲେ। ପଡ଼ାରେ ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, ସେ କୁଆଡ଼େ ଜଣେ ଦେକାନୀଙ୍କୁ ବାଇକ୍ ରଖି ୨୦ ହଜାର ଟଙ୍କା ଦେବାକୁ ଅନୁରୋଧ କରିଥିଲେ। ମାତ୍ର ଦୋକାନୀ ଜଣକ ତାଙ୍କ ପାଖରେ ଏତେ ଟଙ୍କା ନଥିବା କହିଥିଲେ। ସମ୍ଭବତଃ କୌଣସି ଲୋକଙ୍କଠାରୁ ଅର୍ଥ ନ ପାଇ ହତାଶ ହୋଇ ଘରକୁ ଫେରିବା ପରେ ଏକସାଂଗରେ ଜୀବନ ହାରିବା ପାଇଁ ସଭିଏଁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।
ଧରଣୀଧରଙ୍କ ପରିବାର ଭିତରେ କେହି କଳିଝଗଡ଼ା ହେବା ଦେଖି ନ ଥିବା ପଡ଼ିଶା ଓ ସଂପର୍କୀୟମାନେ କହିଛନ୍ତି। ଏଣୁ ଏଭଳି ନିଷ୍ପତ୍ତି ନେବା ସହଜ ହୋଇଥିବ ଜିଆର୍ପି ପୁଲିସ୍ କହିଛି। ସନ୍ଧ୍ୟା ସାଢ଼େ ୬ଟା ଧରଣୀଧରଙ୍କ ମଝିଆ ଓ ସାନ ଝିଅ ଘର ସମ୍ମୁଖରେ ଖେଳୁଥିବା ଘର ମାଲିକ ଦେଖିବାକୁ ପାଇଥିଲେ। ତେଣୁ ସନ୍ଧ୍ୟା ସାଢ଼େ ୭ଟାରେ ସେମାନେ ସମ୍ବଲପୁର ରୋଡ୍(ଫାଟକ) ଓ ସରଲା ଷ୍ଟେସନ ମଝି ରେଳଧାରଣାକୁ ଯାଇ ଗୋଟିଏ ଜାଗାରେ ଚପଲ ରଖିଥିଲେ। ଝାରସୁଗୁଡ଼ା ପଟୁ ଆସୁଥିବା ଡିଏମ୍ୟୁ ଟ୍ରେନ୍ ସମ୍ମୁଖକୁ ଡେଇଁ ସେମାନେ ଆତ୍ମହତ୍ୟା କରିଥିଲେ।