କମୁନି ରାଗିଂ, ଚିନ୍ତାରେ ଅଭିଭାବକ

ଦେଶରେ ଓଡ଼ିଶା ଚତୁର୍ଥ, ଶୀର୍ଷରେ ଉତ୍ତରପ୍ରଦେଶ, ଦ୍ୱିତୀୟରେ ପଶ୍ଚିମବଙ୍ଗ

ଭୁବନେଶ୍ବର : ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ। ଉତ୍ତରପ୍ରଦେଶ ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟରେ ପଶ୍ଚିମବଙ୍ଗ, ତୃତୀୟରେ ମଧ୍ୟପ୍ରଦେଶ ରହିଛି। ଦିଲ୍ଲୀ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ପରି ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ବହୁତ ଖରାପ। ଅନେକ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଲାଗି ଅସୁରକ୍ଷିତ। ସିନିୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରାଗିଂର ଶିକାର ହେଉଛନ୍ତି ଜୁନିଅର। ୨୦୦୯ରୁ ୨୦୨୧ ମଧ୍ୟରେ ରାଜ୍ୟଗୁଡ଼ିକର ରାଗିଂ ସ୍ଥିତିକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଜାରି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୭ରୁ ୨୦୧୯ ମଧ୍ୟରେ ରାଗିଂ ଅଭିଯୋଗ ଶୀର୍ଷରେ ପହଞ୍ଚିଥିଲା। କରୋନା ଯୋଗୁଁ ୨୦୨୦ ଓ ୨୦୨୧ରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ୨୦୨୨ରେ ଶିକ୍ଷାନୁଷ୍ଠାନ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିବା କ୍ଷଣି ରାଗିଂ ଘଟଣା ପୁଣି ଉପରମୁହାଁ ହୋଇଛି।

odishabytes.com

ୟୁଜିସିର ତଥ୍ୟ ଅନୁଯାୟୀ ୨୦୧୧ରୁ ୨୦୨୧ ମଧ୍ୟରେ ଦେଶରେ ୬୭୯୦ଟି ରାଗିଂ ଅଭିଯୋଗ ପଞ୍ଜିକୃତ ହୋଇଛି। ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ରାଗିଂ ଅଭିଯୋଗ ଅପେକ୍ଷାକୃତ କମ୍ ଥିଲାବେଳେ ୨୦୧୭ରେ ହଠାତ୍‌ ବଢ଼ିଥିଲା ଏବଂ ଅଭିଯୋଗ ସଂଖ୍ୟା ୯୦୧ରେ ପହଞ୍ଚିଥିଲା। ୨୦୧୮ରେ ଅଭିଯୋଗ ସ˚ଖ୍ୟା ହଜାରେ ଟପି ୧୦୧୬ରେ ପହଞ୍ଚିଥିଲା। ୨୦୧୮ ତୁଳନାରେ ୨୦୧୯ରେ ଅଧିକ ଘଟଣା ସାମ୍ନାକୁ ଆସିଥିଲା। ଏହି ବର୍ଷ ୧୦୭୦ ଛୁଇଁଥିଲା। ୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ହେବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ପ୍ରଭାବିତ ହୋଇଥିଲା ଏବଂ ଅଧିକାଂଶ ସମୟ ତାଲା ପଡ଼ି ରହିଥିଲା। ତେଣୁ ରାଗିଂ ଘଟଣା ସେତେଟା ଦେଖିବାକୁ ମିଳିଲା ନାହିଁ କି ଅଭିଯୋଗ ଆସିଲାନି। ୨୦୨୦ରେ ମାତ୍ର ୨୧୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ୨୦୨୧ରେ ବି କରୋନା ଦ୍ବିତୀୟ ଲହର ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା, ମାତ୍ର ରାଗିଂ କମି ନ ଥିଲା। ବରଂ ୫୧୧ଟି ଅଭିଯୋଗ ୟୁଜିସି ନିକଟରେ ପଞ୍ଜିକୃତ ହୋଇଥିଲା।

ଚିନ୍ତାର ବିଷୟ ହେଉଛି ଯେ ୨୦୦୯ରୁ ୨୦୨୧ ମଧ୍ୟରେ ଓଡ଼ିଶାରୁ ୫୭୯ଟି ଅଭିଯୋଗ ହୋଇଛି। ୨୦୨୨ ଜୁନ୍‌ ସୁଦ୍ଧା ଅଭିଯୋଗ ସଂଖ୍ୟା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ୧୩ରୁ ଅଧିକ ଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶରେ ୧୩୦୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୮୪୧, ମଧ୍ୟପ୍ରଦେଶରେ ୭୮୮ଟି ପଞ୍ଜିକୃତ ହୋଇଛି। ଓଡ଼ିଶା ତଳକୁ ବିହାରରେ ୪୨୬, ମହାରାଷ୍ଟ୍ରରେ ୪୦୨, ତାମିଲନାଡ଼ୁରେ ୩୯୮, ରାଜସ୍ଥାନରେ ୩୫୪, କେରଳରେ ୩୫୦ ଓ କର୍ଣ୍ଣାଟକରେ ୩୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

dtnext.in

ମେଡିକାଲ, ଇଞ୍ଜିନିୟରିଂ ପରି ପାଠ୍ୟକ୍ରମରେ ରାଗିଂ ସମସ୍ୟା ଜଟିଳ ରୂପ ନେଉଥିବା ବେଳେ ଏବେ ସାଧାରଣ କଲେଜଗୁଡ଼ିକରେ ବଢ଼ୁଥିବା ରାଗିଂ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି। ସବୁଠି ଏବେ ରାଗିଂ ଭୟ। ସ୍ଥିତି ଏଭଳି ହେଲାଣି ଯେ ରାଗିଂ ପାଇଁ ଜଣଙ୍କ ପରେ ଜଣେ ପିଲା ଜୀବନ ହାରିବାକୁ ପଛାଉ ନାହାନ୍ତି। ଯେଉଁ ବୟସରେ ସେମାନେ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖିବା କଥା ସେତେବେଳେ ଆତ୍ମହତ୍ୟା କରୁଛନ୍ତି। ଗୋଟିଏ ପଟେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କ ଅପରାଗତା ଯୋଗୁଁ କ୍ୟାମ୍ପସରେ ରାଗିଂ ରୋକାଯାଇ ପାରୁ ନ ଥିବା ବେଳେ ଅନ୍ୟପଟେ କାର୍ଯ୍ୟାନୁଷ୍ଠାନରେ କୋହଳ ମନୋଭାବ ପୋଷଣ ରାଗିଂ ବଢ଼ାଇବାର ପ୍ରମୁଖ ମାଧ୍ୟମ ସାଜିଛି। ବିଶେଷକରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ରାଗିଂର ଶିକାର ହୋଇଛନ୍ତି।

 

ପ୍ରତିବର୍ଷ ରାଗିଂ ଅଭିଯୋଗ ବଢ଼ୁଥିବାରୁ ୟୁଜିସି ପକ୍ଷରୁ ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ରାଗିଂ ସ୍କ୍ବାଡ୍‌ ଗଠନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ସମସ୍ତ ବିଶ୍ବବିଦ୍ୟାଳୟରେ ଆଣ୍ଟି-ରାଗିଂ କମିଟି ଓ ସ୍କ୍ବାଡ୍‌ ଗଠନ, ଆଣ୍ଟି-ରାଗିଂ ସେଲ୍‌ ପ୍ରତିଷ୍ଠା, ବିଶ୍ବବିଦ୍ୟାଳୟ ବ୍ରୋଚରରେ ଆଣ୍ଟି-ରାଗିଂ ସମ୍ପର୍କରେ ଉଲ୍ଲେଖ କରିବା, ୱେବସାଇଟ୍‌ରେ ଆଣ୍ଟି-ରାଗିଂ କମିଟିର ନୋଡାଲ୍‌ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍‌ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି। ଆଣ୍ଟି-ରାଗିଂ ସ୍କ୍ବାଡ୍‌ର ସଦସ୍ୟମାନେ ହଷ୍ଟେଲ, କ୍ୟାଣ୍ଟିନ୍‌, ରେଷ୍ଟ ରୁମ୍‌, ଶୌଚାଳୟ, ବସ୍‌ଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ ବି କୁହାଯାଇଛି। ଆଣ୍ଟି-ରାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା, ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦିଆଯାଇଛି। ଏଥିସହ ୟୁଜିସି ପକ୍ଷରୁ ଆଣ୍ଟି-ରାଗିଂ ହେଲ୍‌ପ ଲାଇନ୍‌ ନମ୍ବର(୧୮୦୦-୧୮୦-୫୫୨୨) ଜାରି ହୋଇଛି। ଇ-ମେଲ୍‌ ‘[email protected]’ରେ ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। କ୍ୟାମ୍ପସକୁ ରାଗିଂ ମୁକ୍ତ କରିବା ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ୟୁଜିସି ପକ୍ଷରୁ ଅନୁରୋଧ କରାଯାଇଛି। ତା’ପରେ ବି କିଛି ସୁଫଳ ମିଳୁ ନାହିଁ। ରାଗିଂ କମିବା ବଦଳରେ ଦିନକୁ ଦିନ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର