ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ: ଅରୁଣ

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଗୁରୁବାର ଗୃହକୁ ଅଚଳ କଲେ ବିରୋଧୀ। ବିରୋଧୀ ନାରାବାଜି କରୁଥିବାବେଳେ ଗୃହରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ସାହୁ ଚୁପ୍‌ ନ ରହି ନିଜଆଡ଼ୁ ଗୃହରେ ବିବୃତି ରଖିଛନ୍ତି।

କହିଛନ୍ତି ଯେ ଏଭଳି ଏକ ସମ୍ବେଦନଶୀଳ ଘଟଣା, ଯାହାକି ଏକ ଛୋଟ ଝିଅ ପରୀର ହତ୍ୟାକୁ ନେଇ ଘଟିଛି। ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି। ଏଥିରେ ସେ ମର୍ମାହତ। ପରୀ ପରିବାରକୁ ନ୍ୟାୟ ମିଳିବା ତାଙ୍କର ଉଦ୍ଦେଶ୍ୟ। ‘ମୋର ରାଜନୀତି ଜୀବନରେ ମୁଁ ହିଂସାର ଘୋର ବିରୋଧୀ। ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୋଇଥାଏ। ଏହି ମାମଲାରେ ରାଜ୍ୟ ସରକାର ଯେଉଁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ସ୍ବାଗତ କରିବା ସହିତ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ଦୃଢ଼ ବିଶ୍ବାସ କରୁଛି। ଏଥିରେ ଯିଏ କେହି ବି ଜଡ଼ିତ ସେ ଯିଏ ହୋଇଥାଉ ନା କାହିଁକି, ପୁଣି ଥରେ ଦୋହରାଇ କହିଲେ, ଯିଏ ହୋଇଥାଉ ନା କାହିଁକି, ସେ ଦଣ୍ଡିତ ହେବା ଦରକାର। ମୋର ଅନୁରୋଧ ଏହାକୁ ରାଜନୀତିକରଣ ନ କରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍‌। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ।’ ମନ୍ତ୍ରୀଙ୍କ ବିବୃତି ପରେ ବି ବିରୋଧୀ ଶାନ୍ତ ରହିନଥିଲେ। ତାଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ।

ସମ୍ବନ୍ଧିତ ଖବର