ବିଧାନସଭାରେ ପୁଣି ଉଠିଲା ‘ପରୀ’ ପ୍ରସଙ୍ଗ: ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଲେ ବାଚସ୍ପତି

ଭୁବନେଶ୍ବର: ଆଜି ପୁଣି ‘ପରୀ’ ପ୍ରସଙ୍ଗ ଉଠି ବିଧାନସଭା  ହୁଲସ୍ଥୁଲ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ପରେ ଗୃହକୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ‘ପରୀ’ ପ୍ରସଙ୍ଗ ଉଠାଇଥିଲେ। ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କଲେ। ସେ କହିଥିଲେ ଯେ ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀ କେବଳ ଗୋଟିଏର ଉତ୍ତର ଦେଇଛନ୍ତି, ଅନ୍ୟ ୩ଟିର ଉତ୍ତର ଦେଇନାହାନ୍ତି। ଏପରିକି ଅଭିଯୋଗ ଆସିଥିବା ମନ୍ତ୍ରୀଙ୍କ ସମ୍ପର୍କରେ କିଛି କହିନାହାନ୍ତି । ଏଥିସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଦୋହରାଇଥିଲେ ନରସିଂହ ମିଶ୍ର। ଏସଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ହେଉଛି । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ  ।

ସେହିପରି ବିଜେପି ସଦସ୍ୟ ଗୃହରେ ବ୍ୟାନର ଦେଖାଇ ପ୍ରତିବାଦ କରିଥିଲେ । ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲା ବିଜେପି । ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ଦାବି କରିବା ସହ ଏସଆଇଟି ତଦନ୍ତର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ସେପଟେ ଏସଆଇଟି ତଦନ୍ତ ନେଇ ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଦାଲତଙ୍କ ତତ୍ତ୍ବବଧାନରେ  ଏସଆଇଟି ଗଠନ ନେଇ ଖୁବ ଶୀଘ୍ର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଗୃହରେ ବିବୃତି ରଖିଛନ୍ତି । ତେବେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।

ସମ୍ବନ୍ଧିତ ଖବର