କଟକ/ନୟାଗଡ଼: ନୟାଗଡ଼ର ଚାଞ୍ଚଲ୍ୟକର ପରୀ ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ନାବାଳକକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ନୟାଗଡ଼ର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଚିଲଡ୍ରେନସ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ନାବାଳକ ଏହି ମାମଲାରେ ୫ ବର୍ଷର ପୀଡ଼ିତାଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା କୋର୍ଟରେ ପ୍ରମାଣିତ ହୋଇଛି। କୋର୍ଟ ଅଭିଯୁକ୍ତକୁ ଦଫା ୩୬୩, ୩୭୬(ଏ), ୩୦୨, ୨୦୧ ଏବଂ ପୋସକୋ ଆଇନର ଧାରା ୬ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୦ ଜୁଲାଇ ୧୪ରେ ନୟାଗଡ଼ ଯଦୁପୁର ଗାଁର ପରୀ ଘର ସାମନାରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା। ଯଦୁପୁରର ଜଣେ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀ ସାହୁଙ୍କ ଏକମାତ୍ର ସନ୍ତାନ ପରୀକୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ପରୀ ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ରାଜନୈତିକ ଚାପରେ ପୁଲିସ ପ୍ରାଥମିକ ଭାବେ ମାମଲା ରୁଜୁ କରିନଥିବା ଅଭିଯୋଗ ହୋଇଥିଲା। ୧୦ ଦିନ ପରେ ଜୁଲାଇ ୨୩ରେ ପୀଡ଼ିତାଙ୍କ କଙ୍କାଳ ତାଙ୍କ ଘର ପଛପଟ ପୋଖରୀରୁ ମିଳିଥିଲା। ଏକ ଅଖା ବସ୍ତାରେ ପରୀର କଙ୍କାଳ ଥିବା ଅବସ୍ଥାରେ ଜବତ ହୋଇଥିଲା। ସମ୍ବେଦନଶୀଳ ମାମଲାକୁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ୨୦୨୦ ନଭେମ୍ବର ୨୫ରେ କ୍ରାଇମବ୍ରାଞ୍ଚ ଦଫା ୩୬୩, ୩୬୪, ୩୦୨, ୨୦୧ରେ ମାମଲା(କେସ୍ ନଂ ୧୪/୨୦୨୦) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ବର୍ତ୍ତମାନର କ୍ରାଇମବ୍ରାଞ୍ଚ ଏଡିଜି ଥିବା ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଏସ୍ଆଇଟି ଗଠନ କରାଯାଇଥିଲା। ଅରୁଣ ବୋଥ୍ରା ହତ୍ୟାକାରୀକୁ ଧରିବାକୁ ତଦନ୍ତ କରି ଗାଁର ପ୍ରତିଘରକୁ ଯାଇ ପଚରାଉଚୁରା କରିଥିଲେ ଏବଂ ୨୦୨୦ ନଭେମ୍ବର ୩୦ ତାରିଖରେ ପଡ଼ିଶା ଘରର କଲେଜ ପଢୁଆ ଛାତ୍ରକୁ ଉଠାଇ ନେଇ ନୟାଗଡ଼ ସର୍କିଟ ହାଉସରେ ପଚରାଉଚୁରା କରିଥିଲା। ଅଭିଯୁକ୍ତର ବୟସ ସେହି ସମୟରେ ୧୭ ବର୍ଷ ୬ ମାସ ହୋଇଥିଲେ ମଧ୍ୟ ଏସ୍ଆଇଟି ୧୮ବର୍ଷ ଦର୍ଶାଇ କୋର୍ଟରେ ହାଜର କରିଥିଲା। ୫/୧/୨୦୨୧ରେ କୋର୍ଟ ତାକୁ ନାବାଳକ ଦର୍ଶାଇବା ପରେ ପୁଲିସ ତାକୁ ରିମାଣ୍ତରେ ନେଇଥିଲା। ଗିରଫ କରିବା ସମୟରେ ତା’ଠାରୁ ୨ଟି ଗାମୁଛା, ଲେଗିନ୍ସ ଓ ୩ଟି ନଡ଼ିଆ ବାହୁଙ୍ଗା, ଜିଆଇ ତାର, ବଡ଼ ଭଉଣୀର ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ପରେ ତାକୁ କୋର୍ଟ ଚାଲାଣ କରିଥିଲା।
ଏସ୍ଆଇଟି ପୂରା ଘଟଣାର ତଦନ୍ତ କରି ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ୨୦୨୦ ଡିସେମ୍ବର ୧୫, ଡିସେମ୍ବର ୨୩, ୨୦୨୧ ଜାନୁଆରି ୧୧ରେ ଭିନ୍ନ ଭିନ୍ନ ସମୟରେ ଦାଖଲ କରିଥିଲା। ୨୦୨୧ ଜାନୁଆରି ୧୨ରେ ହାଇକୋର୍ଟ ଏସ୍ଆଇଟିର ତଦନ୍ତ ରିପୋର୍ଟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଏହି ମାମଲା କୋର୍ଟରେ ଶୁଣାଣି ସମୟରେ ୩୧ ଜଣ ସାକ୍ଷୀଙ୍କ ପକ୍ଷ ରଖାଯାଇଥିଲା। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ୪୮୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇଥିଲା। ୧୩୫ଟି ଦସ୍ତାବିଜ ପରୀକ୍ଷା କରାଯିବା ସହିତ ୧୮ଟି ବିଭିନ୍ନ ପ୍ରକାର ପଦାର୍ଥ କୋର୍ଟରେ ଦାଖଲ କରାଯାଇଥିଲା। ଏହି ସାମଗ୍ରୀଗୁଡ଼ିକ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିଲା। ସାକ୍ଷୀ ପ୍ରମାଣ ଓ ତଥ୍ୟ ଆଧାରରେ କୋର୍ଟ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ପକ୍ସୋ ଆକ୍ଟର ଧାରା ୬ ଓ ଆଇପିସିର ଧାରା ୩୭୬ରେ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୩୦୨(ହତ୍ୟା)ରେ ମଧ୍ୟ ୨୦ ବର୍ଷ ଦଣ୍ଡାଦେଶ, ୩୬୩(ଅପହରଣ) ଓ ୨୦୧(ପ୍ରମାଣ ନଷ୍ଟ)ରେ ପ୍ରତ୍ୟେକ ଦଫାରେ ୩ ବର୍ଷ ଲେଖାଏ ଦଣ୍ଡାଦେଶ ହୋଇଛି। ପ୍ରତ୍ୟେକ ମାମଲାରେ ୧ ହଜାର ଟଙ୍କା ଲେଖାଏ ଜରିମାନା ଲଗାଯାଇଛି। ଯଦି ଜରିମାନା ପ୍ରଦାନ ନକରନ୍ତି ତେବେ ଅତିରିକ୍ତ ୬ ମାସ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଅଭିଯୁକ୍ତ ଯେହେତୁ ନାବାଳକ ଅଛି, ତେଣୁ ତାକୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇପାରିବ ନାହିଁ। ନହେଲେ ତାକୁ ମୃତ୍ୟୁ ଦଣ୍ଡ ହୋଇଥାନ୍ତା। ଏବେ ସେ ସୁଧାର ଗୃହରେ ରହିବ ଓ ୨୧ ବର୍ଷ ହେଲେ ଜେଲକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି। କ୍ରାଇମ୍ବ୍ରାଞ୍ଚ୍ର ଆଇନଜୀବୀ ଚିତ୍ତରଞ୍ଜନ କାନୁନ୍ଗୋ, ସରକାରୀ ଓକିଲ ଅନୱର ମଲ୍ଲିକ, ଅଭିଯୁକ୍ତର ଓକିଲ ଚନ୍ଦ୍ରବିଜୟୀ ମିଶ୍ର ଓ ଶିବଶଙ୍କର ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ, ଏହି ଘଟଣାକୁ ନେଇ ସେତେବେଳେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। କାରଣ ପରୀର ମାଆ ଶ୍ରୀମତୀ ସାହୁ, ‘‘ରାଜନୈତିକ ଶତ୍ରୁତା କାରଣରୁ ଗାଁର ବାବୁଲି ନାୟକ ମୋ ଝିଅ ପରୀକୁ ମାରି ଦେଇଛି’’ ବୋଲି ପୁଲିସ ଆଗରେ ଅଭିଯୋଗ କରିଥିଲେ। କିନ୍ତୁ ବାବୁଲି ପ୍ରଭାବଶାଳୀ ନେତାଙ୍କ କର୍ମୀ ହୋଇଥିବାରୁ ପୁଲିସ ହାତମାରି ନଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। ପରୀ ହତ୍ୟାକାରୀକୁ ଧରିବାକୁ ବିଭିନ୍ନ ରାଜନୈତିକ ଦଳ ଯଦୁପୁର ଗାଁରେ ଡେରା ପକାଇଥିଲେ ଏବଂ ଦିନକୁ ଦିନ ଏହି ଘଟଣା ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣି ଆଣିଥିଲା। ପରୀ ହତ୍ୟା ଘଟଣାରେ ପୁଲିସ ଫେଲ୍ ମାରିବା ପରେ ଏସ୍ଆଇଟି ତଦନ୍ତ ଆରମ୍ଭ କରିଥିଲା।
ମୋ ପୁଅକୁ ଭଗବାନ ସାହା ହେବେ
ଆଜି ଜଣେ ନିର୍ଦ୍ଦୋଷକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଧରିବାରେ କ୍ରାଇମ୍ବ୍ରାଞ୍ଚ୍ ବିଫଳ ହୋଇ ଏଭଳି କରିଛି। ମୋ ପାଇଁ ଭଗବାନ ଅଛନ୍ତି ବୋଲି କହିଛନ୍ତି ଦୋଷୀ ସାବ୍ୟସ୍ତ ନାବାଳକର ମାଆ। ଦିନେ ନା ଦିନେ ସତ ଘଟଣା ପଦାକୁ ଆସିବ ମୋର ସେହି ବିଶ୍ବାସ ରହିଛି।
ରାୟ ପ୍ରକାଶ ପରେ ଅସନ୍ତୁଷ୍ଟ ପରୀର ବାପା-ମାଆ
ମୋ କୁନି ଝିଅ ପରୀକୁ ବାବୁଲି ନାୟକ ହିଁ ହତ୍ୟା କରିଛି। ଦୋଷୀକୁ ଖସେଇବାକୁ ଯାଇ ନିର୍ଦ୍ଦୋଷକୁ ବଳି ପକାଯାଇଛି। ପ୍ରକୃତ ଦୋଷୀ ଧରା ନ ପଡ଼ିବା ପର୍ଯ୍ୟନ୍ତ ପରୀର ଆତ୍ମା ଶାନ୍ତି ପାଇବ ନାହିଁ। ଗାଁର ବାବୁଲି ନାୟକ ପରୀକୁ ଖଣ୍ତ, ବିଖଣ୍ତିତ ଭାବେ ହତ୍ୟା କରି ତା’ର କିଡ୍ନି କାଢ଼ି ନେଇଛି। ଏସବୁ ଉପରବାଲା ଦେଖୁଛି। ସମୟ ଆସିବ ସତ ଘଟଣା ପଦାକୁ ଆସିବ। ଜଣେ ନିରୀହ ପିଲାକୁ ୨୦ ବର୍ଷ ସଜ୍ଜା ଶୁଣାଇବା ଘଟଣାରେ ପରୀର ବାପା ଅଶୋକ ସାହୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।