‘ପରୀ’ ହତ୍ୟାକାଣ୍ଡ : ପରିବାରକୁ ଭେଟିଲେ ୨୦ ବିଜେପି ବିଧାୟକ

୪ ମାସ ହେଲା ବିଜେପି କେଉଁଠି ଥିଲା: ଜିଲ୍ଲା କଂ‌ଗ୍ରେସ

ସିବିଆଇ ତଦନ୍ତ ସହ ଅରୁଣ ସାହୁଙ୍କ ଇସ୍ତଫା ଦାବି
ପୁଲିସ୍‌ର ନିଷ୍କ୍ରିୟତା ବାବଦରେ କହିଲେ ପରୀର ବାପାମା

ନୟାଗଡ଼ : ନୟାଗଡ଼ର ନାବାଳିକା ‘ପରୀ’ ହତ୍ୟାକାଣ୍ଡ ତାତି କ୍ରମେ ବଢ଼ିବାରେ ଲାଗିଛି। ଆଜି ବିଜେପିର ୨୦ ଜଣ ବିଧାୟକ ନୟାଗଡ଼ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ପଞ୍ଚ‌ାୟତ ଅନ୍ତର୍ଗତ ଯଦୁପୁର ଗ୍ରାମକୁ ଯାଇ ପରୀର ପରିବାରକୁ ଭେଟିଛନ୍ତି। ଏହି ଘଟଣାରେ ବିଜେପି ପରୀର ପରିବାର ସହିତ ଅଛି ବୋଲି କହି ଆଶ୍ବାସନା ଦେଇଛନ୍ତି। ଏଥିସହିତ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଡା. ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଦୋହରାଇଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ ପରୀ ବାପା ଅଶୋକ ସାହୁ ଓ ମା‌’ ସୌଦାମିନୀ ସାହୁଙ୍କୁ ଭେଟିଥିଲେ। ବିଜେପିର ଏହି ଟିମ୍‌ରେ ବି‌ରୋଧୀ ଦଳ ନେତାଙ୍କୁ ମିଶାଇ ୨୦ ବିଜେପି ବିଧାୟକ ସାମିଲ୍‌ ହୋଇଥିଲେ। ବିଜେପି ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରୀର ବାପା, ମା’ ବିରୋଧୀ ଦଳ ନେତାଙ୍କୁ କୋହଭରା କଣ୍ଠରେ ନୟାଗଡ଼ ସଦର ଥାନା ତଥା ଜିଲ୍ଲା ପୁଲିସର ନିଷ୍କ୍ରିୟତା ବାବଦରେ କହିଥିଲେ। ପୁଲିସ କିଭଳି ହତ୍ୟାକାରୀ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଥାନାକୁ ନ ଡ଼ାକି ଓଲଟି ସେମାନଙ୍କୁ ଥାନାକୁ ଡାକି ହଇରାଣ କରୁଛି, ଶାରୀରିକ , ମାନସିକ ନିର୍ଯାତନା ଦେଉଛି ସେ ସବୁ ବିଷୟରେ କହିଥିଲେ। ସମସ୍ତ ଘଟଣା ବି‌ରୋଧୀ ଦଳ ନେତା ଶୁଣିବା ପରେ, ପରୀ ହତ୍ୟାକାରୀକୁ ଧରିବାକୁ ବିଜେପି ସଂପୂର୍ଣ୍ଣ ଲଢ଼େଇ କରିବ, ସ୍ଥାନୀୟ ପୁଲିସ ପ୍ରଶାସନ ଉପରେ ଚାପ ପ୍ରୟୋଗ କରାଯିବା ସହିତ, ଯେଉଁମାନେ ଏଥିରେ ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ବିଜେପି ପ୍ରତିନିଧି ଦଳ କହିଥିଲେ। ଏଥିସହିତ, ପରୀ ପରିବାର ସହିତ ବିଜେପି ରହିବ ବୋଲି ବିରୋଧୀ ଦଳ ନେତା ଆଶ୍ବାସନା ଦେଇଥିଲେ। ସବୁ କଥା ଶୁଣିବା ପରେ ବିଜେପି ପ୍ରତିନିଧି ଦଳ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଦୋହରାଇଥିଲେ। ଏଥିସହିତ କ୍ରାଇମବ୍ରାଞ୍ଚ ‌ହେଉ କିମ୍ବା ଏସ୍‌ଆଇଟି କେବେ ବି ନିରପେକ୍ଷ ତଦନ୍ତ କରିବ ନାହିଁ। ଏମାନେ ରାଜ୍ୟ ସରକାରଙ୍କ ହାତବାରିସି ସାଜି କାର୍ଯ୍ୟ କରିବେ। ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।

ପରୀର ଶବ ବା ମାତ୍ର ୧୦/୧୨ ଖଣ୍ଡ ହାଡ଼ ଯେଉଁ ପୋଖରୀ କୂଳରୁ ଉଦ୍ଧାର ହୋଇଥିଲା, ସେହି ସ୍ଥାନକୁ ବିଜେପି ଟିମ୍‌ ‌ବୁଲି ଦେଖିଥିଲା। ପରୀ ବାପା ଅଶୋକ ସାହୁ, ପରୀକୁ ମାରି ଦିଆଯିବା ପରେ ତା’ର ଆଖି ଓ କିଡ୍‌ନି ଆଦି କାଢ଼ି ନିଆଯାଇ ବିକ୍ରି କରିଦିଆଯାଇଥିବା ବିରୋଧୀ ଦଳ ନେତାଙ୍କୁ ଜଣାଇଥିଲେ। ଶବ ଯେଭଳି ଗନ୍ଧ ନହୁଏ, ସେଥିପାଇଁ କୌଣସି ଏକ ରାସାୟନିକ ଦ୍ରବ୍ୟ ମିଶାଇ ଶବକୁ ଆଣି ପୋଖରୀ କୂଳରେ ଏକ ବସ୍ତା ଭିତରେ ପୂରାଇ ଫିଙ୍ଗି ଦିଆଯାଇଥିଲା।

ଏହି ଘଟଣା ଜାଣିବା ପରେ ନୟାଗଡ଼ରେ ଅଙ୍ଗ ଚୋରି ରାକେଟ୍‌ କାମ କରୁଥିବା ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିବା ବେଳେ ଏହାର ତଦନ୍ତ ଦାବି କରିଥିଲେ। ବିରୋଧୀ ଦଳ ନେତାଙ୍କ ସମେତ ବିଜେପି ବିଧାୟକ ଜୟନାରାୟଣ ମିଶ୍ର , ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ, ମୋହନ ମାଝୀ, ଡ. ଭୂଦାନ ମୁର୍ମୁ, ନବଚରଣ ମାଝୀ, ଭାସ୍କର ମଢାଇ, ପ୍ରକାଶ ସୋରେନ, ସନାତନ ବିଜୁଳି, ସୁକାନ୍ତ କୁମାର ନାୟକ, ମୁକେଶ ମହାଲିଙ୍ଗା, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢି , କେ. ନାରାୟଣ ରାଓ ପ୍ରମୁଖ ପରୀ ଘରକୁ ଯାଇଥିଲେ । ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ, ନୟାଗଡ଼ର ବିଜେପି ନେତ୍ରୀ ଇରାନୀ ରାୟ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସିଦ୍ଧାର୍ଥ ଶେଖର ସିଂହ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ନେତା ଉପସ୍ଥିତ ଥିଲେ। ସ୍ଥାନୀୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

୪ ମାସ ହେଲା ବିଜେପି କେଉଁଠି ଥିଲା: ଜିଲ୍ଲା କଂ‌ଗ୍ରେସ
ନୟାଗଡ଼ : ବିଜେପି ବିଧାୟକ ଟିମ୍‌ର ନୟାଗଡ଼ ଗସ୍ତକୁ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି କୁମ୍ଭୀର କାନ୍ଦଣା କହି ସମାଲୋଚନା କରିଛି। ଗତ ୪ ମାସ ହେଲା ବିଜେପି କେଉଁଠି ଥିଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍‌ ଦାଶ ପ୍ରଶ୍ନ କରିଛନ୍ତି। ବିଧାନସଭା ଆଗରେ ପରୀ ବାପା, ମା’ ଆତ୍ମାହୁତି ଉଦ୍ୟମ କରିବା ପରେ ବିଜେପି ଏଥିରୁ ରାଜ‌ନୈତକ ଫାଇଦା ନେବାକୁ ଧାଇଁ ଆସିଥିବା ଶ୍ରୀ ଦାଶ କହିଛନ୍ତି। ପରୀ ହତ୍ୟା‌କାଣ୍ଡରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ଗତ ଅକ୍ଟୋବର ମାସରେ ଏସ୍‌ପି ଅଫିସ ଘେରାଉ କରିବା ସହିତ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଜିଲ୍ଲାର ୪ ବିଧାୟକଙ୍କୁ ଚିଠି ଲେଖିଥିଲା। ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ସେ‌ତେବେଳେ ବିଜେପି କ’ଣ କରୁଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏଥି ସହିତ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ପରୀ ବାପାଙ୍କ ଅଟୋକୁ ଦୁର୍ବୃତ୍ତ ବାଡ଼େଇ ଭାଙ୍ଗି ଦେଇଛନ୍ତି। ପିଏମ୍‌ କେୟାର ଫଣ୍ଡ୍‌ରୁ ତାଙ୍କୁ ସହାୟତା ଦେବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଗଣମାଧ୍ୟମ ଜରିଆରେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର