ପରୀ ମାମଲାରେ ହାଇକୋର୍ଟରେ ସାନି ପିଟିସନ୍ : ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ୍‌ ଟେଷ୍ଟ ହେଉ

କଟକ : ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣା‌ରେ ଏସଆଇଟି ତଦନ୍ତ ସନ୍ତୋଷଜନକ ନୁହେଁ। ପରୀ ପରିବାର ଲୋକଙ୍କ ପକ୍ଷରୁ ଦାଖଲ ଏତଲାରେ ଯେଉଁ ବ୍ୟକ୍ତି ବିଶେଷଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଛି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ। ଠିକ୍ ବାଟରେ ତଦନ୍ତ ଯାଉ ନାହିଁ। ତେଣୁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ଦର୍ଶାଇ ହାଇକୋର୍ଟରେ ସାନି ପିଟିସନ୍ ଦାଖଲ କରାଯାଇଛି।

ପରୀ ହତ୍ୟାକାଣ୍ଡ ପ୍ରସଂଗ ନେଇ ଜନସ୍ବାର୍ଥ ମାମଲା ଦାୟର କରିଥିବା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ଆଜି ହାଇକୋର୍ଟରେ ଏକ ଅନ୍ତରୀଣ ପିଟିସନ୍ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରାଯାଇଛି। କିନ୍ତୁ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି ରିପୋର୍ଟରୁ ଅଭିଯୁକ୍ତ ବିରୋଧରେ କିଛି ଠୋସ୍ ପ୍ରମାଣ ମିଳି ପାରି ନଥିବା ଜଣାପଡ଼ିଛି। ଏଥି ସହିତ ପରୀର ମା କେତେକ ବ୍ୟକ୍ତିଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରିଥିଲେ ଓ ଏ ନେଇ ଏତଲାରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହାପରେ ମଧ୍ୟ ଏସଆଇଟି ଏହି ସବୁ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରି ନାହିଁ। ତେଣୁ ତଦନ୍ତ ପ୍ରକ୍ରିୟା ଠିକ୍ ବାଟରେ ଯାଉନାହିଁ ବୋଲି ସ୍ପଷ୍ଟ। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫି ଟେଷ୍ଟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥି ସହିତ ପରୀ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଉ। ପ୍ରକୃତ ଦୋଷୀକୁ ଗିରଫ କରାଯିବା ସହିତ ପୀଡ଼ିତାକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସୂଚନା ଯୋଗ୍ୟ ଯେ ପୁଲିସ ତଦନ୍ତ ଉପରେ ଭରସା ନାହିଁ, ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପୃଥକ ଜନସ୍ବାର୍ଥ ଆବେଦନ ଦାୟର ହୋଇଛି। ଡିସେମ୍ବର ୨୪ରେ ହାଇକୋର୍ଟ ଉଭୟ ଆବେଦନର ଶୁଣାଣି କରି ୨୦୨୧, ଜାନୁଆରି ୧୨କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର