ପରୀ ହତ୍ୟା ମାମଲା : ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନ ଖାରଜ

ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟିର ଆବେଦନ, ୧୩ ତାରିଖରେ ହେବ ଶୁଣାଣି

ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଆଜି ଶୁଣାଣି ହୋଇଛି। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଟେଷ୍ଟ ନିମନ୍ତେ କ୍ରାଇମବ୍ରାଞ୍ଚ୍‌ର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଆବେଦନ କରିଥିଲା। ଏହି ଟେଷ୍ଟ ଦେବାପାଇଁ ଅଭିଯୁକ୍ତ ନାରାଜ ହୋଇଥିବା ଜଣାପଡ଼ିଛି। ଫଳରେ ଜେଜେବି ନାର୍କୋ ଆନାଲିସିସ୍‌ ଟେଷ୍ଟକୁ ଅନୁମତି ଦେଇନାହାନ୍ତି। ଅପରପକ୍ଷେ, ଅଭିଯୁକ୍ତର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି ଜେଜେବିରେ ଆବେଦନ କରିଛି। ଏହାର ଶୁଣାଣି ଜାନୁଆରି ୧୩ ତାରିଖରେ କରାଯିବ ବୋଲି ସରକାରୀ ଓକିଲ ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି। ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅଭିଯୁକ୍ତକୁ ନିଶା ଦିଆଯାଇ ଅଚେତ୍‌ କରି ପରୀକ୍ଷା କରାଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ କାହାର ବଞ୍ଚିବା ନେଇ କେହି ହସ୍ତକ୍ଷେପ କରିପାରିବ‌େ ନାହିଁ। ତେଣୁ ଏଭଳି କଠିନ ପରୀକ୍ଷାରେ ଜୀବନ ପ୍ରତି ବିପଦ ଥିବାରୁ, ଜେଜେବି ଅଭିଯୁକ୍ତର ଅନିଚ୍ଛା ଯୋଗୁଁ ଟେଷ୍ଟ ପାଇଁ ଅନୁମତି ଦେଇ ନ ଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି। ବସ୍ତାରେ ବନ୍ଧା ଯାଇଥିବା ତାର ଓ ଅଭିଯୁକ୍ତ ଡେମୋ ସମୟରେ ନିଜ ଘ‌ରେ ଦେଖାଇଥିବା ତାର ସହ ମେଳ ଖାଉଛି ନା ନାହିଁ, ତାହା ଜାଣିବା ପାଇଁ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବା ପାଇଁ ଏସ୍‌ଆଇଟିର ଯୋଜନା ରହିଛି। ଏଥିପାଇଁ ଜେଜେବି ଅନୁମତି ଦେଇଥିବା ସରକାରୀ ଓକିଲଙ୍କଠାରୁ ଜଣାପଡ଼ିଛି। ତେବେ, ଗୁଜୁରାଟ ବଦଳରେ କଲିକତାର ଫରେନସିକ୍‌ ଲ୍ୟାବ୍‌ରେ ଏହାର ପରୀକ୍ଷା କରାଯାଇ ପାରୁଥିବାରୁ ସେଠାରେ କରାଯିବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତକୁ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଅନୁଗୁଳସ୍ଥିତ ବାଲ୍‌ ସୁଧାର ଗୃହରୁ ଅଣାଯାଇ ଜେଜେବିରେ ହାଜର କରାଯାଇଥିଲା। ପାଖାପାଖି ସନ୍ଧ୍ୟା ପର୍ଯ୍ୟନ୍ତ ଆବେଦନର ଶୁଣାଣି ହୋଇଥିଲା। ତା’ ପରେ ଜେଜେବି ଏଭଳି ରାୟ ଦେଇଛି।

ସମ୍ବନ୍ଧିତ ଖବର