ପରୀ ହତ୍ୟା ମାମଲା : ଜେଜେବିରୁ ଚିଲ୍‌ଡ୍ରେନ୍‌ କୋର୍ଟ ମାମଲା ସ୍ଥାନାନ୍ତର

ଅଭିଯୁକ୍ତ ନାବାଳକ ଦୁଷ୍କର୍ମ ଓ ହତ୍ୟା‌ କରିବାକୁ ସକ୍ଷମ
ଏସ୍‌ଆଇଟିର ଏଲ୍‌ଭିଏ ଆବେଦନ ଶୁଣାଣି ୫କୁ ଘୁଞ୍ଚିଲା

ନୟାଗଡ଼ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣିରେ ପୁଣି ଏକ ରୋଚକ ମୋଡ଼ ଆସିଛି। ଏହି ମାମଲାର ବିଚାର ପ୍ରଥ‌ମେ ନୟାଗଡ଼ ପକ୍ ସୋ କୋର୍ଟ କରୁଥିଲେ। ହେଲେ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେବାରୁ ଗତ ୫ ତାରିଖରେ ମାମଲା ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ (ଜେଜେବି) ନୟାଗଡ଼କୁ ସ୍ଥାନାନ୍ତରିତ ହୋଇଥିଲା। ତେବେ ପୁଣି ଏହି ମାମଲା ଜେଜେବିରୁ ନୟାଗଡ଼ ଚିଲଡ୍ରେନ୍‌ କୋର୍ଟ (ବାଳକ ଅଦାଲତ)କୁ ସ୍ଥାନନ୍ତରିତ ହୋଇଛି। ଗିରଫ ନାବାଳକ ଅଭିଯୁକ୍ତର ଲେୟାର୍ଡ ଭଏସ୍‌ ଆନାଲିସିସ୍‌ (ଏଲ୍‌ଭିଏ) ପରୀକ୍ଷା ସମେତ ଅନ୍ୟ କେତେକ ଜିନିଷର ଅନୁମତି ନିମନ୍ତେ ଗତ ୧୩ ତାରିଖରେ ଏସ୍‌ଆଇଟି ଆବେଦନ କରିଥିଲା। ଏହି ଆବେଦନର ଆଜି ଶୁଣାଣି ଥିଲା। ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଲ୍‌ ସୁଧାର ଗୃହରୁ ଅଣାଯାଇ ‌ଜେଜେବିରେ ହାଜର କରାଯାଇଥିଲା। ଏହି ପରିପ୍ରେକ୍ଷୀ‌ରେ ଏସ୍‌ଆଇଟିର ବିଶେଷଜ୍ଞ ଟିମ୍‌ ଅଭିଯୁକ୍ତ ନାବାଳକଟି ମାନସିକ ଓ ଶାରୀରିକ ଭା‌ବେ ଦୁଷ୍କର୍ମ, ହତ୍ୟା ଭଳି ଅପରାଧ କରିବାକୁ ସକ୍ଷମ ବୋଲି ପ୍ରମାଣ ଦାଖଲ କରିଥିଲେ। ଏଥିରେ ଜେଜେବି ସନ୍ତୁଷ୍ଟ ‌ହେବା ସହିତ ମାମଲାକୁ ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ସେହି ଅନୁଯାୟୀ ଅଭିଯୁକ୍ତକୁ ଜେଜେବିରୁ ନିଆଯାଇ ଚିଲଡ୍ରେନ୍‌ କୋର୍ଟରେ ହାଜର କରାଯାଇଛି। ଏଥି ସହିତ ଏସ୍‌ଆଇଟିର ଏଲ୍‌ଭିଏ ଆବେଦନ ନେଇ ଅନୁମତି ପ୍ରକ୍ରିୟା ଘୁଞ୍ଚିଯାଇଛି। ଏ ସମ୍ପର୍କରେ ଚିଲ‌୍‌ଡ୍ରେନ୍‌ କୋର୍ଟ ଫେବ୍ରୁଆରି ୫ ତାରିଖରେ ଶୁଣାଣି କରିବେ।

ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ସୂଚନା ଅନୁଯାୟୀ, ଜେଜେବି ଅଭିଯୁକ୍ତକୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ପ୍ରଦାନ କରିପାରି‌ବେ। କିନ୍ତୁ ପରୀ ମାମଲା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା, ଗିରଫ ଅଭିଯୁକ୍ତ ୧୮ ବର୍ଷରୁ କମ୍‌ ବୟସର ହେଲେ ମଧ୍ୟ ୧୬ ବର୍ଷରୁ ଅଧିକ। ତେଣୁ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ସକ୍ଷମ। ଅଭିଯୁକ୍ତର ଅପରାଧ ପ୍ରମାଣିତ ହେଲେ ତାକୁ ୭ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ନେଇ କୋର୍ଟ ଦଣ୍ଡାଦେଶ କରିପାରିବେ। ଘଟଣାର ସ୍ଥିତିକୁ ଅନୁଧ୍ୟାନ କଲା ପରେ ଜେଜେବି ଏହାକୁ ନୟାଗଡ଼ ଅତିରକ୍ତ ଜିଲ୍ଲା ଦୌରା ଜଜ୍‌(ଏଡିଜେ) ତଥା ବାଳକ ଅଦାଲତ ଜଜ୍‌ଙ୍କ ନିକଟକୁ ବିଚାର ପାଇଁ ପଠାଇଛନ୍ତି। ଏଣିକି ପରୀ ହତ୍ୟାକାଣ୍ଡ ମାମଲାର ବିଚାର ସମ୍ପର୍କିତ ସମସ୍ତ ଶୁଣାଣି ଏଡିଜେ କରିବେ।

ସମ୍ବନ୍ଧିତ ଖବର