ପରୀ ହତ୍ୟା ମାମଲା : କାହାକୁ ଘଣ୍ଟ ଘୋଡ଼ାଯାଉଛି?

ଆବଶ୍ୟକ ହେଲେ ଏସ୍‌ଆଇଟି ତଦନ୍ତ ହେବ: ମୁଖ୍ୟମନ୍ତ୍ରୀ

ଜିଲ୍ଲା ପୁଲିସ ଭୂମିକା ଆଦୌ ବିବାଦ ମୁକ୍ତ ନୁହେଁ
‘ମୋ ସରକାର’ରେ ପରୀକୁ ନ୍ୟାୟ ମିଳିଲାନି
କେବଳ ହାଓ୍ୱାରେ ଅଟକିଛି ସରକାରୀ ତନାଘନା

ଭୁବନେଶ୍ୱର : ନୟାଗଡ଼ର ପାଞ୍ଚବର୍ଷର ଝିଅ ପରୀ ହତ୍ୟା ମାମଲାକୁ ନେଇ ବିଧାନସଭା ପଡ଼ୁଛି ଉଠୁଛି। ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଅକଳରେ ପଡ଼ିଛନ୍ତି। ବିରୋଧୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ବିଧାନସଭା ଦୁଇଦିନ ହେଲା ଅଚଳ। ଆଜି ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ ସଂପର୍କରେ ସୂଚନା ଦେଇଛନ୍ତି।

ହେଲେ ତମାମ ଘଟଣାରେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା, ରାଜ୍ୟ ସରକାରଙ୍କ ଦକ୍ଷ ପୁଲିସ କ’ଣ ସତରେ ପରୀ ହତ୍ୟାକାରୀକୁ ଜାଣିନି? ନା ପରୀ ହତ୍ୟାକାରୀ ଜାଣିବା ପରେ ତାଙ୍କୁ ଛୁଇଁବାର ସାହସ ରଖୁନି? ଏହି ଦୁଇଟି କଥା ଭିତରୁ କେଉଁଠି ଠିକ୍?

କେବଳ ସେତିକି ନୁହେଁ, ଯଦି ମନ୍ତ୍ରୀ ଅରୁଣ ସାହୁଙ୍କ ରାଜନୈତିକ ଚାପରେ ତଦନ୍ତ ଦିଗହରା ହୋଇଥିବ ତେବେ ତ ଗର୍ହିତ କାର୍ଯ୍ୟ। ଏ ସଂକ୍ରାନ୍ତରେ ଜିଲ୍ଲା ପୁଲିସ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ବା ପୁଲିସ ମହାନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥାନ୍ତେ। ଏହି ଘଟଣାରେ ଜିଲ୍ଲା ଏସ୍‌ପି ପ୍ରତ୍ୟୁଷ ପ୍ରଭାକର ପାଟିଲ୍‌ଙ୍କ ପାରଦର୍ଶିତା ବି ବାଜିରେ ଲାଗିଛି। ଗୋଟିଏ ନିଷ୍ପାପ ଝିଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କ’ଣ ଶୂନ୍ୟରେ ଉଭେଇଗଲା? ଯଦି ଗୋଟିଏ ଗାଁ ଭିତରର ଏକ ମାମଲାରେ ତଦନ୍ତକାରୀ ଅଧିକାରୀ ଖିଅ ପାଉନାହାନ୍ତି, ନକ୍ସଲଙ୍କ ଗତିବିଧି ସଂପର୍କରେ ପୁଲିସ କେତେଦୂର ସକ୍ରିୟତାର ସହିତ ସେଠାରେ କାର୍ଯ୍ୟ କରୁଥିବ? ତାହା ଅନୁଧ୍ୟାନ ସାପେକ୍ଷ।

ଗୋଟିଏ ସମୟରେ ନକ୍ସଲ ଏଠାରେ ଅସ୍ତ୍ରାଗାର ଲୁଟ୍ କରି ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲେ। ଏଭଳି ବଡ଼ ବଡ଼ ଅପରାଧକୁ କିଭଳି ନୟାଗଡ଼ ଜିଲ୍ଲା ପୁଲିସ ମୁକାବିଲା କରିବ? ଅଶୋକ ସାହୁ ଓ ସୌଦାମିନୀଙ୍କୁ ନ୍ୟାୟ ମିଳିବନି? ପରୀର ହତ୍ୟାକାରୀ ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ଖୋଲାରେ ବୁଲିବ? ଖୋଦ୍ ପୁଲିସ ମହାନିର୍ଦେଶକ ଏହି ଘଟଣାରେ କିଭଳି ତନାଘନା କରିଛନ୍ତି? କାହିଁକି ବରିଷ୍ଠ ଅଧିକାରୀମାନେ ନୟାଗଡ଼ ଯାଇ ଘଟଣାର ସରଜମିନ୍ ଅନୁଧ୍ୟାନ କରିବା ଲାଗି କୁନ୍ଥକୁନ୍ଥ। ଇତିମଧ୍ୟରେ ୪ମାସ ବିତିଗଲାଣି। ବିଧାନସଭାକୁ ଏହି ପ୍ରସଙ୍ଗ ଆସିବା ପୂର୍ବରୁ ଏହି ଅପରାଧ ସଂପର୍କରେ ପୁଲିସ ମୁଖ୍ୟାଳୟର ବଡ଼ ବାବୁମାନେ ଜାଣିପାରିଲେନି କେମିତି? ଏମିତି ଅୟୁତ ପ୍ରଶ୍ନ ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

କେଉଁଠି ନା କେଉଁଠି ଏହି ଘଟଣାରେ ଜିଲ୍ଲା ପୁଲିସର ଭୂମିକା ଏହି ଘଟଣାରେ ବିତର୍କ ଭିତରକୁ ଆସୁଛି। ଏଇଥିପାଇଁ ଯେ ଘଟଣାରେ ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରିବା ପରେ ପୁଲିସ କିଛି ବି ଟେର୍ ପାଇନାହିଁ। ଏହି ତଥ୍ୟଟି ହିଁ ସୂଚାଇ ଦେଉଛି, ପୁଲିସ କେବଳ ପଚରାଉଚରା, ଆବଶ୍ୟକ ସରକାରୀ ପ୍ରକ୍ରିୟା ଭିତରେ ତାର ତଦନ୍ତକୁ ସୀମିତ ରଖିଛି।

ଜିଲ୍ଲା ଏସ୍‌ପି ପ୍ରତ୍ୟୁଷ ପ୍ରଭାକର ଘଟଣାକୁ ଯେଭଳି ଦୃଷ୍ଟିରେ ଦେଖିବା କଥା, ଏହି ପ୍ରସଙ୍ଗକୁ ଯେତିକି ଗୁରୁତ୍ବ ମିଳିବା କଥା, ସମ୍ଭବତଃ ସେଥିରେ ଊଣା ହୋଇଛି। ଏହି ଘଟଣାରେ ପୁଲିସ ବଡ଼ବାବୁମାନେ କାହିଁକି ଏସ୍‌ପିଙ୍କଠାରୁ ଆରମ୍ଭ କରି ଥାନାଧିକାରୀଙ୍କ ବିରୋଧରେ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିବେନି? ମୁଖ୍ୟମନ୍ତ୍ରୀଙ୍କ ୫-ଟି ଓ ମୋ ସରକାର ଏ କ୍ଷେତ୍ରରେ କି ପ୍ରଭାବୀ ଭୂମିକା ନିର୍ବାହ କଲା?

ସ୍ମରଣ ଥାଉକି, ଅତୀତରେ ମୁଖ୍ୟମନ୍ତ୍ରୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗମାନଙ୍କରେ ଆଖି ପିଛୁଳାକେ ନିଷ୍ପତ୍ତି ନେଉଥିଲେ। ଏମିତି ଯେ ରାଜ୍ୟବାସୀଙ୍କ ଆଖି ଖୋସି ହୋଇଯାଉଥିଲା। ସମ୍ଭବତଃ ସେ ସମୟରେ ନିର୍ବାଚନ ଚାପ ବା ଅନ୍ୟ କୌଣସି କାରଣ ଥିଲା, ଯାହା ଏବେ ନାହିଁ। କିନ୍ତୁ ଏକଥା କେହି ଅସ୍ବୀକାର କରିପାରିବେ ନାହିଁ ଯେ ଗୋଟି ୫ବର୍ଷର ଝିଅର ହତ୍ୟା ପ୍ରସଙ୍ଗ ସରକାରଙ୍କୁ ଅକଳରେ ପକାଇ ଦେଲାଣି। ସରକାର କେବଳ ନିଜେ କାଠଗଡ଼ାରେ ଛନ୍ଦି ହୋଇଛନ୍ତି ତା ନୁହେଁ, ଏହି ପ୍ରସଙ୍ଗକୁ ଆୟୁଧ କରି ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ବିଜେଡିର ଖୁସିକୁ ବିରୋଧୀ ଚୁଟ୍‌କିରେ ଉଡ଼ାଇ ଦେବାରେ ସକ୍ଷମ ହୋଇଛନ୍ତି। ଆଜି ନହେଲେ ବି ଏହା ଆସନ୍ତା ଦିନରେ ମହଙ୍ଗା ପଡ଼ିବା ବିଚିତ୍ର ନୁହେଁ।

ଅନ୍ୟପକ୍ଷରେ ରାଜନୈତିକ ମହଲର କହିବା କଥା, ଏହି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁ ଆଉ ଟିକେ ଅନୁଭବୀ ନେତାଙ୍କ ଭଳି ଦାୟିତ୍ବ ନିଭାଇଥିଲେ ଭଲ ହୋଇଥାନ୍ତା। ତାଙ୍କ ଉପରେ ଥିବା ଉତ୍ତରଦାୟିତ୍ବକୁ ଠିକଣା ଢଙ୍ଗରେ ନିଭାଇଥିଲେ, ଆଜି ବିରୋଧୀ ଏଭଳି ଢଙ୍ଗରେ ସରକାରଙ୍କୁ ହଲାପଟା କରୁନଥାନ୍ତେ। ଏହା ଅରୁଣଙ୍କ ଭଳି ଜଣେ ନେତାଙ୍କ ଠାରୁ ରାଜ୍ୟ ଅବଶ୍ୟ ଅପେକ୍ଷା କରୁଥିଲା। ଏଇ ଯେମିତି ତାଙ୍କ ନିଜ ଅଞ୍ଚଳର ଗୋଟିଏ ଛୋଟ ଝିଅ ଯଦି ଅପହରଣ ହେଉଛି ଓ ପରେ ତାର ଶବ ଜବତ ହେଉଛି, ସେ ଲୋକପ୍ରତିନିଧି ହୋଇ ସାମ୍ନାକୁ ଆସି ଦାୟିତ୍ବଟି ତୁଲାଇଥାନ୍ତେ। ୪ମାସ ଧରି ପୁଲିସ ପ୍ରଶାସନ ପରୀକୁ ନ୍ୟାୟ ଦେଇପାରିଲେ ନାହିଁ। ହତ୍ୟାକାରୀ ଗିରଫ ହେବା ତ ଦୂରର କଥା, ତା ପାଖାପାଖି ପହଞ୍ଚିପାରିଲାନି ପୁଲିସ? ପରୀ ହତ୍ୟାକାଣ୍ଡ ଘଟଣାରେ ଉଭୟ ଅଶୋକ ଓ ସୌଦାମିନୀ ଯେବେ ଅରୁଣଙ୍କ ପାଖରେ ନ୍ୟାୟ ଭିକ୍ଷା କଲେ ସେବେ ମନ୍ତ୍ରୀ ନିଜେ ଏହି ପ୍ରସଙ୍ଗକୁ ଧରି ଗୃହମନ୍ତ୍ରୀ, ଗୃହ ସଚିବ ଓ ଡିଜିପିଙ୍କ ପର୍ଯ୍ୟନ୍ତ ଯାଇପାରିଥାନ୍ତେ। ବଛାବଛା ପୁଲିସକୁ ନେଇ ଘଟଣାର ତନାଘନା ହୋଇଥାନ୍ତା, ତେବେ ଆଜି ସରକାର ସମ୍ଭବତଃ ଅକଳରେ ନ ଥାନ୍ତେ, ମନ୍ତ୍ରୀ ବି? ଏ କ୍ଷେତ୍ରରେ ନବୀନଙ୍କ ‘ମୋ ସରକାର’ଫର୍ମୁଲା ପା​ଳନ ନ ହେବାରୁ ଅରୁଣଙ୍କଠାରୁ ନ୍ୟାୟ ପାଇଲେ ନାହିଁ ବୋଲି ପରୀର ବାପା-ମା’ ବିଧାନସଭା ସାମ୍ନାକୁ ଆସି ଆତ୍ମହତ୍ୟା ଉଦ୍ୟମ କଲେ ବୋଲି ଏହି ମହଲ ମତ ରଖୁଛନ୍ତି।

ଆବଶ୍ୟକ ହେଲେ ଏସ୍‌ଆଇଟି ତଦନ୍ତ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି। ନବୀନ ନିବାସରୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବିବୃତି ରଖି ଶ୍ରୀ ପଟ୍ଟନାୟ କହିଥିଲେ, ଯଦି ଏସ୍‌ଆଇଟି ତଦନ୍ତ ଆବଶ୍ୟକ ପଡ଼େ ତାହେଲେ ସରକାର ଏ ନେଇ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବେ। ତାଙ୍କ ସରକାର ସବୁବେଳେ ମୁକ୍ତ ଓ ଅବାଧ ତଦନ୍ତକୁ ଗୁରୁତ୍ବ ଦେଇଆସିଛନ୍ତି। ସମସ୍ତଙ୍କୁ ନ୍ୟାୟ ଦେବା ତାଙ୍କ ସରକାରଙ୍କ ଆଭିମୁଖ୍ୟ। ଏହି ଘଟଣାରେ ସେ ଗଭୀର ମର୍ମାହତ। ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା ନେଇ ତାଙ୍କ ସରକାର ସବୁବେଳେ ଉଦ୍ୟମ କରି ଆସିଛି। ଏହାସହିତ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିଜେପି ଗ୍ରହଣ କରିନଥିବାବେଳେ ଅପରାହ୍ନ ଅଧିବେଶନରେ କଂଗ୍ରେସ ସଭ୍ୟମାନେ ଗୃହରେ ଚୁପ୍‌ ବସିଥିଲେ। ଅନ୍ୟପଟେ ବିଜେପି ସଭ୍ୟମାନେ କୃଷି ମନ୍ତ୍ରୀ ଅରୁଣା ସାହୁଙ୍କ ବହିଷ୍କାର ଦାବି କରିବା ସହିତ ସିବିଆଇ ତଦନ୍ତ ଦାବିରେ ଅଟଳ ଅଛନ୍ତି।

ସମ୍ବନ୍ଧିତ ଖବର