ପରୀ ହତ୍ୟା ମାମଲାର ଚାର୍ଜସିଟ୍‌, ଗାଈ ମାଲିକଙ୍କ ନଜରରେ ପଡ଼ିଥିଲା ଅଭିଯୁକ୍ତ

ଅଭିଯୁକ୍ତ ଘଟଣା ଦିନ ବିଳମ୍ବରେ ଗାଧୋଇଥିଲା

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ଗତ ୧୫ ତାରିଖ ରାତି‌ରେ ନୟାଗଡ଼ ଚିଲ‌୍‌ଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ତେବେ ଏହି ଚାର୍ଜସିଟ୍‌‌ରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବାର ଭିଡିଓ ପେନ୍‌ଡ୍ରାଇଭ୍‌ ଜରିଆରେ କୋର୍ଟଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ଦୁଇ ଜଣଙ୍କୁ ଏସ୍‌ଆଇଟି ମୁଖ୍ୟ ସାକ୍ଷୀ ଦର୍ଶାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପରୀର ପରିବାର ପୂର୍ବଭଳି ଏସ୍‌ଆଇଟିର ଚାର୍ଜସିଟ୍‌କୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାକ୍ଷୀଙ୍କୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଏପରି ସ୍ଥଳରେ ଚାର୍ଜସିଟ୍‌ରେ ଲେଖାଯାଇଥିବା କେତେକ ଘଟଣା ସାମ୍ନାକୁ ଆସିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି, ଜୁଲାଇ ୧୪ ଅର୍ଥାତ୍‌ ପରୀ ନିଖୋଜ ଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ଉକ୍ତ ଗ୍ରାମର ଜଣେ ଗାଈ ମାଲିକ ନଜରରେ ଅଭିଯୁକ୍ତ ପଡ଼ିଥିଲା। ତାଙ୍କ ଗାଈକୁ ବାନ୍ଧିବାକୁ ସେ ଗୋଡ଼ାଉଥିବା ବେଳେ, ଅଭିଯୁକ୍ତ ଏକ ଜରି ଅଖାରେ କିଛି ଜିନିଷ ନେଇ ପୋଖରୀ କୂଳକୁ ଯାଉଥିବା ସେ ବୟାନ ଦେଇଛନ୍ତି। ତାଙ୍କ ଗାଈ ଅମାନିଆ ହେଇ ଏଣେ‌ତେଣେ ଦଉଡ଼ୁଥିବା ବେଳେ, ସେ ତା’ ପଛରେ ଧାଇଁଥି‌ଲେ। ଏହି ସମୟରେ ଅଭିଯୁକ୍ତ ଉପରେ ତାଙ୍କ ନଜର ପଡ଼ିଥିବା ସେ ବୟାନ ଦେଇଛନ୍ତି। ଏଥିସହିତ ଅଭିଯୁକ୍ତ ନାବାଳକ ପରୀକୁ ହତ୍ୟା, ଦୁଷ୍କର୍ମ ଉଦ୍ୟମ ପରେ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଚାର୍ଜସିଟ୍‌ରେ ଏସ୍‌ଆଇଟି ଉଲ୍ଲେଖ କରିଛି ଯେ, ଅଭିଯୁକ୍ତ ନାବାଳକ ସାଧାରଣତଃ ସକାଳ ପ୍ରାୟ ୯ଟାରୁ ୯ଟା ୩୦ ସୁଦ୍ଧା ଗାଧୋଇଥାଏ। କିନ୍ତୁ ସେଦିନ ପରୀକୁ ହତ୍ୟା ଓ ଦୁଷ୍କର୍ମ ଉଦ୍ୟମ ପରେ ସେ ଅପରାହ୍ଣ ୧ଟାରେ ଗାଧୋଇଥିଲା ଏବଂ ପୋଷାକପତ୍ର ସଫା କରୁଥିଲା। ନିଜକୁ ଭଲ ଭାବ‌େ ସଫା କରିବା ଏହାର ଉଦ୍ଦେଶ୍ୟ ବୋଲି ଅନୁମାନ କରାଯାଉଛି। ପରୀ ନିୟମିତ ଭାବେ ଅଭିଯୁକ୍ତର ଘରକୁ ପଡ଼ୋଶୀ ଘର ଭାବ‌ରେ ଯାଇଥାଏ। ନିଖୋଜ ଦିନ ଅପରାହ୍ଣ ୧ଟାରେ ପରୀର ମା’ ଝିଅକୁ ଖୋଜିବାକୁ ଅଭିଯୁକ୍ତ ନାବାଳକର ଘରକୁ ଯାଇଥିଲେ।

ଅଭିଯୁକ୍ତର ଘର ଭିତରପଟୁ ବନ୍ଦ ରହିଥିଲା। ଅଭିଯୁକ୍ତ ସେଦିନ ଘର ପଛ ପାର୍ଶ୍ବରେ ପୋଷାକ ସଫା କରୁଥବା ଓ ଗାଧୋଉଥିବା ପରୀର ମା’ ଦେଖିଥିଲେ। ପରୀକୁ ଘଟଣା ଦିନ ଅଭିଯୁକ୍ତ ଦେଖିନଥିବା ପରୀର ମା’ଙ୍କୁ ଉତ୍ତର ଦେଇଥିଲା। ଏହାକୁ ସନ୍ଦେହର ଏକ କାରଣ ଭାବେ ମଧ୍ୟ ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଏଭଳି ନାନା କାରଣ ଚାର୍ଜସିଟ୍‌ରେ ଏସ୍‌ଆଇଟି ଉଲ୍ଲେଖ କରିଥିବା ବେଳେ, ଏହାକୁ କୋର୍ଟ କିଭଳି ଗ୍ରହଣ କରୁଛନ୍ତି, ଅଭିଯୁକ୍ତକୁ ଦୋଷୀ ସଜାଇବାରେ ଏହା କେତେ ସହାୟକ ହେଉଛି; ତାହାକୁ ସାଧାରଣରେ ଅପେକ୍ଷା କରାଯାଇଛି। ଏଥିସହିତ ପରୀ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘରୁ ବିଶେଷ ଭାବେ ବାହାରକୁ ବାହାରୁ ନଥିବା, ଯଦୁପୁରକୁ ପୁଲିସ ବାରମ୍ବାର ଯିବାକୁ ଛାତ ଉପରେ, ଘର କାନ୍ଥ ଭଳି ଫାଙ୍କ ସ୍ଥାନରୁ ରହି ନଜର କରୁଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର