ପରୀ ହତ୍ୟା ମାମଲା : ବିରୋଧୀ ଦି’ଭାଗ, ଦୋଷ ଲଦାଲଦି

ବିଜେପି ଜିଦ୍ ଧରିଛି ମନ୍ତ୍ରୀ ଅରୁଣ ଇସ୍ତଫା ଦିଅନ୍ତୁ
ଚାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିରୋଧୀ ଦଳ ମୁଖ୍ୟ ସଚେତକ
ଶାସକ ଦଳକୁ ସୁରକ୍ଷା ଦେଉଛି ବିଜେପି: ନରସିଂହ

ଭୁବନେଶ୍ୱର : ନୟାଗଡ଼ ପରୀ ହତ୍ୟା ଘଟଣାରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଲାଗି ରାସ୍ତା ଖୋଲିବା ପରେ ବି ଗୃହ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରିନାହିଁ। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି ବିଜେପି। ଆଜି ବି ଦିନ ତମାମ ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟମାନେ ନାରାବଜି କରିବା ସହ ହଙ୍ଗାମା କରିଛନ୍ତି। ଏପରିକି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମାଇକ୍‌ ଭାଙ୍ଗିବା ସହ କୋଭିଡ୍‌ ସୁରକ୍ଷା କାଚକୁ ଖସାଇଦେଇଥିଲେ। ଅନ୍ୟପଟେ କଂଗ୍ରେସ ଗୃହ କାର୍ଯ୍ୟରେ ଭାଗ ନେଇଛି। ଗୃହରେ ସ୍ବାଭାବିକ ଅବସ୍ଥା ଫେରିବାରେ ମୁଖ୍ୟ ବିରୋଧୀ ଦଳ କିପରି ବାଧକ ସାଜୁଛି ସେ ନେଇ ଗୃହରେ କେଂଗ୍ରସ ସଦସ୍ୟମାନେ ନାରାବାଜି କରିଥିଲେ। ଆଜି ଗୃହ ମୋଟ ୪ ଥର ମୁଲତବୀ ରହିଥିଲା।

ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଶୂନ୍ୟକାଳ ହେବା ମାତ୍ରେ, ଗତକାଲି ପରି ବିଜେପି ସଦସ୍ୟମାନେ ବ୍ୟାନର ଦେଖାଇ କୃଷି ମନ୍ତ୍ରୀଙ୍କର ବହିଷ୍କାର ଦାବି କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଜେପି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଯେତେ କହିଲେ ବି କେହି କର୍ଣ୍ଣପାତ କରିନଥିଲେ। ହୋହଲ୍ଲା ଭିତରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ରଙ୍କୁ କହିବାକୁ ସୁଯୋଗ ଦେବାରୁ ନୟାଗଡ଼ ନାବାଳିକା ଝିଅ ପରୀ ହତ୍ୟାକାଣ୍ଡ ଘଟଣାରେ ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୃହରାଷ୍ଟ୍ରମନ୍ତ୍ରୀ କିପରି ଉତ୍ତର ରଖିନଥିଲେ ସେ ତାର ପୁନରାବୃତି କରିଥିଲେ। ଶ୍ରୀ ମିଶ୍ର କହିଥିଲେ, ଏହି ଘଟଣାରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତକୁ ଲୋକେ ଗ୍ରହଣ କରିବେ ନାହିଁ। ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ପାଇଁ ସେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିବୃତିର ସଠିକ୍‌ ଅର୍ଥ ପ୍ରକାଶ କରିବାରେ ଗଣମାଧ୍ୟମ ସମର୍ଥ ହୋଇନାହିଁ। ଏଣୁ ସରକାର ସ୍ପଷ୍ଟୀକରଣ ରଖନ୍ତୁ। ବିଧାନସଭାରେ କେବଳ ଗୋଟିଏ ବିଷୟରେ ସ୍ବର ଉତ୍ତୋଳନ ନ କରି ଗତ ଦିନମାନଙ୍କରେ ହାଜତ ମୃତ୍ୟୁ, ନାରୀ ନିର୍ଯାତନା, ହତ୍ୟା, ଲୁଣ୍ଠନ, ବ୍ୟାଙ୍କ ଡକାୟତି ଓ ଗତକାଲି ଯେପରି ପୁଣି ବିଧାନସଭା ସମ୍ମୁଖରେ ୩ ଜଣ ଚାଷୀ ଆତ୍ମହୁତି ଦେବାକୁ ଉଦ୍ୟମ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିବାର ଅଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଲାଣି। ଗତକାଲି ଅପରାହ୍ନରୁ କଂଗ୍ରେସ ସଦସ୍ୟମାନେ ଗୃହରେ ଶାନ୍ତ ରହିଛନ୍ତି। ସ୍ବରାଷ୍ଟ୍ର ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ପ୍ରାୟ ବନ୍ଦ ହୁଏ ନାହିଁ। ବ୍ୟୟ ମଞ୍ଜୁରି ବିଲ୍‌ ବହୁ ଗୁରୁତ୍ବପୂର୍ଣ୍ଣ। ଏସବୁ ବନ୍ଦ କଲେ ଜନସାଧାରଣଙ୍କ ମନରେ ସ୍ବତଃ ପ୍ରଶ୍ନ ଆସିବ କିଛି ଭିତିରି ବୁଝାମଣା ହେଲା ପରି। ତେଣୁ ନୟାଗଡ଼ ପ୍ରସଙ୍ଗରେ ସରକାର ସ୍ପଷ୍ଟ କଲାପରେ ଅନ୍ୟ ବିଷୟ ଉପରେ ଆଲୋଚନା ହେବା ଉଚିତ୍‌। ନ ହେଲେ ବିଧାନସଭା ପ୍ରହସନ ପାଲଟିଯିବ।

ଅପରାହ୍ନରେ ଗୃହରେ ହଙ୍ଗାମା କରିଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍‌ କରି ସେ ଆହୁରି କହିଥିଲେ, ସଂସଦରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରୁଥିବା କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସିବାରୁ ବିଜେପି ସରକାର ୯ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିଥିଲେ। ଚାଷୀ ସ୍ବାର୍ଥ ବିରୋଧୀ ବିଲ୍‌କୁ ସଂସଦରେ ବିରୋଧ କଲେ ଗୃହର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି ବୋଲି କହି ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠା ନିଆଯାଉଛି ଅଥଚ ଏଠି ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା କଲାବେଳେକୁ ହଙ୍ଗାମା କରୁଛନ୍ତି। ବିଧାନସଭାରେ ହୋହଲ୍ଲା କରି ବିଜେପି ଶାସକ ଦଳକୁ ଏକ ପ୍ରକାର ସୁରକ୍ଷା ଦେଉଛନ୍ତି। ଉଭୟଙ୍କ ଭିତରେ ଭିତିରି ବୁଝାମଣା ଅଛି। ଦିଲ୍ଲୀରେ ଗୋଟିଏ ଚେହେରା ଏଠି ଆଉ ଗୋଟିଏ। ଏ ଦୋମୁହାଁ ନୀତି ଚଳିବ ନାହିଁ। ବିଜେପିର ଏପରି ଦଲାଲିଗିରି ବି ଚଳିବନାହିଁ। ୯ଟି ଖଣି କିପରି ଦୁର୍ନୀତି କରି ୩ ହଜାର ୬୦୦ କୋଟି ଟଙ୍କା ହଡ଼ପ କରିଛନ୍ତି। ଆଉ ଏହି ଦୁର୍ନୀତିରେ ସରକାର ସହଯୋଗ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ବି ଲୋକାୟୁକ୍ତ ନୋଟିସ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଗତ ଅଧିବେଶନରେ ଦୁଇ ଦିନ ଧରି ହଙ୍ଗାମା କରିଥିଲେ। କିନ୍ତୁ ଏ ଅଧିବେଶନରେ ଚୁପ୍‌ କାହିଁକି? ଏ ନେଇ ମଧ୍ୟ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏବେ ବିଜେପି ଚୁପ୍ କାହିଁକି? କଣ ପାଇଁ ଆଲୋଚନା କରିବାକୁ କୁନ୍ଥ କୁନ୍ଥ। ଏହା ଭିତରେ କଣ ହେଲାକି?

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ନୟାଗଡ଼ ଘଟଣାରେ ବିଜେପି କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛୁ। ଏସ୍‌ଆଇଟି ଗଠନ ନେଇ ମୁଖ୍ୟମନ୍ତ୍ରୀ ଗତକାଲି ଯେପରି ବିବୃତି ରଖିଛନ୍ତି ତାହା ବୁଝିହେଉନାହିଁ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ସ୍ପଷ୍ଟ ନଥିବାବେଳେ କଂଗ୍ରେସ କିପରି ଗୃହରେ ଶାନ୍ତ ରହିଛି ତାହା ବି ବୁଝିହେଉନାହିଁ। ପରୀର ମା’ ବାବା ତାଙ୍କ ଝିଅର ହତ୍ୟା ନେଇ ବାରମ୍ବାର ଜିଲ୍ଲା ଏସ୍‌ପିଙ୍କୁ ଗୁହାରି କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। କୃଷି ମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ନିରପେକ୍ଷ ତଦନ୍ତ ବ୍ୟାହତ ହେବ, ଏ କଥା କଣ କଂଗ୍ରେସର ବନ୍ଧୁମାନେ ଜାଣିନାହାନ୍ତି। ଏଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ କୃଷି ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଶ୍ରୀ ନାଏକ ଏହି କହିବା ପରେ ବିଜେପି ସଭ୍ୟମାନେ ଆହୁରି ଜୋରରେ ଗୃହରେ ପାଟି କରିଥିଲେ। ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ ସଭ୍ୟ ପ୍ରତାପ କେଶରୀ ଦେବ କହିଥିଲେ, ବିଭିନ୍ନ ନିର୍ବାଚନମଣ୍ଡଳୀର ଜନ ପ୍ରତିନିଧିମାନେ ଏ ଗୃହରେ ସେମାନଙ୍କ ଅଞ୍ଚଳର ସମସ୍ୟା ଉତଥାପନ କରିବା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ବିରୋଧୀ ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ନଦେବା ଦୁର୍ଭାଗ୍ୟଜନକ। ନୟାଗଡ଼ ଘଟଣାରେ ଆବଶ୍ୟକ ପଡ଼ିଲେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି। ବିଜେପି ସଦସ୍ୟମାନେ ନାଟକ କରୁଛନ୍ତି। ଇତିଶ୍ରୀ ଘଟଣାରେ ସିବିଆଇ ତଦନ୍ତ କରିଥିଲା କଣ ହେଲା। ସେହିପରି କୁନ୍ଦୁଲି ଘଟଣାରେ ବି ନ୍ୟାୟିକ ତଦନ୍ତ ହୋଇଥିଲା କି ପ୍ରକାର ସତ୍ୟ ପଦାକୁ ଆସିଲା। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଯେପରି ଭାବେ ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରାଯାଉଛି ତାହ ଗ୍ରହଣୀୟ ନୁହେଁ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲେ, ନୟାଗଡ଼ ଘଟଣାରେ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ଗୃହ ବିଭାଗ ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲଙ୍କୁ ଚିଠି ଲେଖିସାରିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ବମିଖାଲ ବ୍ରିଜ୍‌, କ୍ରାଇମ୍‌ ବ୍ରାଞ୍ଚ୍‌ ଅଫିସରଙ୍କ ହାତରୁ କାଗଜ ଚିରିବା ଘଟଣାଠାରୁ ଆରମ୍ଭ କରି ପରୀ ହତ୍ୟାକାଣ୍ଡ ପର୍ଯ୍ୟନ୍ତ କୃଷି ମନ୍ତ୍ରୀଙ୍କ ନାମ ଆସିଛି। ଗତକାଲି ୩ ଜଣ ଚାଷୀ ପୁଣି ଥରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏ ରାଜ୍ୟର ପୁଲିସ କଣ କରୁଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏସ୍‌ଆଇଟି ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଗୃହରେ ବିଜେପି ସଦସ୍ୟମାନେ ହଙ୍ଗାମା ଜାରି ରଖିବାରୁ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ବିଜେପି ସଦସ୍ୟମାନଙ୍କ ଦୋମୁହାଁ ନୀତି ଓ ଦଲାଲିଗିରି ଚଳିବନି ବୋଲି ପାଲଟା ନାରାବାଜି କରିଥିଲେ। ଏହି ସମୟରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି ଦେଇଥିଲେ। ଗୃହରେ ବିଜେପି ସଦସ୍ୟଙ୍କ ନାରାବାଜି ପାଇଁ ୧୦ଟା ୫୨ରୁ ଅପରାହ୍ନ ୩ଟା, ୩ଟା ୧୭ରୁ ୩ଟା ୪୭, ୪ଟା ୭ରୁ ୪ଟା ୨୦ ଓ ୪ଟା ୩୦ରୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି।

ସମ୍ବନ୍ଧିତ ଖବର