ପରୀ ହତ୍ୟା ଅଡ଼ୁଆ ବଢ଼ିଲା : ଅରୁଣଙ୍କ ବହିଷ୍କାର ଦାବିରେ ଗୃହ ଅଚଳ

ବ୍ୟାନର୍‌ ଓ କଳା ରିବନ୍‌ ମୁଣ୍ଡରେ ବାନ୍ଧି ହଟ୍ଟଗୋଳ କଲେ ବିରୋଧୀ
୫ ଥର ମୁଲତବୀ, କଂଗ୍ରେସ କହିଲା କ୍ରାଇମ୍‌ ବ୍ରାଞ୍ଚ ନୁ‌େହଁ ଏସ୍‌ଆଇଟି
ଅରୁଣଙ୍କ ବିରୋଧରେ ଗର୍ଜିଲେ ବିଜେପି, କଂଗ୍ରେସ ସଭ୍ୟ

ଭୁବନେଶ୍ୱର : ନୟାଗଡ଼ ନାବାଳିକା କନ୍ୟା ପରୀର ହତ୍ୟା ଘଟଣାରେ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଗୃହରେ ବିବୃତି ରଖିଲେ। ସରକାର ଏହି ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ କରିବେ ବୋଲି ଘୋଷଣା କଲେ। କିନ୍ତୁ ସରକାରଙ୍କ ପଦକ୍ଷେପ ବିରୋଧୀଙ୍କୁ ଆଶ୍ବସ୍ତ କରିନି। ଯାହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଛି। ପରୀ ମୃତ୍ୟୁ ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ଅଭିଯୋଗ କରି ଆଜି ବିରୋଧୀ ଦଳ ଦିନ ତମାମ ଗୃହକୁ ଅଚଳ କରିଦେଇଛନ୍ତି। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବ୍ୟାନର୍‌ ଓ କଳା ରିବନ୍‌ ମୁଣ୍ଡରେ ବାନ୍ଧି କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି। ବିରୋଧୀଙ୍କ ନାରାବାଜି ଯୋଗୁ ୫ ଥର ମୁଲତବୀ ହେବା ସହ ଗୃହର କୌଣସି କାର୍ଯ୍ୟ ସମ୍ପାଦନ ହୋଇପାରିନଥିଲା। ବିଜେପି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିବା ବେଳେ କଂଗ୍ରେସ ଶ୍ରମିକ ଏକତା ଓ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ଦାବି କରିଛନ୍ତି।

ଗୁରୁବାର ସକାଳ ୧୦ଟା ୩୦ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପରୀ ହତ୍ୟାକାଣ୍ଡ ଘଟଣାରେ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ। ମନ୍ତ୍ରୀଙ୍କ ବିରୋଧରେ ବ୍ୟାନର୍‌ ପ୍ରଦର୍ଶନ କରିଥିଲେ। ବାଚସ୍ପତି ସେମାନଙ୍କୁ ଶାନ୍ତ ରହିବାକୁ କହିବାରୁ ସେମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି ଆରମ୍ଭ କରିଥିଲେ। ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଧାନସଭା ସଚିବଙ୍କ ଲାଗି ଉଦ୍ଦିଷ୍ଟ ଚୌକିରେ ଚଢ଼ି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ସେହିପରି କଂଗ୍ରେସ ସଭ୍ୟମାନେ ଏହି ଘଟଣାରେ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବାଧାନରେ ଏସ୍‌ଆଇଟି ତଦନ୍ତ ଦାବିରେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ୍‌ ଦେଇଥିଲେ। ଏହାସହିତ ସରକାରଙ୍କ ଶ୍ରମିକ ମାରଣ ନୀତି ଓ ଚାଷୀଙ୍କ ଦାବି ପୂରଣ କରିବାକୁ ଦାବି କରିଥିଲେ। କଂଗ୍ରେସ ସଭ୍ୟମାନେ ମୁଣ୍ଡରେ କଳା ରିବନ୍‌ ବାନ୍ଧି ପାଟିତୁଣ୍ଡ କରିଥିଲେ। ଫଳରେ ଗୃହ କାର୍ଯ୍ୟକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ସକାଳ ୧୦ଟା ୩୪ ମିନିଟ୍‌ରୁ ୧୦ଟା ୫୪, ୧୦ଟା ୫୭ରୁ ଅପରାହ୍ନ ୩ଟା, ଅପରାହ୍ନ ୩ଟା ୧ରୁ ୩ଟା ୧୬, ୩ଟା ୧୬ରୁ ୩ଟା ୩୧ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ୩ଟା ୩୧ରେ ବି ବିରୋଧୀ ଗୃହ ମଧ୍ୟଭାଗକୁ ଆସି ପୁଣି ଥରେ ହୋହଲ୍ଲା ଜାରି ରଖିଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ଶ୍ରୀ ପାତ୍ର ମୁଲତବୀ ଆଲୋଚନାରେ ସମୟ ଧାର୍ଯ୍ୟ ନେଇ ସର୍ବଦଳୀୟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ସମ୍ପାଦନ ପାଇଁ ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ନିଜ ଆସନକୁ ଫେରିଯିବାକୁ ଯେତେ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ। ଶେଷରେ ଗୃହକୁ ଅପରାହ୍ନ ୩ଟା ୩୪ ମିନିଟ୍‌ରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ରଖିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହୋଇପାରିନଥିଲା। ଏହାକୁ ଗିଲୋଟିନ୍‌ ଜରିଆରେ ଗ୍ରହଣ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ।

ଗୃହ ଅଚଳ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ ଗୃହ ବାହାରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୃଷି ମନ୍ତ୍ରୀଙ୍କୁ ବହିଷ୍କାର କରା ନଯିବା ପର୍ଯ୍ୟନ୍ତ ଗୃହ ଚାଲିବନି। ଗତକାଲି ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପାଇଁ ଯାହା ଘୋଷଣା କରିଛନ୍ତି ତାହା ଗ୍ରହଣୀୟ ନୁହେଁ। ପୂର୍ବରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଛି। ଯାହାର କ୍ରାଇମ୍‌ବ୍ରାଞ୍ଚ ବି ତଦନ୍ତ କରିଥିଲା। ହେଲେ କିଛି ବି ଫଳ ମିଳିନାହିଁ। ଏଥରକ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ଆମେ ଗ୍ରହଣ କରିବୁ ନାହିଁ। ପ୍ରଥମେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ପଦରୁ ହଟାଯାଉ ବୋଲି ସେ ଦାବି କରିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପରୀ ହତ୍ୟାକାଣ୍ଡ ନେଇ ରାଜ୍ୟରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିରୋଧରେ ଯେପରି ଅଭିଯୋଗ ଆସିଛି ତାହା ଅତ୍ୟନ୍ତ ସଙ୍ଗୀନ। ଏହାର ତଦନ୍ତ ରାଜ୍ୟ ପୁଲିସର ତଦନ୍ତକୁ ଲୋକ୍ ବିଶ୍ବାସ କରିବେ ନାହିଁ। ନିରପେକ୍ଷ ତଦନ୍ତ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଦ୍ବାରା କରାଯିବା ଦରକାର। କାରଣ ମନ୍ତ୍ରୀ ପଦବିରେ ଥିବାରୁ ତାଙ୍କ ବିରୋଧରେ ପୁଲିସ କେବେ ବି ନିରପେକ୍ଷ ତଦନ୍ତ କରିପାରିବ ନାହିଁ। ଯାହାକୁ ଲୋକେ ଗ୍ରହଣ ବି କରିପାରିବେ ନାହିଁ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତିରେ ବିରୋଧୀ ସନ୍ତୁଷ୍ଟ ନୁହନ୍ତି। ପୂର୍ବଦିନ ଏହି ପ୍ରସଙ୍ଗରେ ବାଚସ୍ପତି ୪ଟି ବିନ୍ଦୁ ଉପରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ଏସ୍‌ପି କାହିଁକି ଏହି ମାମଲାରେ ଉଚିତ ପଦକ୍ଷେପ ନେଇନାହାନ୍ତି ଓ କୃଷି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଉପରେ ବି ଗୃହ ରାଷ୍ଟ୍ର ମନ୍ତ୍ରୀ କିଛି ବି କହିନାହାନ୍ତି। ମନ୍ତ୍ରୀଙ୍କ ବିବୃତି ଉପରେ ତତକ୍ଷଣାତ୍‌ ଆପତ୍ତି ଉଠାଇବାକୁ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ଧାରା ୨୧୪ରେ ବାରଣ କରାଯାଇଛି। ଏଥିପାଇଁ କଂଗ୍ରେସ ଗତକାଲି ଗୃହରେ ଚୁପ୍‌ ରହିଥିଲା। ଶ୍ରୀ ସାଲୁଜା କହିଛନ୍ତି ଯେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରଥମେ ଛବି ନାମକ ଜଣେ ବ୍ୟକ୍ତି ତାଙ୍କ ସରକାରୀ ବାସଭବନରେ ମରିଥିଲେ, କିନ୍ତୁ ସେ ମାମଲାକୁ ଚପାଇ ଦିଆଗଲା। ଦ୍ବିତୀୟରେ ବମିଖାଲ ଓ ସମ୍ବଲପୁର ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଠିକାଦର ପଣ୍ଡା ଇନ୍‌ଫ୍ରା କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନି ସହ ମଧ୍ୟ ମନ୍ତ୍ରୀ ଶ୍ରୀ ସାହୁଙ୍କ ସମ୍ପୃକ୍ତି ଥିଲା ଅଥଚ ସେ ମାମଲାକୁ ବି ଗଡ଼ାଇ ଦିଆଗଲା। ସେହିପରି ଅର୍ଥତତ୍ତ୍ବ (ଏଟି) ଗ୍ରୁପ୍‌ ଚିଟ୍‌ ଫଣ୍ଡ କମ୍ପାନି ଲିଙ୍କର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ୍‌ର ତଦନ୍ତକୁ ମଧ୍ୟ ବାଟବଣା କରାଯାଇଥିଲା। ସେତେବେଳେ ବି ଶ୍ରୀ ସାହୁ ମନ୍ତ୍ରୀ ପଦରେ ଥିଲେ। ପଚରା ଉଚରା କରିବାକୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଘରକୁ ଯାଇଥିଲେ। କିନ୍ତୁ ମନ୍ତ୍ରୀ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀଙ୍କ ଠାରୁ କାଗଜ ଆଣି ଚିରି ଦେଇଥିଲେ। ସେଥିପାଇଁ ପରୀ ହତ୍ୟା ଘଟଣାରେ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତକୁ କଂଗ୍ରେସ ବିରୋଧ କରୁଛି। କେବଳ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତକୁ ଆମେ ଦାବି କରୁଛୁ। ଯଦି ଏହି ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି ତାହେଲେ ତାଙ୍କୁ ଗିରଫ କରାଯାଉ। ଏହାସହିତ ଶ୍ରୀ ସାଲୁଜା ଦାବି କରିଛନ୍ତି କି ଗତକାଲିଠୁ ମନ୍ତ୍ରୀଙ୍କ ସ୍ବର ଥିବା ଯେଉଁ ଅଡିଓ ଭାଇରାଲ୍‌ ହେଉଛି, ତାକୁ ବି ତଦନ୍ତ ପରିସରଭୁକ୍ତ କରାଯିବା ଦରକାର।

ସମ୍ବନ୍ଧିତ ଖବର