ନୟାଗଡ଼ : ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ ଜିଲ୍ଲା ଯଦୁପରରେ ଏସ୍ଆଇଟି ତନାଘନା ଜାରି ରଖିଛି। ପ୍ରାୟ ସପ୍ତାହେ ହେବ ଏସ୍ଆଇଟି ତଦନ୍ତ ଚଳାଇଛି। ଆଜି ଏସ୍ଆଇଟି ଟିମ୍ ପରୀର ଗାଁ ଯଦୁପୁରର ୭୦ରୁ ଅଧିକ ପରିବାର ଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି।
ଏସ୍ଆଇଟି ଟିମ୍ ଗତକାଲି ଯଦୁପୁରର ୨୫ ରୁ ଅଧିକ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା। ଏହି ସଂଗୃହୀତ ରକ୍ତ ନମୁନାରୁ ହତ୍ୟାକାଣ୍ଡ ସମ୍ପର୍କରେ କିଛି ସୁରାକ୍ ମିଳିଥିବା ଆଲୋଚନା ହେଉଛି। ଆଜି ଏସ୍ଆଇଟି ତଦନ୍ତକୁ ତ୍ବରାନ୍ବିତ କରିବା ସହ ଯଦୁପୁର ହରିଜନସାହିର ୭୦ରୁ ଅଧିକ ପରିବାରକୁ ଭେଟି ନାନା ତଥ୍ୟ ସଂଗ୍ରହ କରିଛନ୍ତି। ପରିବାରର ସଦସ୍ୟ ସଂଖ୍ୟା ପଚାରି ବୁଝିବା ସହିତ ପରୀ ହତ୍ୟା ନିଖୋଜ ଦିନ ତୁମେ କେଉଁଠି ଥିଲ, ଘଟଣା ବିଷୟରେ କେତେବେଳେ ଜାଣିଲ, ପରୀ ହତ୍ୟାକାଣ୍ଡ ପୂର୍ବରୁ ଗାଁ’ କୁ କେଉଁମାନେ ଆସିଛନ୍ତି, କିଏ ଗାଁ’ ଛାଡ଼ି ବାହାରକୁ ଯାଇଛନ୍ତି; ସେ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହିତ ସମସ୍ତଙ୍କ ମୋବାଇଲ ନମ୍ବର ମଧ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଆଜି ହରିଜନ ସାହିରେ ଯେଭଳି ଏସ୍ଆଇଟି ଘର ଘର ବୁଲି ଅନୁସନ୍ଧାନ କରିଛି, ଦୁଇ/ତିନି ଦିନ ପୂର୍ବରୁ ଯଦୁପୁରର ସବର୍ଣ୍ଣ ସାହିରେ ଏଭଳି ତଦନ୍ତ କରିଥିଲା। ଏହାପରେ ଗ୍ରାମର ଯୁବକମାନଙ୍କ ରକ୍ତ ନମୁନା ଯାଞ୍ଚ କରିଥିଲା। ସମାନ ଢଙ୍ଗରେ ହରିଜନସାହିର ଯୁବକମାନଙ୍କ ରକ୍ତ ସଂଗ୍ରହ କରାଯିବାର ଯୋଜନା ରହିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2020/12/m18-scaled.jpg)
ଏସ୍ଆଇଟିର କୌଣସି ଅସ୍ତିତ୍ବ ନାହିଁ: ପ୍ରକାଶ ମିଶ୍ର
‘ ଅରୁଣ ବୋଥ୍ରାଙ୍କ ପୁଲିସ କ୍ଷମତା ନାହିଁ, ସିବିଆଇ ତଦନ୍ତ ଦାବିରେ ବିଜେପିର ଧାରଣା ଜାରି
ନୟାଗଡ଼ : ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସ୍ଆଇଟିକୁ ନେଇ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିବା ବେଳେ, ଆଜି ବିଜେପି ନେତା ତଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ମଧ୍ୟ ଆପତ୍ତି ଉଠାଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ସିଆର୍ପିସି ଅନୁଯାୟୀ ଅନୁସନ୍ଧାନ କେବଳ ଥାନା କରିପାରିବ। ଏସ୍ଆଇଟିର ସିଆର୍ପିସିରେ କୌଣସି ଅସ୍ତିତ୍ବ ନାହିଁ। ଯେତେବେଳେ ସିବିଆଇ ଅନୁସନ୍ଧାନ କରେ ସେତେବେଳେ ସିବିଆଇର ଅଫିସରମାନଙ୍କୁ ନେଇ ଏସ୍ଆଇଟି ଗଠନ କରାଯାଏ। ଅରୁଣ ବୋଥ୍ରା ବର୍ତ୍ତମାନ ଓଏସ୍ଆର୍ଟିସିର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ପୁଲିସ କ୍ଷମତା ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଏସ୍ଆଇଟି ଗଠନ କରାଇ ତଦନ୍ତ କରୁଛନ୍ତି, ତାହାର ଅନୁସନ୍ଧାନକୁ କୋର୍ଟ ଗ୍ରହଣ କରିବା ନେଇ ସନ୍ଦେହ ରହିଛି। ସିବିଆଇ ତଦନ୍ତ ଦାବିେରେ ବିଜେପି ପକ୍ଷରୁ ଚାଲିଥିବା ଗଣଧାରଣାରେ ଯୋଗ ଦେବା ଅବସରରେ ଶ୍ରୀ ମିଶ୍ର ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ ଏସ୍ଆଇଟି ତଦନ୍ତକୁ ନେଇ ବିଜେପି ଆରମ୍ଭରୁ ସନ୍ଦେହ ପ୍ରକାଶ କରିଥିଲା। ମାମଲାର ସିବିଆଇ ତଦନ୍ତ ସହ ପରୀ ହତ୍ୟାଘଟଣାର ସନ୍ଦିଗ୍ଧକୁ ସୁରକ୍ଷା ଦେଇଥିବା ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଆସୁଛି। ପରୀ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା ଏହି ଧାରଣା ଆଜି ତୃ୍ତୀୟ ଦିନରେ ପହଞ୍ଚିଛି। ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ, ଇରାନୀ ରାୟ, ପରୀ ବାପା ଅଶୋକ ସାହୁ, ମା’ ସୌଦାମିନୀ ସାହୁ, ଅର୍ଚ୍ଚନା ନାୟକ, ପ୍ରଦୀପ୍ତ କୁମାର ସାହୁ, ଦିଲୀପ ସ୍ବାଇଁ, ସରୋଜ ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଧାରଣାରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Prakash-Mishra.jpg)