ନୟାଗଡ଼: ନୟାଗଡ଼ ଯଦୁପୁରର ନାବାଳିକା ପରୀ ହତ୍ୟା, ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କଲେଜ ଛାତ୍ରକୁ ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ପୁଲିସ ନୟାଗଡ଼ ପୋକ୍‌ସୋ କୋର୍ଟରେ ହାଜର କରିଛି। ମାମଲାର ଗୁରୁତ୍ବ ଦୃଷ୍ଟିରୁ ଅଧିକ ‌ଖୋଳତାଡ଼ ପାଇଁ ତାକୁ ସ୍ବତନ୍ତ୍ର ଅନୁସନ୍ଧା‌ନକାରୀ ଦଳ (ଏସ୍‌ଆଇଟି)କୁ ୩ ତିନିଆ ରିମାଣ୍ଡ୍‌ରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଆଜି ଅଭିଯୁକ୍ତକୁ ନୟାଗଡ଼ ଜେଲ୍‌ରେ ରଖାଯାଇଛି। ଆସନ୍ତାକାଲିଠାରୁ ଅଭିଯୁକ୍ତକୁ ରିମାଣ୍ଡରେ ନେବ ଏସ୍‌ଆଇଟି। ଅପରପକ୍ଷେ ପରୀକୁ କିଭଳି ହତ୍ୟା କଲା, ତାର ଶବ କେଉଁ ଜାଗାରେ ଲୁଚାଇଥିଲା, ପୋଖରୀ ନିକଟରେ କିଭଳି ଶବ ଫିଙ୍ଗିଲା ସେ ସବୁର ଡେମୋ ଦେଖାଇବାକୁ ଅଭିଯୁକ୍ତ ଏସ୍‌ଆଇଟି ନିକଟରେ ରାଜି ହୋଇଥିଲା। ହେ‌ଲେ ଘରେ ପହଞ୍ଚିବା ପରେ ‘ମୁଁ କିଛି କରିନାହିଁ, ମତେ ବାଡ଼େଇ ବାଡ଼େଇ ମାରିଦେ‌ଲେ ବି କିଛି କହିବିନି’ ବୋଲି ଚିତ୍କାର କରିଥିଲା। ତାକୁ ସମ୍ଭାଳିବା ପୁଲିସ ପାଇଁ ମୁସ୍କିଲ ହୋଇପଡ଼ିଥିଲା। ପୁଲିସ ବାଧ୍ୟ ହୋଇ ତାକୁ ଫେରାଇ ନେଇଥିଲା।

Advertisment

ପରୀ ହତ୍ୟା ମାମଲାରେ ଏହି ନାବାଳକ ନୃଶଂସତାର ସୀମା ଟପିଯାଇଛନ୍ତି। ମାମଲାରେ ଏହି ଛାତ୍ର ହିଁ ମୁଖ୍ୟ ଅଭିଯୁକ୍ତ , ତା ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି। ସେ କହିଲେ ଯେ ଗିରଫର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କୁ ବାରମ୍ବାର ପଚରାଉଚରା କରାଯାଇଥିଲା। ଜିଲ୍ଲା ପୁଲିସ ମଧ୍ୟ ପଚରାଉଚରା କରିଥିଲା। ସନ୍ତୋଷଜନକ ପ୍ରମାଣ ମିଳିଲା ପରେ ତାକୁ ଗିରଫ କରାଯାଇଛି। ତାକୁ କିଏ ସହ‌ଯୋଗ କରିଛନ୍ତି, ଆଉ କିଏ ଏଥିରେ ସମ୍ପୃକ୍ତ ସେ ନେଇ ଅନୁସନ୍ଧାନ ଚାଲିଛି। ହତ୍ୟାକାଣ୍ଡ କାରଣ ଖୋଜିବା ବେଳେ ‌‌ଯୌନ ନିର୍ଯାତନା ପ୍ରମୁଖ କାରଣ ବୋଲି ଜାଣିବାକୁ ପାଇଥିଲୁ। ସେହି ଦିଗ‌ରେ ତଦନ୍ତ ଆଗେଇବା ପରେ ଆମେ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲୁ। ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ଏସ୍‌ଆଇଟି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ନେଇଥିଲା। ଏହାପରେ ଅଭିଯୁକ୍ତକୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରୁ ଅଭିଯୁକ୍ତକୁ ତାର ଗାଁ’କୁ ନିଆଯାଇଥିଲା। ତା’ର ପରିବାରକୁ ଅଭିଯୁକ୍ତ ଭେଟାଇବା ସହିତ ‌ଡେ‌ମୋ ଦେଖାଇବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହା ହୋଇ ପାରିନଥିଲା।

ଅଭିଯୁକ୍ତର ବାଡ଼ି ପଛପଟେ ଥିବା ଏକ ପୋଖରୀରେ ‘ପରୀ’ ହତ୍ୟାକାଣ୍ଡର ପ୍ରମାଣ ଥିବା ଏସ୍‌ଆଇଟି ସନ୍ଦେହ କରୁଛି। ଏପରିକି ଆଜି ଅଭିଯୁକ୍ତ ଡେମୋ ଦେଖାଇଲେ, ଏହି ପୋଖରୀର ଜଳ ନିଷ୍କାସନ କରାଯାଇ ପ୍ରମାଣ ସଂଗ୍ରହ କରିବାକୁ ଏସ୍‌ଆଇଟି ଯୋଜନା କରି ଦମକଳ ବିଭାଗକୁ ପ୍ରସ୍ତୁତ କରି ରଖିଥିଲା। ମାତ୍ର ଅଭିଯୁକ୍ତ ଡେମୋ ନ ଦେଖାଇବାରୁ ଏସ୍‌ଆଇଟି ଆଉ ପୋଖରୀର ଜଳ ନିଷ୍ପାସନ କରିବାକୁ ଚାହିଁ ନଥିଲା। ସୂଚନାଯୋଗ୍ୟ ଯେ ଗିରଫ ଅଭିଯୁକ୍ତର ବାଡ଼ି ପଛ ପଟରୁ ପରୀର ୧୦/୧୨ ଖଣ୍ଡ ହାଡ଼ ସହ ଖପୁରୀ ଜବତ ହୋଇଥିଲା। ପରୀର ପୋଷାକ ସମେତ ଅନ୍ୟାନ୍ୟ ହାଡ଼ ଏହ‌ି ପୋଖରୀ ମଧ୍ୟରେ ଫିଙ୍ଗା ଯାଇଥିବା ଏସ୍‌ଆଇଟି ସନ୍ଦେହ କରୁଛି।