ପରୀ ହତ୍ୟା ଘଟଣା : ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ୍‌

ଗୃହରେ ବିବୃତି ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ, ପରୀ ମା’ର ଅଭିଯୋଗ ସଂପର୍କରେ ନିରବ

ଭୁବନେଶ୍ୱର : ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ୍‌କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ସମ୍ପର୍କରେ ଆଜି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ତେବେ ପରୀ ମା’ ଓ ବାପା ଯେଉଁ ବାବୁଲି ନାୟକର ଗିରଫଦାରି କରାଯାଉନଥିବା କଥା ଉଠାଇଥିଲେ ଓ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକା ନେଇ ଆପତ୍ତି କରିଥିଲେ ସେ ସଂପର୍କରେ ମନ୍ତ୍ରୀ କିଛି ବି କହିନାହାନ୍ତି। ଗତକାଲି ବିଧାୟକମାନେ ଅରୁଣଙ୍କ ନାମ ନେଇ ନ ଥିଲେ ହେଁ, ଜଣେ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଗୃହରେ ତମ୍ବିତୋଫାନ କରିଥିଲେ।

ପରୀ ହତ୍ୟାକାଣ୍ଡ ଓ ତା’ ବାପା, ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଗତକାଲି ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଆଜି ଅପରାହ୍ନରେ ମନ୍ତ୍ରୀ ବିବୃତି ରଖି କହିଥିଲେ ଯେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ଅଶୋକ କୁମାର ସାହୁ ତାଙ୍କ ୫ ବର୍ଷର ଝିଅ ନିଖୋଜ ଥିବାର ଲିଖିତ ଭାବେ ଥାନାରେ ଜଣାଇଥିଲେ। ତାଙ୍କ ଅଭିଯୋଗକ୍ରମେ ୧୪/୦୭/୨୦୨୦ରେ ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ସବ୍‌ ଇନ୍ସପେକ୍ଟର୍‌ ଏସ୍ କେ ଦାସଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଝିଅର ଅନୁସନ୍ଧାନ ପାଇଁ ଭିଏଚ୍‌ଏଫ୍‌ ବାର୍ତ୍ତା ମାଧ୍ୟମରେ ସମସ୍ତ ଥାନାକୁ ଜଣାଇ ସାକ୍ଷୀମାନଙ୍କୁ ପଚରା ଉଚୁରା କରାଯାଇଥିଲା। କ୍ରିମିନାଲ୍‌ ଇଣ୍ଟେଲିଜେନ୍ସ ଗେଜେଟ୍‌ରେ ପ୍ରକାଶନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କେବଳ ସେତିକି ନୁହେଁ, ସନ୍ଧାନୀ ପୁଲିସ୍‌ କୁକୁର ମଧ୍ୟ ନିୟୋଜିତ ହୋଇଥିଲେ।

ମନ୍ତ୍ରୀ କହିଥିଲେ ଯେ ୨୩/୭/୨୦୨୦ ଅପରାହ୍ନରେ ଅଭିଯୋଗକାରୀ ତାଙ୍କ ଘର ପଛ ଗ୍ରାମ୍ୟ ‌େପାଖରୀର ଉତ୍ତର ପଟ ବନ୍ଧରେ ତାଙ୍କ ଝିଅର ଶବ ପଚାଶଢ଼ା ଅବସ୍ଥାରେ ଏକ ଅଖା ଭିତରେ ବନ୍ଧା ହୋଇ ପଡ଼ିଥିବାର ଦେଖିଥିଲେ। ସଦର ଥାନା ଇନ୍ସପେକ୍ଟର୍‌ ରୀନାରାଣୀ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ିଥିଲା ଯେ ଦୁର୍ବୃତ୍ତମାନେ ଝିଅଟିକୁ ଅପହରଣ କରି ହତ୍ୟା କରିଛନ୍ତି। ତେଣୁ ମାମଲାଟି ଦଫା ୩୬୩/୩୬୪/୩୦୨/୨୦୧ ଆଇପିସିକୁ ରୂପାନ୍ତରିତ ହୋଇଥିଲା। ଥାନା ଇନ୍ସପେକ୍ଟର୍ ତୁରନ୍ତ ଏସ୍‌୍ଆଇଙ୍କ ଠାରୁ ନିଜେ ତଦନ୍ତ ଭାର ଗ୍ରହଣ କରିଥିଲେ। କ୍ର‌ାଇମ୍‌ବ୍ରାଞ୍ଚ୍‌ର ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଦଳ ୨୪/୭/୨୦୨୦ ସକାଳ ୯ଟାରେ ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲ୍‌ଦାର ଭିକାରୀ ସାହୁ, ସଂପୃକ୍ତ ନାବାଳିକାଙ୍କ ଘର ଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଶବ ଅନୁସନ୍ଧାନ କରାଯାଇଥିଲା। କଟକ ଏସ୍‌ସିବି ମେଡିକାଲ୍‌ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ଏସ୍କର୍ଟ ପାର୍ଟି ସହାୟତାରେ ପଠାଯାଇଥିଲା।

ବ୍ୟବଚ୍ଛେଦରୁ ଜଣାପଡ଼ିଥିଲା ଯେ ତାହା ଜଣେ ୫-୬ ବର୍ଷର ଝିଅ ମୃତଦେହ। ଯେହେତୁ ଶବ ପଚି ଯାଇଥିଲା ତେଣୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା କି ନାହିଁ ଜଣା ପଡ଼ି ନ ଥିଲା କି ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା। ସେତେବେଳକୁ ମୃତ୍ୟୁ ଠାରୁ ଏକ ସପ୍ତାହରୁ ଅଧିକ ବିତିଯାଇଥିଲା। ରାଜ୍ୟ ଫୋରେନ୍‌ସିକ୍ ସାଇନ୍ସ ଲାବରେଟୋରିରେ ଡିଏନ୍‌ଏ ଟେଷ୍ଟ୍‌ କରି ଝିଅର ପିତା ମାତାଙ୍କର ରକ୍ତ ନମୁନା ସହିତ ମ୍ୟାଚ୍ କରାଗଲା ପରେ ତାହା ଅଭିଯୋଗକାରୀଙ୍କ ନିଜ ଝିଅ ବୋଲି ପ୍ରମାଣିତ ହୋଇଥିଲା। ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପଲିଗ୍ରାଫ୍‌ ପରୀକ୍ଷା କରାଯାଇଛି। ସମସ୍ତ ସନ୍ଦିଗ୍ଧଙ୍କ କଲ୍‌ ରେକର୍ଡକୁ ଯାଞ୍ଚ୍ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ସନ୍ଦିଗ୍ଧଙ୍କ ଆର୍ଥିକ କାରବାରକୁ ତନଖି କରାଯାଇଛି। ୩୪ ଜଣ ସନ୍ଦିଗ୍ଧ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରାଯାଇଛି। ମାମଲାଟିକୁ ନୟାଗଡ଼ ଏସ୍‌ଡିପିଓ ତଦାରଖ କରୁଛନ୍ତି।

ବିଧାନସଭା ସୁରକ୍ଷା ବଳୟ ଭାଙ୍ଗି ନାବାଳିକାଙ୍କ ବାପା-ମା’ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ ଏଜି ଛକରୁ ସଚିବାଳୟ ମାର୍ଗ ଏକ ସାର୍ବଜନୀନ ରାସ୍ତା ଅଟେ। ୨୪ ତାରିଖରେ ଅଶୋକ କୁମାର ସାହୁ ଓ ତାଙ୍କ ପତ୍ନୀ ସୌଦାମିନୀ ସାହୁ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ସଚିବାଳୟ ରାସ୍ତାର ବିଧାନସଭା ଅଭ୍ୟର୍ଥନା ପ୍ରକୋଷ୍ଠ ସମ୍ମୁଖରେ ଚାଦର ଘୋଡ଼ାଇ ହୋଇ ଆସି ତାଙ୍କ ସାଙ୍ଗରେ ବୋତଲରେ ଆଣିଥିବା କିରାସିନି ନିଜ ଉପରେ ଢାଳୁଥିଲା ବେଳେ ପୁଲିସ୍‌ କର୍ମଚାରୀଙ୍କ ନଜରକୁ ଆସିଥିଲା। ତତ୍‌କ୍ଷଣାତ୍‌ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କ ଠାରୁ ବୋତଲ ଜବତ କରି କୌଣସି ପ୍ରକାର ଆତ୍ମଦାହ କରିବା ପୂର୍ବରୁ ପୁଲିସ୍‌ ହେପାଜତକୁ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର