ହାଇକୋର୍ଟରେ ପରୀ ହତ୍ୟା ପ୍ରସଂଗ : ସିବିଆଇ ତଦନ୍ତ ପାଇଁ ଦୁଇଟି ଜନସ୍ବାର୍ଥ ମାମଲା

ପୀଡ଼ିତ ପରିବାରକୁ କ୍ଷତିପୂରଣ ଓ ସୁରକ୍ଷା ପ୍ରଦାନ ପାଇଁ ନିବେଦନ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ରାଜ୍ୟର ଜଣେ ମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ତେଣୁ ଘଟଣାର ତଦନ୍ତ ହାଇକୋର୍ଟଙ୍କ ତତ୍ବାବଧାନରେ ହେଉ ନଚେତ ସିବିଆଇ ଦ୍ବାରା ତଦନ୍ତ କରାଯାଉ। ପୀଡ଼ିତଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ଏବଂ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଏଭଳି ଆବେଦନ କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପ୍ରଥମ ମାମଲାଟି ଗତ ବୁଧବାର ଦିନ ହାଇକୋର୍ଟର ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଦ୍ବିତୀୟ ଆବେଦନଟି ଆଜି ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ରୁଜୁ କରିଛନ୍ତି।

ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ୨୦୨୦, ଜୁଲାଇ ୧୪ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କରି ପରୀକୁ ପାଇ ନ ଥିବାବେଳେ ଏ ନେଇ ଜୁଲାଇ ୧୪ରେ ନୟାଗଡ଼ ସଦର ଥାନାରେ ଏତଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତରୁ କିଛି ଫଳ ନ ମିଳିବାରୁ ପରିବାର ଲୋକେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। କେହି ଦୁର୍ବୃତ୍ତ ପରୀକୁ ହତ୍ୟା କରିବା ପରେ ଅଖାରେ ତା’ର ଶବ ବାନ୍ଧି ପକାଇ ଦେଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ମାସ ପରେ ମାସ ବିତିଥିଲେ ମଧ୍ୟ ପରୀ ହତ୍ୟା ମାମଲାର ତଦନ୍ତରେ ଅଗ୍ରଗତି ହୋଇ ନ ଥିଲା। ଅନ୍ୟପକ୍ଷରେ ରାଜନୈତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ ନଚେତ୍‌ ସ୍ବାଧୀନ ଏଜେନ୍ସି ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଦୋଷୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହିତ ନୟାଗଡ଼ ଏସ୍‌ପିଙ୍କୁ ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆଇନଜୀବୀ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ସିବିଆଇ ପକ୍ଷରୁ ତଦନ୍ତ ହେଲେ ଅଭିଯୁକ୍ତଙ୍କ ସହିତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କ ପ୍ରକୃତ ସ୍ବରୂପ ଜଣାପଡ଼ିବ। ଏଥିସହିତ ପରୀର ବାପା-ମାଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ମହାପାତ୍ରଙ୍କ ତରଫରୁ ସୁଜାତା ମହାନ୍ତି ଓ ପରିଷଦ ତରଫରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର