ନୟାଗଡ଼/ଭୁବନେଶ୍ବର: ନୟାଗଡ଼ ଯଦୁପୁରର ନାବାଳିକା ଅମ୍ରିତା ସ୍ନେହା ସାହୁ ଓରଫ୍ ପରୀ ହତ୍ୟା ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀ(୧୭)ଙ୍କୁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି) ଉଠାଇ ନେଇଛି। ସରୋଜଙ୍କ ସହ ତାଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଏସ୍ଆଇଟି ଉଠାଇ ନେଇଥିବା ବେଳେ ସନ୍ଧ୍ୟାସୁଦ୍ଧା ମା’-ଭଉଣୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସରୋଜଙ୍କୁ ତାଙ୍କ ଘରେ ପ୍ରାୟ ୪ ଥର ପଚରାଉଚରା କରିଥିଲେ। ସରୋଜଙ୍କ ମୋବାଇଲ୍ ମଧ୍ୟ ଜବତ୍ କରାଯାଇଥିଲା। ମୋବାଇଲରେ ପଡ଼ିଥିବା ଏକ ଫାଇଲ୍ର ପାସ୍ୱାର୍ଡ ସରୋଜ ଦେଉ ନ ଥିବା ଅଭିଯୋଗ ଆସିଥିଲା। ଉକ୍ତ ମୋବାଇଲ ତାଙ୍କ ବଡ଼ ଭଉଣୀର ବୋଲି ସରୋଜ ଗଣମାଧ୍ୟମରେ କହିଥିଲେ। ତାଙ୍କ ଭଉଣୀ ମଧ୍ୟ ଏହି ପାସ୍ୱାର୍ଡ ବିଷୟରେ ଜାଣି ନ ଥିବା କହିଥିଲେ। ଏଭଳି ସ୍ଥିତିରେ ଏସ୍ଆଇଟି ଆଜି ସରୋଜ ଓ ତାଙ୍କ ପରିବାରବର୍ଗଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ଉଠାଇ ନେବା ନେଇ ସନ୍ଦେହ ବଢ଼ିଛି। ଏସ୍ଆଇଟି ହାତରେ ଆଉ କିଛି ଠୋସ୍ ପ୍ରମାଣ ମିଳିଥିବା ନେଇ ଚର୍ଚ୍ଚା ହେଉଛି।
ସରୋଜ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ଚିତ୍ରିତ ହେଉଛନ୍ତି। ତେବେ ଏସ୍ଆଇଟି ଏହି ୩ ଜଣଙ୍କୁ ଭୁବନେଶ୍ବର କିମ୍ବା ନୟାଗଡ଼ର କୌଣସି ଅଜ୍ଞାତ ସ୍ଥାନରେ ରଖି ଜେରା କରିଥିବା ଅନୁମାନ କରାଯାଉଛି। ସନ୍ଧ୍ୟା ବେଳେ ସରୋଜଙ୍କ ମା’, ଭଉଣୀଙ୍କୁ ଏସ୍ଆଇଟି ଘରେ ଆଣି ଛାଡ଼ିଥିବା ଜଣାପଡ଼ିଛି। ତେବେ ସରୋଜଙ୍କୁ ନେଇ ସାଧାରଣରେ ମଧ୍ୟ ସନ୍ଦେହ ବଢ଼ୁଛି। ପୂର୍ବରୁ ସରୋଜଙ୍କୁ ସଦର ଥାନା ପୁଲିସ ୮ଥର ଜେରା କରିଥିବା ବେଳେ କିଛି ସୁରାକ୍ ପାଇ ପାରି ନ ଥିବା କହିଥିଲା। ଏସ୍ଆଇଟି ପୂର୍ବରୁ ଜିଲ୍ଲା ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ସରୋଜଙ୍କ ମା’ର ଲାଏ ଡିଟେକ୍ସନ କରାଇବାକୁ ଯୋଜନା କରିଥିଲା। ଏସ୍ଆଇଟି ଆସିବା ପରେ ଏହି ପରିବାରକୁ ପୁଣି ଫୋକସ୍ କରିବା ଚର୍ଚ୍ଚା ବଢ଼ାଉଛି। ସରୋଜଙ୍କ ପରିବାର ପରୀ ପରିବାରର ପଡ଼ୋଶୀ ହୋଇଥିବା ବେଳେ ସରୋଜଙ୍କ ବାଡ଼ି ପାର୍ଶ୍ବରୁ ପରୀର ଶବ ଉଦ୍ଧାର ହୋଇଥିଲା। ତେବେ ସରୋଜଙ୍କ ବ୍ୟବହାର, ଗଣମାଧ୍ୟମରେ ବିବୃତି ତାଙ୍କ ପ୍ରତି ସନ୍ଦେହ ଘନୀଭୂତ କରାଉଛି। ସରୋଜଙ୍କର ଡିସେମ୍ବର ୨ ତାରିଖରେ ଏସ୍ଆଇଟି ରକ୍ତ, ଲାଳ ଆଦି ପରୀକ୍ଷା କରାଇଥିଲା। ଏଥି ସହିତ ସର୍କିଟ୍ ହାଉସ ନେଇ ତାଙ୍କୁ ଜେରା କରିଥିଲା। ସେତେବେଳେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିଥିବା ବେଳେ ସେ ବୋଥ୍ରାଙ୍କ ନାମରେ କିଛି ଅଭିଯୋଗ କରି ନ ଥିଲେ।
ତେବେ ପ୍ରାୟ ସପ୍ତାହକ ପରେ ସର୍କିଟ୍ ହାଉସରେ ଜେରା ବେଳେ ବୋଥ୍ରା ତାଙ୍କୁ ଫସାଇବାକୁ ପ୍ରବର୍ତ୍ତାଉଥିବା, ନାବାଳକ ଭାବେ ସଜା କମ୍ କରିଦେବେ, ୫ ଲକ୍ଷ ଟଙ୍କା ଯାଚୁଥିବା କହିବା ଯୋଗୁଁ ସନ୍ଦେହ ସୃଷ୍ଟି ହୋଇଛି। କାହା ପ୍ରରୋଚନାରେ ସରୋଜ ଏଭଳି ନାଟକ କଲେ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସବୁଠୁ ବଡ଼ କଥା ହେଲା, ସରୋଜ ଏବେ ବି ନାବାଳକ। ତାଙ୍କ ଜନ୍ମ ତାରିଖ ୦୬/୦୨/୨୦୦୩। ୨୦୨୧ ଫେବ୍ରୁଆରିରେ ତାଙ୍କୁ ୧୮ ବର୍ଷ ହେବ। ଏଭଳି ସ୍ଥିତିରେ ଏସ୍ଆଇଟି ମୁଖ୍ୟ ଶ୍ରୀ ବୋଥ୍ରା ତାଙ୍କୁ ନାବାଳକ କହି ଦୋଷ ସ୍ବୀକାର କରିବାକୁ ଶିଖାଇବେ କାହିଁକି? ଏପରିକି ସରୋଜ ଉତ୍ତେଜିତ ହୋଇ ଗଣମାଧ୍ୟମରେ କହିଥିଲେ ଯେ ଜବତ ମୋବାଇଲରୁ ଯଦି କିଛି ସୁରାକ ଏସ୍ଆଇଟି ନ ପାଏ, ତେବେ ଶ୍ରୀ ବୋଥ୍ରାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବେ। ସରୋଜଙ୍କର ଏଭଳି ଆଚରଣ ପିଲାଳିଆମି ନା ସେ ବାସ୍ତବରେ କିଛି ଲୁଚାଇବାକୁ ଏଭଳି ଆଚରଣ କରୁଛନ୍ତି, ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି।
ଅପରପକ୍ଷରେ ଏସ୍ଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର) ଜାତୀୟ ସ୍ତରର ତଦନ୍ତକାରୀ ସଂସ୍ଥାକୁ ମାମଲାର ତଦନ୍ତ ଦାୟିତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଭିଯୋଗକୁ ଆଧାର କରି ଆୟୋଗ ଏହି ସୁପାରିସ କରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଆୟୋଗ ପ୍ରଦାନ କରିଥିବା ଏକ ଚିଠିରେ ଦର୍ଶାଯାଇଛି ଯେ ସମ୍ବିତ ପାତ୍ରଙ୍କ ଅଭିଯୋଗ ପରେ ଏନ୍ସିପିସିଆର୍ ମାମଲାର ତଦନ୍ତ କରିଥିଲେ। ତଦନ୍ତ ବେଳେ ପୁଲିସର ଅବହେଳା ସ୍ପଷ୍ଟ ହୋଇଥିଲା। ବାଳିକାର ଶବ ମିଳିବା ପରେ ପୁଲିସ୍ ଅଭିଭାବକଙ୍କର ବୟାନ ରେକର୍ଡ କରି ନ ଥିଲା। ତଦନ୍ତର ମୂଳରେ ଯେଉଁଠି ତ୍ରୁଟି ରହିଯାଇଛି ସେଠାରେ ଏସ୍ଆଇଟିର ତଦନ୍ତ ମଧ୍ୟ ବିଶ୍ବାସଯୋଗ୍ୟ ନୁହେଁ। ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଏନ୍ସିପିସିଆର ନୟାଗଡ଼ ଏସ୍ପି ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ। ଉଭୟଙ୍କର ରିପୋର୍ଟ ଅସମ୍ପୂର୍ଣ୍ଣ ଥିଲା। ଯେତେବେଳେ ଶୁଣାଣି ହୋଇଥିଲା ସେତେବେଳେ ଉଭୟ ଅଧିକାରୀ କହିଥିଲେ କି ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଛି। ଏଣୁ ଉଭୟ ଅଧିକାରୀ ଭୁଆଁ ବୁଲାଉଥିବା ଜଣାପଡ଼ିଥିଲା। ଏବେ ଯେଉଁ ଆଧାରରେ ଏସ୍ଆଇଟି ତଦନ୍ତ କରୁଛି ତାହା ଏକ ଭୟଙ୍କର ପରିଣତି ଆଡ଼କୁ ଗତି କରୁଛି। ଆଗକୁ ଆଉ ଉପଯୁକ୍ତ ତଦନ୍ତ କରିବା ସମ୍ଭବ ହେବ ନାହିଁ। ଯେଉଁମାନେ ଅବହେଳା କରି ତଦନ୍ତରେ ବିଳମ୍ବ କରିଛନ୍ତି ବା ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନରେ ବାଧା ଦେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆୟୋଗ ସୁପାରିସ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fh49fs498s47s987fh98hfs79fsh.jpg)