ପରୀ ହତ୍ୟା ମାମଲା: ଯୁବକଙ୍କୁ ଉଠାଇ ନେବାବେଳେ ଏସ୍‌ଆଇଟିକୁ ବିରୋଧ

ଗାଁ ମୁଣ୍ଡରେ ବାଡ଼ ପକାଇଦେଲେ ଗ୍ରାମବାସୀ, ଯଦୁପୁରରେ ସବର୍ଣ୍ଣ-ଅସବର୍ଣ୍ଣ ସାହି ବିବାଦ

ନୟାଗଡ଼: ପରୀର ଗାଁ ନୟାଗଡ଼ର ଯଦୁପୁରରେ ଆଜି ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ)କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏସ୍‌ଆଇଟି ଟିମ୍‌ ଆଜି ଜଣେ ଯୁବକଙ୍କୁ ଆଣିବାକୁ ଯାଇଥିବା ବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଫଳରେ ଏସ୍‌ଆଇଟିକୁ ଖାଲି ହାତରେ ଆସିବାକୁ ପଡ଼ିଛି। ଏହିଭଳି ଘଟଣାକୁ କେନ୍ଦ୍ରକରି ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣ ସାହି ମଧ୍ୟରେ ପାଚେରି ସୃଷ୍ଟି ହୋଇଛି। ତଦନ୍ତ ଆଳରେ ଏସ୍‌ଆଇଟି ଯୁବକମାନଙ୍କୁ ମନଇଚ୍ଛା ଥାନାକୁ ଡକାଉଥିବା ଅସବର୍ଣ୍ଣ ସାହିର ଲୋକ ଅଭିଯୋଗ କରିଛନ୍ତି।

ଯଦୁପୁର ଗ୍ରାମର ସବର୍ଣ୍ଣ ସାହି ଅର୍ଥାତ୍‌ ପରୀ ପରିବାର ବାସ କରୁଥିବା ସାହିର ଲୋକଙ୍କ ବିଷୟରେ ଏସ୍‌ଆଇଟି ପୂର୍ବରୁ ତଥ୍ୟ ସଂଗ୍ରହ କରିସାରିଛି। ଏହି ସାହିର ୪୦ରୁ ଅଧିକ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଛି। ଗତ ସୋମବାର ଅସବର୍ଣ୍ଣ ସାହିର ପ୍ରାୟ ୭୦ ପରିବାର ସମ୍ପର୍କରେ ଘରକୁ ଘର ବୁଲି ଏସ୍‌ଆଇଟି ତଥ୍ୟ ସଂଗ୍ରହ କରିଥିଲା। ‌ ସମସ୍ତଙ୍କ ଫୋନ୍‌ ନମ୍ବର ଆଣିଥିଲା। ଅସବର୍ଣ୍ଣ ସାହି ଲୋକେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ। କିନ୍ତୁ ଗତକାଲି ଅଧରାତିରେ ଥାନା କର୍ମଚାରୀ ପୁଣିଥରେ ଯାଇ କବାଟ ବାଡ଼େଇଥିଲେ। ପୁଲିସର ରାତି ଅଧିଆ ଚଢଉକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକ‌ା‌ଳେ ଏସ୍‌ଆଇଟି ସଦସ୍ୟ ପୁଣିଥରେ ଅସବର୍ଣ୍ଣ ସାହିରେ ପହଞ୍ଚି ମାଗି ନାହାକଙ୍କ ପୁଅ ମାନସ ନାହାକଙ୍କୁ ସଦର ଥାନାକୁ ନେବା ପାଇଁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଏହାର ପ୍ରବଳ ବିରୋଧ କରିଥିଲେ। ଫଳରେ, ଏସ୍‌ଆଇଟି ଟିମ୍‌ ମାନସଙ୍କୁ ନେବାକୁ ସକ୍ଷମ ହୋଇ ନ ଥିଲେ।

ସବର୍ଣ୍ଣ ସାହି ସଭାପତିଙ୍କୁ ଅଟକ ରଖିଲେ

ମାନସ ତଥା ସାହିବାସୀଙ୍କ କହିବା ଅନୁଯାୟୀ, ପରୀ ପାଇଁ ଆମେ ରାସ୍ତାରୋକ କରିଥିଲୁ। ଆମେ ତାକୁ ନ୍ୟାୟ ଦେବାକୁ ଆଗଭର ହୋଇଥିବାବେଳେ ସବର୍ଣ୍ଣ ସାହିର ବାବୁଲି ନାୟକଙ୍କଠାରୁ ଆରମ୍ଭ କରି ଅନ୍ୟମାନେ ଘଟଣା ଚପାଇ ଦେବାକୁ ଉଦ୍ୟମ କରିଥିଲେ। ଏସ୍‌ଆଇଟି ସନ୍ଦିଗ୍ଧମାନଙ୍କ ପଛରେ ନପଡ଼ି ଅଯଥା ଆମକୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ସବର୍ଣ୍ଣ ସାହିର ସଭାପତି ଜୟକୃଷ୍ଣ ପରିଡ଼ା ଓ ଅନ୍ୟ କେତେକ ବିଜେଡି ନେତାଙ୍କ ସଦର ଥାନାକୁ ଦେଉଥିବା ତଥ୍ୟ ଆଧାରରେ ଏସ୍‌ଆଇଟି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଅସବର୍ଣ୍ଣ ସାହିରେ ଏ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହିତ ସଭାପତି ଶ୍ରୀ ପରିଡ଼ାଙ୍କୁ ଅଟକ ରଖିଥିଲେ। ପୁଲିସ ହସ୍ତକ୍ଷେପ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏସ୍‌ଆଇଟି ଓ ପୁଲିସକୁ ବିରୋଧ କରି ଅସବର୍ଣ୍ଣସାହିବାସୀ ଗାଁ’ ମୁଣ୍ଡରେ ବାଡ଼ ପକାଇ ଦେଇଥିଲେ। ‘ ଆମ ସାହି ଦେଇ କାହାରିକୁ ଛାଡ଼ବୁ ନାହିଁ , ରାଉତରାପୁର ବାଟ ଦେଇ ଯଦୁପୁର ସବର୍ଣ୍ଣସାହିକୁ ଏସ୍‌ଆ‌ଇଟି, ପୁଲିସ ଯାଆନ୍ତୁ,’ ବୋଲି ଅଡ଼ି ବସିଥିଲେ। ସ୍ଥାନୀୟ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାହିବାସୀ ବାଡ଼ ଉଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର