ନୟାଗଡ଼: ବହୁଚର୍ଚ୍ଚିତ ଅମ୍ରିତାସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଆଜି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍(ଏସ୍ଆଇଟି) ଜେରା କରିଥିବା ଜଣାପଡ଼ିଛି। ବାବୁଲିଙ୍କୁ ପ୍ରାୟ ୩ ଘଣ୍ଟା ଧରି ପରୀ ହତ୍ୟା ସମ୍ପର୍କରେ ପଚରା ଉଚରା କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏସ୍ଆଇଟି ଅଧିକାରୀମାନେ ବାବୁଲିଙ୍କୁ ଟାଉନ ଥାନାକୁ ଡାକି ଗୋଟିଏ ରୁମ୍ରେ ଜେରା କରିଥିଲେ। ଜେରା ସମୟରେ ଥାନା କର୍ମଚାରୀଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା। କେବଳ ଏସ୍ଆଇଟି ଅଧିକାରୀ ଘଟଣା ନେଇ ବାବୁଲିଙ୍କୁ ବହୁ ପ୍ରଶ୍ନ କରିଥିବା ଜଣାପଡ଼ିଛି। ଏହି ଜେରା ବାବଦରେ ପୁଲିସ ଗଣମାଧ୍ୟମ ଆଗରେ ବିଶେଷ କିଛି ମୁହଁ ଖୋଲି ନାହିଁ।
ପରୀ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଯଦୁପୁର ଗ୍ରାମର ବାବୁଲି ନାୟକ ବୋଲି ପରୀ ବାପା ଅଶୋକ ସାହୁ ଓ ମା’ ସୌଦାମିନି ସାହୁ ଅଭିଯୋଗ କରି ଆସୁଥିଲେ। କିନ୍ତୁ ସଦର ଥାନା ପୁଲିସ କିମ୍ବା ଜିଲ୍ଲା ପୁଲିସ ଶ୍ରୀ ନାୟକଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଇ ଆସୁଥିଲା। ବାବୁଲି ଶାସକ ବିଜୁ ଜନତା ଦଳର ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ହୋଇଥିବା ବେଳେ, ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ। ବାବୁଲିଙ୍କ ପତ୍ନୀ ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଅଟନ୍ତି। ଫଳରେ ମନ୍ତ୍ରୀଙ୍କ ଚାପରେ ପୁଲିସ ବାବୁଲିଙ୍କୁ ଥାନାକୁ ଡାକୁନଥିବା ପରୀ ପରିବାର ଅଭିଯୋଗ କରିଥିଲେ।
ଆଜି ବାବୁଲିଙ୍କୁ ଏସ୍ଆଇଟି ଦ୍ବାରା ଜେରା କରାଯିବା ପରେ ଘଟଣା ନେଇ ଅନେକ ରହସ୍ୟ ଖୋଲିବ ବୋଲି ଅନୁମାନ କରାଯାଉଛି। କେବଳ ବାବୁଲି ନୁହେଁ, ଯଦୁପୁରର ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ଏସ୍ଆଇଟି ଜେରା କରିଥିବା କୁହାଯାଉଛି। ଏହି ତାଲିକାରେ ଆହୁରି ଅନେକଙ୍କ ନାମ ଥିବା ଜଣାପଡ଼ିଛି। ଯଦି ବାବୁଲିଙ୍କ ଏହି ଘଟଣାରେ ସଂପୃକ୍ତି ନଥାଏ, ତାହା ହେଲେ ମାମଲା ଭିନ୍ନ ମୋଡ଼ ନେଇ ପାରେ। ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ, ବାବୁଲି ତାଙ୍କର ଜଣେ ସମ୍ପର୍କୀୟ ଜରିଆରେ ପରୀକୁ ଉଠାଇନେଇଥିବା ଓ ଏହା ପରେ ନେଇ ହତ୍ୟା କରିଥିବା ପରୀ ପରିବାର ଅଭିଯୋଗ ଆଣିଛନ୍ତି।