ନୟାଗଡ଼ : ଶେଷରେ ପୁଲିସ ମୁଖ୍ୟାଳୟର ହୃଦବୋଧ ହୋଇଛି ଯେ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ନୟାଗଡ଼ ପୁଲିସର ତଦନ୍ତ ଠିକ୍ ଦିଗରେ ଯାଇନଥିଲା। ଏହିକ୍ରମରେ ଆଜି ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାର ତଦାରଖ କରୁଥିବା ଏସ୍ଡିପିଓ ନିରଞ୍ଜନ ପା଼ଢ଼ୀଙ୍କୁ କନ୍ଧମାଳକୁ ଡିଏସ୍ପି ଭାବେ ବଦଳି କରାଯାଇଛି। ପରୀ ହତ୍ୟାକାଣ୍ଡକୁ ନେଇ ବିରୋଧୀ ରାଜନୈତିକ ଦଳ ତମ୍ବିତୋଫାନ କରୁଥିବା ବେଳେ ପୁଲିସ ମହାନିର୍ଦେଶକ ଅଭୟଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଏହି ପ୍ରସଙ୍ଗରେ ଭିନ୍ନ ଚର୍ଚ୍ଚା ଲାଗି ଖୋରାକ ଯୋଗାଇଛି।
ବାସ୍ତବରେ ସ୍ଥାନୀୟ ପୁଲିସ ରାଜନୈତିକ ଚାପରେ ତଦନ୍ତ ପ୍ରକ୍ରିୟାକୁଚାପି ଦେଇଥିଲା ନା ନିଷ୍କ୍ରିୟତା କାରଣରୁ ଅପରାଧୀ ପାଖରେ ପହଞ୍ଚିବା ଲାଗି ଆବଶ୍ୟକ କସରତ କରାଯାଇନଥିଲା ଏ ମଧ୍ୟରୁ କେଉଁ କାରଣ ପାଇଁ ଡିଜି ଏଭଳି ପଦକ୍ଷେପ ନେଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ପୁଲିସ ଚାପରେ ତଦନ୍ତରେ ଅବହେଳା କରିଥିଲା, ତେବେ ଚାପ ପକାଇଥିବା ବ୍ୟକ୍ତିମାନେ କିଏ, ତାହାର ପର୍ଦାଫାଶ ହେବା ଦରକାର ବୋଲି ମତ ପ୍ରକାଶ ପାଇଲାଣି। ସେ ରାଜନେତା ନା ଆଉ କିଏ? ଯଦି ତଦନ୍ତ ପ୍ରକ୍ରିୟା ଅବହେଳା ହୋଇଥିଲା, ତେବେ ଏତେ ସମ୍ବେଦନଶୀଳ ଏହି ମାମଲାର ସମୀକ୍ଷା ବେଳେ ଖୋଦ୍ ଜିଲ୍ଲା ଏସ୍ପି କିଭଳି ଜାଣିପାରିନଥିଲେ ଓ ଯଦି ଜାଣିଥିଲେ, କେବେ ରିପୋର୍ଟ ଦେଇଥିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏଥିସହିତ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରୋକ୍ଷରେ ସୂଚାଇ ଦେଇଛି ଯେ ପରୀକୁ ନ୍ୟାୟ ଦେବାରେ ପ୍ରଶାସନ ବିଫଳ ହୋଇଛି।
ସବୁଠାରୁ ବଡ଼ କଥା ହେଲା, ରୀନାରାଣୀ ନୟାଗଡ ସଦର ଥାନାରେ ଦୀର୍ଘଦିନ ହେଲାଣି ରହିଛନ୍ତି। ସେ ଏତେ ପ୍ରଭାବଶାଳୀ ଥିଲେ ଯେ ଗତ ଜୁନ୍ ମାସରେ ତାଙ୍କର ପଦୋନ୍ନତି ପରେ ମଧ୍ୟ ତାଙ୍କୁ ସେଠାରେ ହିଁ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଥିଲା। ରୀନାରାଣୀଙ୍କୁ ପଦୋନ୍ନତି ପରେ ଅନ୍ୟତ୍ର ବଦଳି ନ କରାଯାଇ କାହା ପ୍ରରୋଚନାରେ ସେଠାରେ ଆଇଆଇସି ଭାବେ ରଖାଯାଇଥିଲା? ଏ ନେଇ କିଏ ସୁପାରିସ କରିଥିଲେ? ତାହା ଏବେ ତଦନ୍ତ ସାପେକ୍ଷ। ତାଙ୍କ ପଛରେ ଏମିତି କିଏ ଅଛନ୍ତି ଯେ ପୁଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତେ ବିଳମ୍ବ କଲେ? ତାହା ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରୁଛି।
ଅଭିଯୋଗ ହୋଇ ଆସୁଥିଲା ଯେ ରୀନାରାଣୀ ହତ୍ୟାକାରୀଙ୍କୁ ଧରିବା ନେଇ ଆଦୌ ଧ୍ୟାନ ନଦେଇ, ଓଲଟା ପରୀର ବାପା ଅଶୋକ ସାହୁ, ମା’ ସୌଦାମିନୀଙ୍କୁ ନାଲି ଆଖି ଦେଖାଉଥିଲେ। ମାମଲାର ରଫାଦଫା କରିବାକୁ ପ୍ରବର୍ତ୍ତାଉ ଥିଲେ। ଥାନାକୁ ବିଭିନ୍ନ ଆଳରେ ଡକାଇ ମାନସିକ ନିର୍ଯାତନା ଦେଉଥିଲେ। ଏଭଳି ସ୍ଥିତିରେ ପରୀର ବାପା, ମା’ ଜିଲ୍ଲା ପୁଲିସଠାରୁ ନ୍ୟାୟ ପାଇବା ଆଶା ହରାଇ, ବିଧାନସଭା ସମ୍ମୁଖରେ ଗତ ୨୪ ତାରିଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ରାଜ୍ୟ ସରକାର ଓ ବିରୋଧୀ ଦଳଙ୍କ ନଜରକୁ ଏହି ଘଟଣା ଆସିବା ପରେ ସରକାର ମାମଲାର ଏସ୍ଆଇଟି ତଦନ୍ତ କରିବାକୁ ବାଧ୍ୟ ହୋଇଥିଲା। ଏବେ ଏସ୍ଆଇଟି ଟିମ୍ ପାଖାପାଖି ଏକ ସପ୍ତାହ ଧରି ତଦନ୍ତ କରିବା ପରେ ଆଜି ଅଚାନକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ଡିଜି।
ଅନ୍ୟପକ୍ଷରେ ଆଇଆଇସି ଓ ଏସ୍ଡି଼ପିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏବେ ଜିଲ୍ଲା କଂଗ୍ରେସ ଏସ୍ପିଙ୍କ ବିରୋଧରେ ବିଷୋଦ୍ଗାର କରିଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ କହିଛନ୍ତି ଯେ ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ ହେଉଥିବା ବେଳେ, ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ? କେଉଁ ରାଜନୈତିକ ନେତାଙ୍କ ଚାପରେ ନୟାଗଡ଼ ଜିଲ୍ଲା ପୁଲିସ ଚାପଗ୍ରସ୍ତ ହୋଇ ପରୀକୁ ନ୍ୟାୟ ଦେଇନାହିଁ, ସେହି ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କଂଗ୍ରେସ ଦାବି କରିଛି।