ପରୀ ହତ୍ୟ‌ା : ୨୫ ଯୁବକଙ୍କ ରକ୍ତ ନମୁନା ନେଲା ଏସ୍‌ଆଇଟି

ନୟାଗଡ଼ : ପରୀ ହତ୍ୟା ନେଇ ନୟାଗଡ଼ରେ ଡେରା ପକାଇଥିବା ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେଟିଂ ଟିମ୍‌(ଏସ୍‌ଆଇଟି) ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଛାନ୍‌ଭିନ୍‌ ଚଳାଇଛି। ‌ଏସ୍‌ଆଇଟି ପକ୍ଷରୁ ପରୀର ଗ୍ରାମ ଯଦୁପୁରର ୨୫ରୁ ଅଧିକ ଯୁବକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଏସ୍‌ଆଇଟି ଗଣମାଧ୍ୟମରେ କିଛି କହିନଥିବା ବେଳେ, ପୁଲିସ ବିଭାଗର ଜନୈକ କର୍ମଚାରୀ କହିଛନ୍ତି ଯେ ପରୀ ହତ୍ୟାରେ ବ୍ୟବହୃତ ଯଦି କୌଣସି ଅସ୍ତ୍ରଶସ୍ତ୍ର, କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷିରୁ ଯଦି କୌଣସି ବ୍ୟକ୍ତିର ରକ୍ତ ନମୁନା ମିଳିଥିବ, ସେଭଳି ସ୍ଥିତି ପାଇଁ ଏସ୍‌ଆଇଟି ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରିଥିବ। ‌ହତ୍ୟା ନେଇ ସିଧାସଳଖ କାହାକୁ ସନ୍ଦେହ କରାଯାଉନଥିବାରୁ ତଦନ୍ତକାରୀ ସଂସ୍ଥା ଅନେକଙ୍କର ରକ୍ତ ନମୁନା ସଂଗ୍ରହ କରିଛି।

ଗତକାଲି ରାତି ପ୍ରାୟ ୧୨ଟାରେ ଗ୍ରାମର ପ୍ରାୟ ୧୫ରୁ ଅଧିକ ଯୁବକମାନଙ୍କ ଘରକୁ ଏସ୍‌ଆଇଟିର ସଦସ୍ୟମାନେ ଯାଇଥିଲେ। ରବିବାର ଦିନ ରକ୍ତ ପରୀକ୍ଷା ପାଇଁ ସମସ୍ତଙ୍କୁ ଆସିବାକୁ ଜଣାଇ ଦିଆଯାଇଥିଲା। ଏମାନଙ୍କୁ ତିନିଟି ଦଳରେ ଏସ୍‌ଆଇଟି ଆଣି ନୟାଗଡ଼ ଟାଉନ ଥାନା, ପିଟିଏସ୍‌ ଆଦିରେ ସ୍ବତନ୍ତ୍ର ଭା‌ବେ ରକ୍ତ ପରୀକ୍ଷା କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ପରୀର ବାପା-ମା’ ଅଭିଯୋଗ କରିଥିବା କାହ୍ନୁ ନାୟକଙ୍କୁ ଏସ୍‌ଆଇଟି ମଧ୍ୟ ତଦନ୍ତ ପରିସରକୁ ଆଣିଛି। କାହ୍ନୁଙ୍କ ରକ୍ତ ପରୀକ୍ଷା ପରେ ତାଙ୍କୁ ଏସ୍‌ଆଇଟି ଛାଡ଼ି ଦେଇଥିଲା। ସେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ଏସ୍‌ଆଇଟି ତାଙ୍କୁ କିଛି ପଚରାଉଚରା କରିନଥିଲ‌ା, କେବଳ ନାମ ପଚାରିବା ସହିତ ରକ୍ତ ନମୁନା ନେଇ ଛାଡ଼ି ଦେଇଥିଲା। ତେବେ ନୟାଗଡ଼ ସଦର ଥାନା ଅଧୀନରେ ଆସୁଥିବା ଉକ୍ତ ଗ୍ରାମ ଆଖପାଖ ଅଞ୍ଚଳରେ ବ୍ୟାପକ ଭାବେ ନିଶା କାରବାର ହୁଏ। ନିଶା ବାହାନାରେ ମଧ୍ୟ ପରୀକୁ ଦୁଷ୍କର୍ମ ପରେ କେହି ହତ୍ୟା‌ କରିଥାଇ ପାରନ୍ତି ବୋଲି ପରୀ ବାପା ଅଶୋକ ସାହୁ ଅଭିଯୋଗ କରୁଥିଲେ। ଗ୍ରାମର ସନ୍ଦିଗ୍ଧମାନେ ନିଶା ଖାଇ ତାଙ୍କୁ ପରୀ ହତ୍ୟା ପରେ ଗାଳିଗୁଲଜ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏପରିକି ଅଶୋକ ଓ ତାଙ୍କ ପତ୍ନୀକୁ ହୋଇଥିବା ଆକ୍ରମଣରେ ମଧ୍ୟ ଏମାନେ ସଂପୃକ୍ତ ଥିଲେ। ପରୀ ହତ୍ୟାକାଣ୍ଡ ନେଇ ଆଗକୁ ବଢ଼ୁଥିବାରୁ ଯେଉଁ ଯୁବକମା‌ନେ ପରୀ ପରିବାରକୁ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ମଧ୍ୟ କେତେକ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଏହାପୂର୍ବରୁ ଗତ ଶୁକ୍ରବାର ଦିନ ପରୀ ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବିଜେଡି ନେତା ବାବୁଲି ନାୟକଙ୍କ ଘର ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା। ବାବୁଲି ଓ ତାଙ୍କ ପୁଅକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ପଚରାଉଚରା କରିବା ସହିତ ଯାଞ୍ଚ ବେଳେ ଉପସ୍ଥିତ ଥିଲେ। ସବୁଠୁ ବଡ଼ କଥା ହେଉଛି, ପରୀ ମାମଲାରେ କୌଣିସି ଲିଙ୍କ୍‌ ସନ୍ଦେହ କରି ବାବୁଲିଙ୍କ ଡ୍ରାଇଭର୍‌ ବିଜୟ ବେହେରାଙ୍କୁ ଇଟାମାଟି ଅଞ୍ଚଳରୁ ଏସ୍‌ଆଇଟି ଉଠାଇ ନେଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା। ଏ‌ଭଳି ବିଭିନ୍ନ ଘଟଣାକୁ ବିଚାର କଲେ, ହୁଏତ ପରୀ ହତ୍ୟା‌ ସମ୍ପର୍କିତ କିଛି ସୁରାକ୍‌ ଏସ୍‌ଆଇଟି ପାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର