ଭୁବନେଶ୍ୱର: ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ୱ। କେବଳ ପୁଲିସ କିମ୍ବା ସମାଜସେବୀ ନୁହନ୍ତି ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଉଚିତ। ସେମାନଙ୍କ ସୁରକ୍ଷା ପାଇଁ ଆମକୁ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ଆଜି ଓଡ଼ିଶା ପୁଲିସ ଓ ୟୁନିସେଫ୍ ପକ୍ଷରୁ ପୁଲିସ ଭବନଠାରେ ଆୟୋଜିତ ‘ପରୀ ରଥ’ର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି। ସେ ଆହୁରି କହିଥିଲେ, ନାବାଳିକାଙ୍କ ପ୍ରତି ଘଟୁଥିବା ଯୌନ ନିର୍ଯାତନା ବିରୋଧରେ ଲୋକଙ୍କୁ ସଚେତନ କରାଇବା ପାଇଁ ଓଡ଼ିଶା ପୁଲିସ ଓ ୟୁନିସେଫ୍ ପକ୍ଷରୁ ଆରମ୍ଭ ହୋଇଥିବା ମହା ଅଭିଯାନ କେବଳ ଓଡ଼ିଶା ନୁହେଁ ଜାତୀୟସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛି। ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ଗତ ୨୮ ତାରିଖରେ ଆରମ୍ଭ କରାଯାଇଥିବା ‘ପରୀ ପାଇଁ କଥା ଟିଏ’ ବାର୍ତାକୁ ‘ପରୀ ରଥ’ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚାଯାଇଛି। ଆଗାମୀ ଦିନରେ କିଭଳି ଲୋକଙ୍କୁ ଅଧିକ ସଚେତନ କରାଯାଇ ପାରିବ ଓ ନାବାଳିକାଙ୍କୁ ଅଧିକ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ ବିଭିନ୍ନ ପନ୍ଥା ଆପଣା ଯିବ। ଅଙ୍ଗନଓ୍ଵାଡ଼ିଠାରୁ ଆରମ୍ଭ କରି ସ୍କୁଲସ୍ତରରେ ପିଲାମାନଙ୍କୁ ଶିକ୍ଷା ଦିଆଯିବ। ଏଥିପାଇଁ ଶିକ୍ଷୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ। ସମ୍ମାନିତ ଅତିଥିଭାବେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଥିଲେ ଯେ, ଯୌନ ନିର୍ଯାତନା ରୋକିବା ପାଇଁ ସଂସ୍କୃତି ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇବ। ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସଚିବ ରାକେଶ ଶ୍ରୀବାସ୍ତବ ଓ ଉନ୍ନୟନ କମିସନର ଆର୍ ବାଲ୍କ୍ରିଷ୍ଣନ୍ ଯୋଗଦେଇ କହିଥିଲେ ଯେ, ଏନ୍ସିଆରବି ତଥ୍ୟ ଅନୁଯାୟୀ ଦେଶରେ ପ୍ରତି ୧୫ ମିନିଟରେ ଜଣେ ନାବାଳିକା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ତେଣୁ ପଞ୍ଚାୟତସ୍ତରରେ ସୁରକ୍ଷା କମିଟି ଗଠନ କରିବା ଏବଂ ଜିଲ୍ଲା ମାନଙ୍କରେ ସ୍ୱତନ୍ତ୍ର ହେଲ୍ପ ଲାଇନ୍ କରିବା ଦରକାର। ଯାହାଦ୍ୱାରା ପୀଡ଼ିତା ଓ ପରିବାର ସେମାନଙ୍କ ସମସ୍ୟା ଜଣାଇପାରିବେ। ଖବରପାଇବା ମାତ୍ରେ ନିଯୋଜିତ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ ଯେ, ଏହି ମହାଅଭିଯାନ ୧୫ ଦିନ ମଧ୍ୟରେ ସାରା ରାଜ୍ୟର ଲୋକମାନଙ୍କ ପାଖରେ ସଚେତନ ବାର୍ତା ପହଞ୍ଚାଇ ପାରିଛି। ପରୀ ରଥ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୪ଶହରୁ ଅଧିକ କାର୍ଯ୍ୟକ୍ରମ ମାଧ୍ୟମରେ ୧୨ଲକ୍ଷରୁ ଊର୍ଦ୍ଧ୍ୱଲୋକଙ୍କୁ ଯୋଡ଼ା ଯାଇପାରିଛି। ସେହିପରି ସୋସିଆଲ ମିଡିଆ ଫେସ୍ବୁକ୍ ଓ ଟ୍ଵିଟର୍ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ୧୪ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଯୋଡ଼ାଇ ପାରିଛି ବୋଲି ଡିଜି ଶ୍ରୀ ଶର୍ମା କହିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ତଥା ଆଇଜି ପର୍ସନାଲ ଅସିତ ପାଣିଗ୍ରାହୀ, ଆଇଜି କ୍ରାଇମ୍ବ୍ରାଞ୍ଚ ଅରୁଣ ବୋଥ୍ରା, କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ୟୁନିସେଫ୍ର ଓଡ଼ିଶା ମଖ୍ୟ ୟୁମି ବେଙ୍କ ସମେତ ୩୦ଟି ଜିଲ୍ଲାର ନୋଡାଲ ଅଫିସର ଓ ଅଧିକାରୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ୟୁନିସେଫ୍ ଭାରତ ପ୍ରତିନିଧି ୟାସମିନ୍ ଅଲ୍ଲୀ ହକ୍ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପୁଲିସର ଭୂମିକାକୁ ପ୍ରସଂଶା କରିଥିଲେ। ଉତ୍ସବରେ ପୁଲିସ କମିସନର୍ ଓ୍ଵାଇ ବି ଖୁରାନିଆ, ଡିସିପି ଅନୁପ ସାହୁ, ବିଭିନ୍ନ ଜିଲ୍ଲାର ଏସ୍ପିଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ୟୁନିସେଫ୍ର କର୍ମକର୍ତାମାନେ ଉପସ୍ଥିତ ଥିଲେ।