କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପରାଧୀନ ଭାରତବର୍ଷରେ ଜାତୀୟତାବାଦର ଏକ ନୂତନ ସଂଜ୍ଞା ନିରୂପଣ କରିଥିଲେ। ତାଙ୍କ ଜନ୍ମର ଶହେ ବର୍ଷ ପରେ ବି ଯେତେବେଳେ ସାମ୍ୟବାଦ ଓ ଦେଶାତ୍ମବୋଧ ବିଷୟ ଆଲୋଚନା ହୁଏ ନେତାଜୀଙ୍କ ନାମ ସର୍ବପ୍ରଥେମ ଆସେ। ବ୍ରିଟିସ୍ ଶାସନ ବିରୋଧରେ ନେତାଜୀଙ୍କ ବୀରତ୍ବ ଓ ଯୁଦ୍ଧ କୌଶଳ ଦେଶ ସ୍ବାଧୀନତା ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ମାତ୍ର ଦେଶର ଇତିହାସରେ ତାଙ୍କୁ ଉପଯୁକ୍ତ ସ୍ଥାନ ଓ ସମ୍ମାନ ଆଜି ସୁଦ୍ଧା ମିଳି ପାରିଲା ନାହିଁ। ଜାନୁଆରି ୨୩ ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ। କଟକ ମାଟିରେ ଜନ୍ମ ଗ୍ରହଣ କରିଥିବା ନେତାଜୀ ଏଠାରେ ତାଙ୍କ ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏବେ ସମୟ ଆସିଛି ଓଡ଼ିଶା ଓ ନେତାଜୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବା ସହ ଇତିହାସ ବହିରେ ତାଙ୍କୁ ଉପଯୁକ୍ତ ସ୍ଥାନ ଦେବା। କେନ୍ଦ୍ର ସରକାର ଓ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବାରବାଟୀ ଦୁର୍ଗ ପରିସରରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବା ସହ ନେତାଜୀଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଆହ୍ବାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା, ‘ନେତାଜୀଙ୍କ ତ୍ୟାଗ ଚିର ସ୍ମରଣୀୟ’
ନେତାଜୀଙ୍କ ଜନ୍ମ ମାଟି ଓଡ଼ିଶାର କଟକରେ ଚଳିତବର୍ଷ ପରାକ୍ରମ ଦିବସ ପାଳନ କରାଯାଉଛି। ଏହାକୁ ନେଇ ମୁଁ ଆନନ୍ଦିତ ଓ ଗର୍ବିତ। ନେତାଜୀଙ୍କ ଜୀବନ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବିଷୟ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପାଇଁ କିଛି କରିବାର ଉତ୍ସାହ ଭରିଦିଏ। ଏହା ନୂତନ ଭାରତ ଗଠନ କରିବା ଦିଗରେ ବିଶେଷ ସହାୟକ ହେବ। ନେତାଜୀଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ସ୍ବାଧୀନ ଭାରତ ଗଠନ। ଏଥିପାଇଁ ସେ ଅନେକ କିଛି ତ୍ୟାଗ କରିଛନ୍ତି। ଭାରତବାସୀଙ୍କୁ ଏକାଠି କରି ଦେଶର ବିକାଶ ଦିଗରେ କିପରି କାମ କରାଯିବ, ତାହା ନେତାଜୀଙ୍କ ଜୀବନରୁ ଶିଖିବା କଥା।
ସତ୍ୟବ୍ରତ ଷ୍ଟାଡିୟମ୍ରେ ପୂର୍ବାହ୍ଣ ସାଢ଼େ ୧୧ଟାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହାତାବ, ପୂର୍ବତନ ମନ୍ତ୍ରୀ କେ. ପି. ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ଜୟନ୍ତୀ ଓ ପରାକ୍ରମ ଦିବସ ଅବସରରେ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ ସମ୍ବୋଧିତ କରିଥିଲେ। ସଭା ପ୍ରାରମ୍ଭରେ ଗୋପାଳପୁର ମିଲିଟାରି ବ୍ୟାଣ୍ଡ ପକ୍ଷରୁ ‘କଦମ୍ କଦମ୍ ବଢ଼ାଏ ଯା’ ସଂଗୀତ ପରିବେଷଣ କରାଯାଇଥିଲା। ଉତ୍ସବରେ ଆଇଏନ୍ଏର ସଦସ୍ୟ ଆର୍. ମାଧବନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଆଇଏନ୍ଏ ଟ୍ରଷ୍ଟ ଅଧ୍ୟକ୍ଷ ବ୍ରିଗେଡିଅର୍ ଆର୍.ଏସ୍. ଚିକ୍ରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏଏସ୍ଆଇ ଡିଜି ଯଦୁବୀର ସିଂହ ରାୱତ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ନେତାଜୀ ଜୟନ୍ତୀ ତଥା ଜାନୁଆରି ୨୩କୁ କେନ୍ଦ୍ର ସରକାର ୨୦୨୧ରୁ ପରାକ୍ରମ ଦିବସ ଭାବେ ପାଳନ କରିଆସୁଛନ୍ତି। ଚଳିତବର୍ଷ ଏହାକୁ ନେତାଜୀଙ୍କ ଜନ୍ମମାଟି କଟକରେ ପାଳନ କରାଯାଉଛି। ବାରବାଟୀ ଦୁର୍ଗ ପରସରରେ ଥିବା ସତ୍ୟବ୍ରତ ଷ୍ଟାଡିୟମ୍ ମଧ୍ୟରେ ଏହାକୁ ଜାନୁଆରି ୨୩ରୁ ୨୫ ତାରିଖ ୩ ଦିନ ଧରି ପାଳନ କରାଯାଉଛି। ପରାକ୍ରମ ଦିବସ ଅବସରରେ ଷ୍ଟାଡିୟମ୍ ପରିସରରେ ନେତାଜୀଙ୍କ ଜୀବନକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/24/r0y7yl5z5VWRRShSkJFw.jpg)