ଭୁବନେଶ୍ବର :  ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସଂପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନା ଆଉ ଇହଧାମରେ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ପତ୍ରିକା ସମ୍ପାଦନା କରିବା ସହ ଶ୍ରୀ ଜେନା ‘ବାଣୀଚିତ୍ର’ ନାମରେ ଏକ  ଚଳଚ୍ଚିତ୍ର ପୁରସ୍କାରର ମଧ୍ୟ ସ୍ଥାପନା କରିଥିଲେ। ପ୍ରତିବର୍ଷ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସଂପୃକ୍ତ ବ୍ୟକ୍ତବିଶେଷଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ବାଣୀଚିତ୍ର ପ୍ରଦାନ କରାଯାଇଆସୁଛି।

Advertisment

ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିବା ପରୀକ୍ଷିତ ବାବୁ ଜଣେ ଥିଏଟର କଳାକାର ଥିଲେ। ସେ ୧୯୬୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ବନ୍ଧନ’ରେ ମଧ୍ୟ ଅଭିନୟ କରିଥିଲେ। ଅଭିନୟ କରିବାରେ ତାଙ୍କର ଯେତିକି ସନ୍ତୋଷ ପାଉଥିଲେ ତା’ଠାରୁ ସିନେମା ସହ ସଂପୃକ୍ତ କଳାକାରମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାରେ ଅଧିକ ଆତ୍ମସନ୍ତୋଷ ସେ ଲାଭ କରୁଥିଲେ। ଏପରିକି ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକମାନଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା।

publive-image

ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ସିନେମା, ଯାତ୍ରା, ଥିଏଟର ଏବଂ ଗଣମାଧ୍ୟମ ଜଗତରେ ଶ୍ରୀ ଜେନା ବେଶ୍ ପରିଚିତ ଥିଲେ। ଗତ ଶୁକ୍ରବାର ରାତିରେ ତାଙ୍କର ହୃଦଘାତରେ ପରଲୋକ ହେଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଜେନାଙ୍କ ବିୟୋଗରେ ସିନେ ଜଗତ ଓ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି।