ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆଜି ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇଥିବା ପ୍ରତିନିଧି ଦଳ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ଦେବଦେବୀ ମନ୍ଦିରରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ଆଜି ପ୍ରତିନିଧି ଦଳ ତ୍ରିଚିନ୍ନାପଲ୍ଲୀର ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର, ବିଶାଖାପାଟଣା ସୀମାଞ୍ଚଳମ୍‌ ମନ୍ଦିର, ଜଗନ୍ନାଥ ମନ୍ଦିର, ଦିଲ୍ଲୀର ଜଗନ୍ନାଥ ମନ୍ଦିର, ବିହାର ଗୟାଧାମ ବିଷ୍ଣୁପଦ ମନ୍ଦିର, ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର, ଗୁଜରାଟର ନାଗେଶ୍ୱର ଜ୍ୟେର୍ତିଲିଙ୍ଗ ମନ୍ଦିର, କେରଳର ଗୁରୁବାୟୁର ମନ୍ଦିର, କୋଲକାତାର ଦକ୍ଷିଣେଶ୍ବର କାଳୀମନ୍ଦିର, ମହାରାଷ୍ଟ୍ରର ଶ୍ରୀଶନୈଶ୍ବର ଦେବସ୍ଥାନ, ଝାଡ଼ଖଣ୍ଡ ବାବା ବୈଦ୍ୟନାଥ ଧାମରେ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶାରେ କୋରାପୁଟ ଓ ନାରାୟଣପାଟଣାର ଜଗନ୍ନାଥ ମନ୍ଦିର, ଝାରସୁଗୁଡ଼ାର ଝାଡ଼େଶ୍ୱରୀ ମନ୍ଦିର ଓ କୁକ୍କୁରଜଙ୍ଗାର ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ର, ଦେବଗଡ଼ର ଗୋପାଳଜିଉ ମନ୍ଦିର ଓ ମା’ ଝାଡ଼େଶ୍ୱରୀ ମନ୍ଦିର, ନୂଆପଡ଼ାର ଯୋଗେଶ୍ୱର ମନ୍ଦିରରେ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣପତ୍ର ନେଇ ଯାଇଥିବା ସେବାୟତ ଓ ଅଧିକାରୀଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଛି।

Advertisment

ମେଘନାଦ ପାଚେରି ଆଲୋକୀକରଣ ଆରମ୍ଭ

publive-image

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଜାନୁଆରି ୧୭ରେ ଅନୁଷ୍ଠିତ ହେବ। ଏଥିପାଇଁ ଜାନୁଆରି ୧୨ ତାରିଖରୁ ଭବ୍ୟ ଆୟୋଜନ କରାଯିବ। ଏହା ପୂର୍ବରୁ ଶ୍ରୀମନ୍ଦିର ସହ ପୁରୀ ସହରର ମନ୍ଦିର, ରାସ୍ତାଘାଟ ବ୍ୟାପକ ସାଜସଜା ଆରମ୍ଭ ହୋଇଛି। କାନ୍ଥବାଡ଼କୁ ନୂଆ ରଙ୍ଗରେ ସଜାଯାଉଛି। ସେପଟେ ଶ୍ରୀମନ୍ଦିରକୁ ବି ବ୍ୟାପକ ସାଜସଜା କରାଯାଉଛି। ଆଗକୁ ନୂଆବର୍ଷ ସାଙ୍ଗକୁ ଲୋକାର୍ପଣ ଉତ୍ସବ ଥିବାରୁ ଆଜିଠୁ ଶ୍ରୀମନ୍ଦିର ଆଲୋକୀକରଣ କାମ ଆରମ୍ଭ ହୋଇଛି। ସିଂହଦ୍ବାର ପୂର୍ବ-ଉତ୍ତର ପାର୍ଶ୍ବ ମେଘନାଦ ପାଚେରିରେ ଏଲ୍‌ଇଡି ଓ ଅନ୍ୟାନ୍ୟ ଲାଇଟ୍‌ ଲଗାଯାଇଛି। ଅନ୍ୟପଟେ ସିଂହଦ୍ବାର ବାମପାର୍ଶ୍ବରେ ଥିବା ଛାଉଣୀ ମଠ କାମ ପାଇଁ ସୂଚନା କେନ୍ଦ୍ରକୁ ବରିଷ୍ଠ ନାଗରିକ ବିଶ୍ରାମ ସେଡ୍‌ ପାଖକୁ ସ୍ଥାନାନ୍ତର କରାଯାଇଛି।