ଏପ୍ରିଲ ପହିଲାରେ ପରୀକ୍ଷା ପେ ଚର୍ଚ୍ଚା, ରାଜଭବନରେ ରାଜ୍ୟପାଳଙ୍କ ସହ ଦେଖିବେ ଛାତ୍ରଛାତ୍ରୀ

ଭାଗନେବେ ଓଡ଼ିଶାର ୨୬ ହଜାରରୁ ଅଧିକ ପିଲା
ଭର୍ଚୁଆଲରେ ଯୋଡ଼ିହେବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ

ଭୁବନେଶ୍ୱର : ଏପ୍ରିଲ ପହିଲାରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‌ ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ। କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶ ଓ ହରିୟାଣାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ଷ୍ଟାଡିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ନିମନ୍ତ୍ରଣ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ଦେଶର ସମସ୍ତ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର ସୁଯୋଗ ପାଇବେ। ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନ ସମସ୍ତ ଅନୁଷ୍ଠାନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଶିକ୍ଷାନୁଷ୍ଠାନ, ନର୍ସିଂ ସ୍କୁଲ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯିବାର ଯୋଜନା ରହିଛି। ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡିହେବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ୨୬ ହଜାରରୁ ଅଧିକ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକ ଶିକ୍ଷୟିତ୍ରୀ, ୧୨୨୩ ଜଣ ଅଭିଭାବକ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ପରୀକ୍ଷା ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ। ନୂଆପିଢ଼ିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ ବୋଲି ଗତ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି।

ପିଆଇବି ଭୁବନେଶ୍ଵରଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପ ନିର୍ଦ୍ଦେଶକ ଗିରୀଶ ଚନ୍ଦ୍ର ଦାଶ କହିଲେ ମହାମାରୀ ଯୋଗୁଁ ଗତବର୍ଷ ଅନ୍‌ଲାଇନରେ ପରୀକ୍ଷା ପେ ଚର୍ଚ୍ଚା ହୋଇଥିଲା। ଏଥର ପରୀକ୍ଷା ପେ ଚର୍ଚ୍ଚାକୁ ଲୋକପ୍ରିୟ କରାଇବା, ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଡିସେମ୍ବର ୨୮ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ସହ ଭାଗ ନେଇଥିଲେ। ଯେଉଁଥିରେ ଏଗଜାମ୍‌ ଷ୍ଟ୍ରେସ୍‌ ମ୍ୟାନେଜମେଣ୍ଟ, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ୨୦୫୦ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ‘ଏଗଜାମ ୱାରିୟର’ ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ଦିଆଯିବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୬ଜଣ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡିଓ ଚ୍ୟାନେଲ ସମେତ ଡିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଆଜିର ସମ୍ମିଳନୀରେ ପିଆଇବିର ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ସହାୟକ ସୂଚନା ଅଧିକାରୀ ସ୍ବାଧୀନ ଶକ୍ତିପ୍ରସାଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର