କାହା ସ୍ବାର୍ଥରେ ‘ପରୀକ୍ଷା ଦର୍ପଣ’?

କୋଟି କୋଟି ଟଙ୍କା ବ୍ୟୟ: ବଢ଼ୁଛି ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପ୍ରସ୍ତୁତ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରକାଶିତ ‘ପରୀକ୍ଷା ଦର୍ପଣ’ କାହା ସ୍ବାର୍ଥରେ ଛପାଯାଇଛି? ଏହାକୁ‌ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିଚାଲିଥିବା ବେଳେ ଏହାର ଉପଯୋଗିତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ମାଟ୍ରିକ୍ ପରୀକ୍ଷା ଆଉ ପାଖାପାଖି ୨ମାସ ପରେ ହେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ସହଜ କରିବା ପାଇଁ ଏହାକୁ ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ ଛାତ୍ରଛାତ୍ରୀ ଏହାକୁ ପାଇବା ପରେ ଅଧିକ ଦ୍ବନ୍ଦ୍ବରେ ପଡିଛନ୍ତି। ‌ସେମାନେ ପାଠ୍ୟପୁସ୍ତକ ପଢ଼ି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ ନା ବୋର୍ଡ ଯୋଗାଇଥିବା ‘ପରୀକ୍ଷା ଦର୍ପଣ’କୁ ଭରସା କରିବେ, ତାହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ଏଥିରେ ରହିଥିବା ତ୍ରୁଟି ଏ‌ବଂ ବିଭିନ୍ନ ଅସଙ୍ଗତି ଦ୍ବନ୍ଦ୍ବ ବଢ଼ାଉଥିବା ବ‌େଳେ ବୋର୍ଡ ପକ୍ଷରୁ ଏ ଆଶଙ୍କା ଦୂର କରିବାକୁ କୌଣସି ପ୍ରକାର ସ୍ପଷ୍ଟୀକରଣ ଦିଆଯାଉନାହିଁ। କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ‘ପରୀକ୍ଷା ଦର୍ପଣ’ ପ୍ରକାଶନ ଉଦ୍ଦେଶ୍ୟକୁ ନେଇ ଏଭଳି ସ୍ଥିତିରେ ସନ୍ଦେହ ବଢ଼ିବାରେ ଲାଗିଛି।

‘ପରୀକ୍ଷା ଦର୍ପଣ’ର ତ୍ରୁଟିକୁ ନେଇ ‘ସମ୍ବାଦରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁ ବିଷୟରୁ ପ୍ରଶ୍ନ ଆସିବାର ନାହିଁ, ସେହି ବିଷୟକୁ କିଭଳି ‘ପରୀକ୍ଷା ଦର୍ପଣ’ର ମଡେଲ୍ ପ୍ରଶ୍ନୋତ୍ତରରେ ସ୍ଥାନ ଦିଆଯାଇଛି, ତାହା ଦର୍ଶାଯାଇଥିଲା। ଏବେ ‘ପରୀକ୍ଷା ଦର୍ପଣ’କୁ ସମୀକ୍ଷା କରିବା ପରେ ଅଧିକରୁ ଅଧିକ ଅସଙ୍ଗତି ସାମ୍‌ନାକୁ ଆସୁଛି। ପ୍ରଥମ ଭାଷା ଓଡ଼ିଆ ପାଠ୍ୟପୁସ୍ତକ ‘ସାହିତ୍ୟ ସିନ୍ଧୁ ହେଉ ଅଥବା ଇଂରାଜୀ, ବିଜ୍ଞାନ, ଇତିହାସ-ନଗରବିଜ୍ଞାନ, ଭୂଗୋଳ-ଅର୍ଥନୀତି ହେଉ, ପ୍ରତ୍ୟେକରେ ବିଭିନ୍ନ ଅସଙ୍ଗତି ସାମ୍‌ନାକୁ ଆସୁଛି। ପାଠ୍ୟପୁସ୍ତକରେ ବିଭିନ୍ନ ବିଷୟରେ ଯେତିକି ପୃଷ୍ଠା ସଂଖ୍ୟା ରହିଛି, ‘ପରୀକ୍ଷା ଦର୍ପଣ’ରେ ସେହି ବିଷୟର ପୃଷ୍ଠା ସଂଖ୍ୟା ଏକ ତୃତୀୟାଂଶରୁ କମ୍ ରହିଛି। ବିଭିନ୍ନ ବିଷୟରେ ଯେଉଁ ପ୍ରକାର ମଡେଲ ପ୍ରଶ୍ନ ଦିଆଯାଇଛି, ତାହା କେବଳ ଉଦାହରଣ ଭାବେ ଦିଆଯାଇଛି ନା ତାକୁ ପଢ଼ି ପରୀକ୍ଷାର୍ଥୀମାନେ ପରୀକ୍ଷାରେ ଉତ୍ତର ଲେଖିବେ, ତାହା ସ୍ପଷ୍ଟ ହେଉନାହିଁ। ଏବର୍ଷ ଗୋଟିଏ ସେଟ୍ ପ୍ରଶ୍ନ ଆସିବ ନା ପୂର୍ବବର୍ଷ ଭଳି ୪ସେଟ୍ ସମାନ୍ତରାଳ ପ୍ରଶ୍ନପତ୍ର ଆସିବ, ତାହା ‘ପରୀକ୍ଷା ଦର୍ପଣରେ ସ୍ପଷ୍ଟ ହେଉନାହିଁ। ଅନେକ ବିଷୟ‌ରେ କେବଳ ଗୋଟିଏ ଗୋଟିଏ ମଡେଲ ପ୍ରଶ୍ନ କାମଚଳା ଢଙ୍ଗରେ ଦେଇ ଦିଆଯାଇଛି। ପରୀକ୍ଷାରେ ୪ସେଟ୍ ପ୍ରଶ୍ନ ଆସ‌ିବ ବୋଲି ବୋର୍ଡ ପକ୍ଷରୁ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ବେଳେ ‘ପରୀକ୍ଷା ଦର୍ପଣ’ରେ କିନ୍ତୁ ସେହିଭଳି ମଡେଲ୍ ପ୍ରଶ୍ନ ଉଦାହରଣ ଭାବେ ଦିଆଯାଇନାହିଁ। ତେବେ ଏହି ‘ପରୀକ୍ଷା ଦର୍ପଣ’ ଛାତ୍ରଛାତ୍ରୀଙ୍କ ପାଇଁ କିଭଳି ଉପଯୋଗୀ ହେବ ବୋଲି ଅନେକ ବିଶେଷଜ୍ଞ ପ୍ରଶ୍ନ କଲେଣି। କୋଭିଡ୍ ପରିସ୍ଥିତିକୁ ନେଇ ଯେଉଁ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି, ସେଥିରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରସ୍ତୁତି ସହଜ, ସରଳ କରିବାକୁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ‘ପରୀକ୍ଷା ଦର୍ପଣ’ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ବ ବଢ଼ାଉଥିବାରୁ ବୋର୍ଡ ତୁରନ୍ତ ଏସଂପର୍କରେ ସ୍ପଷ୍ଟ କରିବାକୁ ଦାବି ହେଉଛି। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ଏ ସଂପର୍କରେ ସ୍ପଷ୍ଟ ମତ ଦେବାକୁ ପଛଘୁଞ୍ଚା ଦେବା ସହିତ ସମୟ ଗଡାଇ ଚାଲିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର