ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’

ଭୁବନେଶ୍ବର : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁରର ଅମ୍ରିତା ସ୍ନେହା ସାହୁ (ପରୀ) ହତ୍ୟାକାଣ୍ଡ ମାମଲାରେ ଆଉ ଏକ ନୂଆ ମୋଡ଼ ଆସିଛି । ଏହି ମାମଲାର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ପରୀର ମା’ ସୌଦାମିନୀ ସାହୁ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହି ମାମଲାର ତଦନ୍ତ ଏବେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ବାରା କରାଯାଉଥିବାବେଳେ ଏହି ତଦନ୍ତକୁ ନେଇ ପରୀର ପରିବାର ବର୍ଗ ପୂର୍ବରୁ ବାରମ୍ବାର ପ୍ରଶ୍ନ ଉଠାଇଥିଲେ । ଏବେ ମାମଲାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାଯାଉ ବୋଲି ଦାବି କରି ସୌଦାମିନୀ ଆଜି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି । ସମ୍ବିଧାନର ଧାରା ୩୨ ଅନୁସାରେ (ମୌଳିକ ଅଧିକାର ହନନ) ଏହି ରିଟ ପିଟିସନ ଦାୟର କରାଯାଇଛି ।

ଏହି ଆବେଦନରେ ସୌଦାମିନୀ ଦର୍ଶାଇଛନ୍ତି ଯେ ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ଉପରେ ଏକ ପ୍ରଶ୍ନଚିହ୍ନ ଲାଗିଥିବାରୁ ତଦନ୍ତ ସିବିଆଇ ପରି ଏକ ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଉ । ଏହା ଦ୍ବାରା ପ୍ରକୃତ ସତ୍ୟ ସାମନାକୁ ଆସିବ ଓ ପରୀର ପରିବାର ନ୍ୟାୟ ପାଇବେ ବୋଲି ଏଥିରେ କୁହାଯାଇଛି ।

 

ସମ୍ବନ୍ଧିତ ଖବର