ଭଣ୍ଡାରିପୋଖରୀ-୧: ପରିବେଶ ଏବେ ଅସନ୍ତୁଳିତ ଅବସ୍ଥାରେ ରହିଛି। ବିକାଶ ନାମରେ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ପାହାଡ଼ପର୍ବତକୁ ବି ଛଡ଼ାଯାଉନି। ଫଳରେ ଦିନକୁ ଦିନ ପରିବେଶ ବିଗିଡ଼ିଯାଉଛି। ଏବେଠୁ ପରିବେଶ ପ୍ରତି ଦୃଷ୍ଟି ନଦେଲେ ଆମେ ମୃତ୍ୟୁମୁଖକୁ ଟାଣି ହୋଇଯିବା। ପରିବେଶର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ ଏକ ଅଭିନବ କାର୍ଯ୍ୟକ୍ରମ। ଏଥିରେ ସମସ୍ତେ ଯୋଡ଼ି ହେବା ଦରକାର ବୋଲି ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅଧୀନ ଶାରଦା ବିଦ୍ୟାମନ୍ଦିର ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ।    

Advertisment

‘ସମ୍ବାଦ’ର ଭଦ୍ରକ ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି, ସରକାର ବୃକ୍ଷରୋପଣକୁ ଗୁରୁତ୍ବ ଦିଅନ୍ତୁ। ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇବା ସହ ତା’ର ଯତ୍ନ ନେବା ଆବଶ୍ୟକ। ମୁଖ୍ୟବକ୍ତା ଜିଲ୍ଲାପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ସବୁଜସୁନ୍ଦର ପରିବେଶ ପାଇଁ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ବ୍ଲକ୍‌ ଅଧ୍ୟକ୍ଷା ସୁମତୀ ସେଠୀ ସୁସ୍ଥ ଜୀବନଯାପନ ପାଇଁ ପରିବେଶ ପ୍ରଦୂଷଣ ରୋକାଯିବା ଜରୁରୀ ବୋଲି ପରାମର୍ଶ ଦେଇଥିଲେ। ଶାରଦା ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଗଛ ହେଉଛି ଆମ ଜୀବନ। ତେଣୁ ସମସ୍ତେ ନିଜ ନିଜ ବାଡ଼ିରେ ଯଥାସମ୍ଭବ ଗଛ ଲଗାଇବା।

ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ମନୁ ସତ୍ୟପ୍ରିୟ ଜେନା, ସ୍ଥାନୀୟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ଅଧିକାରୀ ଜଗନ୍ନାଥ ରାଉତ ଓ ଶ୍ୟାମସୁନ୍ଦର ମହାପାତ୍ର ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶିକ୍ଷାବିତ୍‌ ପବନ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭଣ୍ଡାରିପୋଖରୀ ‘ସମ୍ବାଦ’ ପ୍ରତିନିଧି ବିକାଶ ବେହେରା ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ନିତ୍ୟାନନ୍ଦ ଜେନା, ଗଣେଶ ବିଶ୍ୱାଳ, ହେମନ୍ତ ମହାପାତ୍ର, ଆକାଶ ଆଦିତ୍ୟ ବେହେରାଙ୍କ ସହ ସମ୍ବାଦ-ସାହିତ୍ୟଘରର ସଦସ୍ୟ ଏବଂ ବିଦ୍ୟାମନ୍ଦିରର ଆଚାର୍ଯ୍ୟମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।