କଟକ : କୋର୍ଟର ନିର୍ଦ୍ଦେଶ ଖିଲାପ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆଇଆଇସି ଲିଙ୍ଗରାଜ ଲେଙ୍କାକୁ ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା ଆଜି ଚାକିରିରୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ଶ୍ରୀ ଲେଙ୍କା ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ସମସ୍ତ ତଥ୍ୟ ପ୍ରମାଣ ପୁଲିସ ମୁଖ୍ୟାଳୟରେ ଦାଖଲ କରିବାକୁ ଢେଙ୍କାନାଳ ଏସପିଙ୍କୁ ଆଜି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ସତ୍ୟଭାମା ନାୟକ ନାମକ ଜଣେ ମହିଳା ଅନୁଗୁଳ ଏସ୍ଡିଜେଏମ୍ଙ୍କ କୋର୍ଟରେ ତାଙ୍କ ସ୍ୱାମୀ ହିମାଂଶୁ ଶେଖର ସାହୁଙ୍କ ବିରୋଧରେ ଭରଣପୋଷଣ ପାଇଁ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଅଦାଲତ ଶ୍ରୀ ସାହୁଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଥିଲେ। କୋର୍ଟର ନିର୍ଦ୍ଦେଶକୁ ପର୍ଜଙ୍ଗ ଥାନା ଆଇଆଇସି ଶ୍ରୀ ଲେଙ୍କା କାର୍ଯ୍ୟକାରୀ କରାଇନଥିଲେ । ପୁଲିସ ନିଷ୍କ୍ରିୟତା ବିରୋଧରେ ସତ୍ୟଭାମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଘଟଣାର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଆଡ୍ଭୋକେଟ୍ ଜେନେରାଲ୍ ପୂରା ଘଟଣାର ଷ୍ଟାଟସ୍ ରିପୋର୍ଟ ଶ୍ରୀ ଲେଙ୍କାକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଶ୍ରୀ ଲେଙ୍କା ଷ୍ଟାଟସ୍ ରିପୋର୍ଟ ଦାଖଲ କରିନଥିଲେ। ପୂର୍ବରୁ ମଧ୍ୟ ଅନୁଗୁଳ ଏସ୍ଡିଜେଏମ୍ କୋର୍ଟର ନିର୍ଦ୍ଦେଶକୁ ସେ କାର୍ଯ୍ୟକାରୀ କରିନଥିଲେ। ଏପରି ପରିସ୍ଥିତିରେ ହାଇକୋର୍ଟରେ ଶୁଣାଣି ସମୟରେ ମାମଲାର ସାନି ସ୍ଥିତି ସମ୍ପର୍କରେ ସରକାର ଅବଗତ କରିପାରିନଥିଲେ ଓ ମାମଲାର ଶୁଣାଣିରେ ବିଳମ୍ବ ହୋଇ ଚାଲିଥିଲା। କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଲା ପରେ ଆଜି ଡିଜିପି ତାଙ୍କୁ ଚାକିରିରୁ ନିଲମ୍ବନ କରିଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।
ପରଜଙ୍ଗ ଥାନା ଆଇଆଇସି ନିଲମ୍ବିତ
/sambad/media/post_attachments/wp-content/uploads/2018/07/I-I.c.LINGARAG-LENKA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)