ଫୁର୍ଲିଝରଣ ଜଳପ୍ରପାତରେ ଡିଅର ପାର୍କ ଓ ଇକୋ କଟେଜ ପାଇଁ ବନ ବିଭାଗର ପ୍ରସ୍ତାବ

ଭବାନୀପାଟଣା: କୋଭିଡ କଟକଣା ପରେ ଗତ ମାର୍ଚ୍ଚ ୨୮ ତାରିଖରୁ ପର୍ଯ୍ୟଟକମାନଙ୍କୁ ଫୁର୍ଲିଝରଣ ଜଳପ୍ରପାତ ବୁଲି ଆସିବା ପାଇଁ ବାରଣ କରାଯାଇଥିଲା । କଟକଣା କୋହଳ ପରେ ଆଜି ରବିବାର ଠାରୁ ପାର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଇଛି । ସେହିଭଳି କର୍ଲାପାଟ ରେଞ୍ଜ ପକ୍ଷରୁ ଫୁର୍ଲିଝରଣ ନିକଟରେ ଏକ ଡିଅର ପାର୍କ ସ୍ଥାପନ ଓ ଲାବଣ୍ୟସର ଠାରେ ୪ ଟି ଇକୋ କଟେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଦକ୍ଷିଣ ବନଖଣ୍ଡ ଡିଏଫଓ ସୂଚନା ଦେଇଛନ୍ତି ।
ପ୍ରାପ୍ତସୂଚନା ରୁ ପ୍ରକାଶ ଯେ, କୋଭିଡ କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୮ ତାରିଖ ଠାରୁ କର୍ଲାପାଟ ଅଭାୟାରଣ୍ୟ ଠାରେ ଥିବା ଫୁର୍ଲିଝରଣ ଜଳପ୍ରପାତ କୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଥିଲା । କଟକଣା କୋହଳ ହେବା ପରେ ଆଜି ନଭେମ୍ବର ୧ ମଙ୍ଗଳବାର ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲା ଯାଇଛି । ଆଜି ପ୍ରଥମ ଦିନରେ ୩୦ ଜଣ ପର୍ଯ୍ୟଟକ ଆସିଥିଲେ । ସୂଚନା ଅଭାବରୁ ବହୁ ପର୍ଯ୍ୟଟକ ଜାଣି ପାରିନାହାନ୍ତି । ପର୍ଯ୍ୟଟକ ମାନଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଫୁର୍ଲିଝରଣ ଗେଟ ଠାରେ ପ୍ରବେଶ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

 

ସେହିଭଳି ସାମାଜିକ ଦୂରତ୍ୱ ଓ ଅଧିକ ଗହଳି ନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । କର୍ଲାପଟ ଅଭୟାରଣ୍ୟ ପକ୍ଷରୁ ଲାବଣ୍ୟସର ଠାରେ ସାତକୋଶିଆ ଭଳି ୪ ଟି ଇକୋ କଟେଜ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏଥି ନିମନ୍ତେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ ରହିଛି । ଏହି କଟେଜ ଗୁଡିକ ରେ ପର୍ଯ୍ୟଟକ ରହିବା ଓ ଖାଇବା ପାଇଁ ଲାବଣ୍ୟସର ଗ୍ରାମବାସୀଙ୍କୁ ଦାୟିତ୍ୱ ଦିଆଯିବ । ଅନ୍ୟ ପକ୍ଷରେ ଫୁର୍ଲିଝରଣ ଠାରେ ୧ ଏକର ଜାଗାରେ ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏକ ହରିଣ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର ପ୍ରକାଶ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ରାଜ୍ୟ ସରକାରଙ୍କ ବିଚାରଧୀନ ରହିଛି ଓ କୋଭିଡ ଯୋଗୁଁ ଏହାର ଅନୁମୋଦନ ନେଇ ବିଳମ୍ବ ହୋଇଛି ବୋଲି କହିଥିଲେ ।ବର୍ତ୍ତମାନ ଫୁର୍ଲିଝରଣକୁ ବୁଲିଯିବା ପାଇଁ ପ୍ରତି ପର୍ଯ୍ୟଟକଙ୍କୁ ୨୫ ଟଙ୍କା ଟିକଟ ଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ରହିଛି ।
ସମ୍ବନ୍ଧିତ ଖବର