ଲିଙ୍ଗରାଜ ମନ୍ଦିର ଓ ଶ୍ରୀକ୍ଷେତ୍ର ଆଖପାଖରେ ଆଜି ବି ଚାଲିଛି ଉଚ୍ଛେଦ ଅଭିଯାନ

ଭୁବନେଶ୍ୱର/ପୁରୀ: ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଉଚ୍ଛେଦ ଜାରି ରହିଛି । ବିଏମସି ପକ୍ଷରୁ ଦକ୍ଷିଣଦ୍ୱାର ପାର୍ଶ୍ୱରେ ଆଜି ଉଚ୍ଛେଦ କରାଯାଉଛି । ପ୍ରବଳ ବିରୋଧ ସତ୍ୱେ ତାରିଣୀ ମନ୍ଦିରକୁ ଭଙ୍ଗାଯାଇଛି । ଗତକାଲି ସ୍ଥାନୀୟ ଲୋକମାନେ ଅଭିଶାପ ଦେବା ପରେ ମନ୍ଦିର ଭାଙ୍ଗିନଥିଲେ ଅଧିକାରୀ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱକୁ ନୂଆ ରୂପ ଦେବା ପାଇଁ ୭୫ ମିଟର ପର୍ଯ୍ୟନ୍ତ ପ୍ରଶାସନ ଉଚ୍ଛେଦ କରୁଛି । ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାର-ଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ ।

ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ । ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଲିଙ୍ଗରାଜ ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ସେହିପରି ପୁରୀରେ ମଧ୍ୟ ତୃତୀୟ ଦିନରେ ସାନଛତା ମଠ ଉଚ୍ଛେଦ ଜାରି ରହିଛି ।

ପୁରୀ ଦୋଳ ବେଦୀ ନିକଟରେ ଥିବା ସାନ ଛତା ମଠରେ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ୫ ଜଣ ମାଜିଷ୍ଟ୍ରେଟ ଓ ୩ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ମଙ୍ଗୁମଠ ପରେ ସାନଛତା ମଠରେ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରୁ ୭୫ ମିଟର ପରିଧି ଭିତରେ ଏହି ମଠ ଆସୁଥିବାରୁ ଉଚ୍ଛେଦ କରାଯାଉଛି । କାଲି ସ୍ୱର୍ଗଦ୍ୱାର ଓ ସାନଛତା ମଠରେ ଉଚ୍ଛେଦ ହୋଇଥିଲା ।

ସମ୍ବନ୍ଧିତ ଖବର