ପୁରୀ: ପାର୍କିଂ ଚାର୍ଟ ସତ୍ତ୍ବେ କମୁନି ଶୋ‌ଷଣ, ଚେତାବନୀ ଦେଇ ଭୁଲିଗଲା ପ୍ରଶାସନ

ପୁରୀ : ପାର୍କିଂ ଚାଟ୍‌ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଅଥଚ ଏହାକୁ ଚିରିଦେଇ ମନ ଇଚ୍ଛା ପାର୍କିଂ ଫି ଆଦାୟ ହେଉଛି। ୩ ଘଣ୍ଟା ପାଇଁ ଦର ୧୦ ଟଙ୍କା ନିର୍ଧାରିତ ହୋଇଛି। ଅଥଚ ଘଣ୍ଟାଏ ରଖିଲେ ବି ସମସ୍ତଙ୍କଠାରୁ ୩୦ ଟଙ୍କା ଅସୁଲ କରାଯାଉଛି। ଏନେଇ ଯୁକ୍ତି କଲେ ଗାଡ଼ି ନେଇ ପଳାଅ ବୋଲି ଧମକ ବି ଦିଆଯାଉଛି। ଗାଡ଼ି ପାର୍କିଂରେ ଚଢ଼ା ଦର ଆଦାୟ ହେଉଥିବା ନେଇ ନିକଟରେ ସମ୍ବାଦରେ ଖବର ପ୍ରକାଶନ ପରେ ପୌରସଂସ୍ଥା ରେଟ୍‌ ଚାର୍ଟ ଲଗାଇବାକୁ ନିର୍ଦେଶ ଦେଇଥିଲେ। ତେଣୁ ଏକ ଛୋଟ ଫ୍ଲେକ୍ସରେ ଦର ତାଲିକା ଝୁଲାଇ ଦିଆଗଲା। ମାତ୍ର ଏହା ଧର୍ମକୁ ଆଖିଠାର ସଦୃଶ ହେଲା। ଛୋଟିଆ ଫ୍ଲେକ୍ସ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କ ଆଖିରେ ପଡ଼ିଲା ନାହିଁ। ମୁଖ୍ୟତଃ ବାହାରୁ ପର୍ଯ୍ୟଟକମାନେ ବାଇକ୍‌ କିମ୍ବା କାର୍‌ ଯୋଗେ ଆସୁଥିବାରୁ ପାର୍କ ମଧ୍ୟରେ ଥିବା କର୍ମଚାରୀମାନେ ଯେତେ ଦର କହିଲେ ବି ସେମାନେ ଦେବାକୁ ବାଧ୍ୟ ହେଲେ।

ବାସ୍ତବରେ ଦିଗବାରେଣୀ ପାର୍କିଂ ନିକଟରେ ଅନ୍ୟ କୌଣସି ପାର୍କିଂ ସ୍ଥଳ ନ ଥିବାରୁ ଲୋକେ ଯୁକ୍ତି କରିବା ଅପେକ୍ଷା କାନମୁଣ୍ଡା ଆଉଁଷି ସେମାନଙ୍କ ମୁହଁରୁ ବାହାରୁଥିବା ଦର ଦେଉଛନ୍ତି। ପାର୍କିଂ ସ୍ଥଳରେ ଚଢ଼ା ଦର ଆଦାୟ ହେଉଥିବା ନେଇ ପୌରସଂସ୍ଥାର ବାବୁମାନେ ଅବଗତ ଅଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏନେଇ ବାରମ୍ବାର ଅଭିଯୋଗ ହେଉଛି। ମାତ୍ର ପ୍ରଶାସନ କେବଳ ନାଁ’କୁ ମାତ୍ର ଚେତାବନୀ ଦେଇ ଭୁଲିଯାଉଛି। ଯେମିତି ଟେଣ୍ଡର ଦେବା ପରେ ପୌରସଂସ୍ଥା ଅସହାୟ ହୋଇ ପଡ଼ିଛି। ଫଳରେ ଲୋକେ ଶୋଷଣର ଶିକାର ହେଉଛନ୍ତି। ଏଣେ ରଥଯାତ୍ରା ପାଇଁ ଭକ୍ତଙ୍କ ବିପୂଳ ସମାଗମ ହେବାକୁ ଯାଉଥିବାରୁ ଅନ୍ତତଃ ପର୍ଯ୍ୟଟକମାନେ ଯେଭଳି ଆର୍ଥିକ ଶୋଷଣର ଶିକାର ହେବେ ନାହିଁ ସେ ନେଇ ପୌରସଂସ୍ଥା ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ କରାଯାଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନିୟମିତ ଯାଞ୍ଚ କରାଯିବ ସେନେଇ ବ୍ୟବସ୍ଥା କରିବାକୁ ଆସୋସିଏସନ ଅଫ୍ ଟ୍ବିଟର୍‌ ଆକ୍ଟିଭିଷ୍ଟର ସତ୍ୟନାରାୟଣ ସାହୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର