ରଥଯାତ୍ରାରେ ପାର୍କିଂ ଶୋଷଣ: ପୌରସଂସ୍ଥା ନାଁରେ ଲୁଟୁଛନ୍ତି

ପୁରୀ: ରଥଯାତ୍ରାରେ ଭକ୍ତଙ୍କ ଭିଡ଼ ଦେଖି କିଛି ବ୍ୟକ୍ତି ପାର୍କିଂ ନାଁରେ ଶୋଷଣ ଆରମ୍ଭ କରି ଦେଇଛନ୍ତି। ପୌରସଂସ୍ଥାର କୌଣସି ବୈଧ ରସିଦ୍‌ ନ ଥିଲେ ବି ପୁରୀ ପୌରସଂସ୍ଥା ନାଁରେ ଭକ୍ତଙ୍କଠାରୁ ‌ପାର୍କିଂ ନାଁରେ ଟଙ୍କା ଆଦାୟ କରୁଛନ୍ତି। ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆଗରେ ଏଭଳି ଶୋଷଣ ଚାଲିଥିଲେ ବି କାହାରି ନଜର ନ ପଡ଼ିବା ଭକ୍ତଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଅବିନାଶ ପରିଡ଼ା ନାମକ ଜଣେ ବ୍ୟାଙ୍କ ଅଧିକାରୀ ତାଙ୍କ ଭଉଣୀଙ୍କ ସହ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଜାତୀୟ ପଲ୍ଲିଶ୍ରୀ ମେଳା ବୁଲିବାକୁ ଯାଇଥିଲେ। ମେଳା ବୁଲି ଯାଇଥିବା ଲୋକେ ଯେଉଁସ୍ଥାନରେ ଗାଡ଼ି ରଖିଛନ୍ତି, ସେହି ସ୍ଥାନରେ ଗାଡ଼ି ରଖି ମେଳା ବୁଲିବାକୁ ଯିବା ସମୟରେ କିଛି ବ୍ୟକ୍ତି ଆସି ତାଙ୍କୁ ଟଙ୍କା ମାଗିଥିଲେ।

ପଚାରିବାରୁ ପାର୍କିଂ ଫି’ ବାବଦକୁ ଏହି ଟଙ୍କା ଆଦାୟ ହେଉଛି ବୋଲି କହିଥିଲେ। ପରେ ଏକ ରସିଦ୍‌ ଦେଇ ୩୦ ଟଙ୍କା ମାଗିଥିଲେ। ୩୦ ଟଙ୍କା ଦେଇ ଯିବାବେଳେ କାହାଠାରୁ ୨୦ ଟଙ୍କା ତ କାହାଠାରୁ ୪୦ ଟଙ୍କା ବି ପାର୍କିଂ ଫି’ ଆଦାୟ କରାଯାଉଥିବା ଶୁଣିବାକୁ ପାଇଥିଲେ। କିନ୍ତୁ ଶ୍ରୀ ପରିଡ଼ା ଯେଉଁ ରସିଦ୍‌ ପାଇଥିଲେ, ସେଥିରେ ନାଁ କୌଣସି ରସିଦ୍‌ ନମ୍ବର ଥିଲା ନା ପୌରସଂସ୍ଥାର ବୈଧତା ପାଇଁ କୌଣସି ଷ୍ଟାମ୍ପ ରହିଥିଲା। ଏପରିକି ରସିଦ୍‌ ଦେବା ପରେ ଏଥିରେ କୌଣସି ତାରିଖ କି ଟଙ୍କା ଉଲ୍ଲେଖ କରାଯାଇନଥିଲା। ଶ୍ରୀ ପରିଡ଼ା ଏ ସମ୍ପର୍କରେ ପଚାରିବାରୁ ପୌରସଂସ୍ଥା ଆମକୁ ପାର୍କଂ ଫି ଆଦାୟ କରିବାକୁ ଅନୁମତି ଦେଇଛି ବୋଲି ସଂପୃକ୍ତ ବ୍ୟକ୍ତି କହିଥିଲେ। ଏହା କେବଳ ଶ୍ରୀ ପରିଡ଼ାଙ୍କ ସହ ଘଟିନହିଁ, ମେଳା ବୁଲିବାକୁ ଆସୁଥିବା ଶହ ଶହ ଲୋକ ଏଠାରେ ପାର୍କିଂ କରି ଏଭଳି ଠକାମୀର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର