ପାରଳା ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଓଡ଼ିଶା ମୁଖ୍ୟ ସଚିବଙ୍କୁ ଚିଠି

ପାରଳାଖେମୁଣ୍ଡି : ପାରଳା ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଏଦିଗରେ ସବିଶେଷ ଅନୁଧ୍ୟାନ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି ଚିଠିରେ ପରାମର୍ଶ ଦିଆଯାଇଛି।

ପାରଳାଖେମୁଣ୍ଡିରେ ବ୍ରିଟିସ୍‌ଙ୍କ ବିରୋଧରେ ସ୍ବାଧୀନତା ସଂଗ୍ରାମ ୧୭୬୭ ମସିହାରେ ଆରମ୍ଭ ହୋଇ ୧୮୩୪ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୧୮ଜଣ ଫାଶୀ ପାଇଥିବାବେଳେ ୨୫ଜଣ କଳାପାଣି ନିର୍ବାସନ ଦଣ୍ଡ ଭୋଗିଥିଲେ ଏବଂ ବହୁସଂଖ୍ୟକ ସଂଗ୍ରାମୀ ଇଂରେଜ୍‌ ସେନା ସହ ସମ୍ମୁଖ ଯୁଦ୍ଧରେ ନିହତ ହୋଇଥିଲେ। ପାରଳାଖେମୁଣ୍ଡିର ବିଶିଷ୍ଟ ଐତିହାସିକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ଲିଖିତ ପୁସ୍ତକ ‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୭-୧୮୩୪)’ରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକର ଏକ କପି ସହ ପାରଳା ସଶସ୍ତ୍ର ସଂଗ୍ରାମକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ସ୍ବୀକୃତି ଦିଆଯିବା ଦିଗରେ ପଦକ୍ଷେପ ନେବାକୁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ଗତ ମେ ୧୦ ତାରିଖରେ ପ୍ରେରଣ କରାଯାଇଥିଲା। ସେହିଭଳି; ସଂଗ୍ରାମରେ ଭାଗନେଇ ଫାଶୀ ପାଇଥିବା ୧୮ଜଣ ସଂଗ୍ରାମୀଙ୍କ ସ୍ମୃତି ରକ୍ଷାପାଇଁ ପାରଳାଖେମୁଣ୍ଡି ସହର ତଥା ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥିଲା, ସେହି ସମସ୍ତ ଗ୍ରାମରେ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇ ତାହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଚିଠିରେ ଅନୁରୋଧ କରାଯାଇଥିଲା। ଏ ଦିଗରେ ସବିଶେଷ ଅନୁଧ୍ୟାନ କରି ବିଶେଷ କାର୍ଯ୍ୟାନୁଷ୍ଠାନ ସକାଶେ ରାଷ୍ଟ୍ରପତିଙ୍କ ସଚିବାଳୟରୁ ପତ୍ର ସଂଖ୍ୟା ପି୨/ଜି/୧୦୦୬୨୨୦୦୩୪/୧୦.୦୬.୨୦୨୨ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ପତ୍ର ପ୍ରେରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପାରଳା ସଶସ୍ତ୍ର ସଂଗ୍ରାମକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ପ୍ରସଙ୍ଗରେ ଗଜପତି ଜିଲ୍ଲାବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଆସୁଛି। ଏଥିପାଇଁ ଗତ ୧୦ ତାରିଖ ଦିନ ଜିଲ୍ଲାର ରାୟଗଡ଼ ବ୍ଳକ୍‌ ସ୍ଥିତ ଟିଆର୍‌ଡବଲ୍ୟୁ ହାଇସ୍କୁଲ ପରିସରରେ ୫୦୦ ଅଭିଭାବକଙ୍କୁ ନେଇ ଏକ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ବ୍ରିଟିସ୍‌ ସେନା ବିରୋଧରେ ସଂଗ୍ରାମରେ ସହିଦ୍‌ମାନଙ୍କ ସ୍ମୃତି ରକ୍ଷାପାଇଁ ଯଥାଶୀଘ୍ର ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ମତପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର