ପାରଳାଖେମୁଣ୍ଡି: ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ ଇତିହାସ ରହିଛି। ବ୍ରିଟିସ୍ ଶାସନ ତଥା ଭାରତ ସ୍ବାଧୀନତାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏଠାରେ ରେଳ ଗଡ଼ିଥିଲା। ସେହି ଅତୀତର ସ୍ମୃତିକୁ ତାଜା ରଖିବା ପାଇଁ ପୁରୁଣା ଦିନର ସେହି ରେଳ ଇଂଜିନ୍କୁ ଏଠାରେ ସ୍ଥାନିତ କରିବାକୁ ବାରମ୍ବାର ଦାବି ହୋଇ ଆସୁଛି। ପାରଳାଖେମୁଣ୍ଡିରେ ରେଳର ବିକାଶ ପରେ ସ୍ଥାନୀୟ ଲୋକେ ଏଠାରେ ଚାଲିଥିବା ଏକ ପୁରୁଣା ଇଞ୍ଜିନ ଆଣିବା ପାଇଁ ଦାବି କରିବା ପରେ ପୂର୍ବତଟ ରେଳ ବିଭାଗ ୱାଲଟିୟର୍ ଡିଭିଜନ ପକ୍ଷରୁ ଅବିକଳ ଏକ ନକଲ ଇଞ୍ଜିନ ୧୮ ଲକ୍ଷ ବ୍ୟୟରେ ନିର୍ମାଣ କରି ଏଠାକୁ ଅଣାଇ ଷ୍ଟେସନ ସମ୍ମୁଖରେ ସ୍ଥାପନ କରିଛନ୍ତି। ତେବେ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି। ଏଠାରେ ବିଭିନ୍ନ ସମୟରେ ଚଳାଚଳ କରିଥିବା ୫ଟି ରେଳ ଇଞ୍ଜିନ୍ ମଧ୍ୟରୁ ଗୋଟିଏ ଲେଖାଏଁ ଚେନ୍ନାଇ, ବିଶାଖାପାଟଣା, ପୁରୀ ସମେତ ଅନ୍ୟ ଦୁଇଟି ସ୍ଥାନରେ ରହିଛି। ସେଥିରୁ ଗୋଟିଏକୁ ପାରଳାଖେମୁଣ୍ଡି ଆଣିବା ପାଇଁ ସେମାନେ ନିବେଦନ କରିଛନ୍ତି। ପାରଳାଖେମୁଣ୍ଡିରେ ରେଳପଥ ନିର୍ମାଣ ଇତିହାସକୁ ଅନୁଧ୍ୟାନ କଲେ, ବ୍ରିଟିସ୍ ଶାସନ କାଳରେ ପାରଳାଖେମୁଣ୍ଡି ଏକ ଜମିଦାରୀ ଭାବେ ୧୮୩୦ ରୁ ୧୮୯୦ ପର୍ଯ୍ୟନ୍ତ ମାନ୍ଦ୍ରାଜ ପ୍ରଦେଶ ତଥା କୋର୍ଟ ଅଫ୍ ୱାର୍ଡସ୍ଙ୍କ ଅଧୀନରେ ଥିଲା।
ସେତେବେଳେ କୋର୍ଟ ଅଫ୍ ୱାର୍ଡସ୍ ପାରଳାଖେମୁଣ୍ଡିରେ ନୌପଡ଼ା ଠାରୁ ବାତିଲି ପର୍ଯ୍ୟନ୍ତ ଏକ ରେଳପଥ ନିର୍ମାଣ କରିବାକୁ ସର୍ଭେ କରିଥିଲେ। ଏଥିପାଇଁ ପାରଳା ରାଜକୋଷରୁ ୮ ହଜାର ଟଙ୍କା ବ୍ୟୟ ହୋଇଥିଲା। କିନ୍ତୁ ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜା ଗୌରଚନ୍ଦ୍ର ଗଜପତି ୧୮୯୦ରେ କୋର୍ଟ ଅଫ ୱାର୍ଡସ୍ଙ୍କ ଠାରୁ ରାଜ୍ୟ ଫେରି ପାଇବା ପରେ ନିଜ ରାଜଧାନୀ ପାରଳାଖେମୁଣ୍ଡିକୁ ରେଳପଥ ଦ୍ବାରା ସଂଯୁକ୍ତ କରି ଗମନାଗମନ ଓ ବାଣିଜ୍ୟର ଉନ୍ନତି ଲକ୍ଷ୍ୟରେ ୨ଫୁଟ ୬ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ୨୫ ମାଇଲ ରେଳପଥ ନିର୍ମାଣ କରିବା ପାଇଁ ସରକାରଙ୍କ ଅନୁମତି ମାଗିଥିଲେ। ଏଥିପାଇଁ ୧୮୯୮ ଏପ୍ରିଲ ୧୪ରେ ପ୍ରକଳ୍ପ ଅନୁମୋଦନ ହୋଇ ୭ଲକ୍ଷ ଟଙ୍କା ମଞ୍ଜୁର ହେଲା। ରେଳପଥର ନିର୍ମାଣ ଶେଷ କରାଯାଇ ୧୯୦୦ ମସିହା ଏପ୍ରିଲ ୧ରେ ରେଳ ଚଳାଚଳ ପାଇଁ ଉନ୍ମୁକ୍ତ ହୋଇଥିଲା। ୧୯୧୨ ଠାରୁ ଏହା କ୍ରମାନ୍ବୟରେ ଲାଭଦାୟକ ହେବାରୁ ତତ୍କାଳୀନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏହି ରେଳପଥକୁ ଆହୁରି ୩୧ ମାଇଲ୍ ଅର୍ଥାତ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ।
କିଛି ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଜପତି ମହାରାଜା ଏହି ରେଳପଥରେ ଚାଲୁଥିବା ଇଞ୍ଜିନ୍ଗୁଡ଼ିକର ନାମ ରଖିଥିଲେ ହନୁମାନ, ପର୍ଶୁରାମ ଓ କୁବେର। ଜନସାଧାରଣଙ୍କ ଦାବି ପରେ ଭାରତ ସରକାର ୧୯୯୪ରେ ଏହାର ପ୍ରଶସ୍ତୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁଣୁପୁର ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ଓ ବ୍ରଡ଼୍ଗଜ୍ ରେଳଲାଇନ୍ କାର୍ଯ୍ୟ ୨୦୧୦ ମାର୍ଚ୍ଚ ୩୧ରେ ଶେଷ ହେଲା ଓ ଗୁଣୁପୁର ପର୍ଯ୍ୟନ୍ତ ରେଳ ଇଞ୍ଜିନ ଯାତାୟାତ କଲା। ୨୦୧୦ ଡିସେମ୍ବର ୧୮ ତାରିଖରେ ପୁରୀ-ପଲାସା ପାସେଞ୍ଜର ଟ୍ରେନ୍କୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା।