ସୀମନ୍ତିକା ନନ୍ଦ
କଟକ: ଛାତ୍ର ରାଜନୀତିରୁ ରାଜ୍ୟ ଓ ଦେଶ ରାଜନୀତିରେ ନିଜର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ରାଜନେତାଙ୍କ ତାଲିକା ଖୁବ୍ ଲମ୍ବା। ରେଭେନ୍ସା ​କଲେଜ, ମଧୁସୂଦନ ଆଇନ କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ରାଜନୀତିରେ ପାଦ ଦେଇ ପରବର୍ତ୍ତୀ ସମୟରେ ଏହି ନେତାମାନେ ବିଧାୟକ, ସାଂସଦ ଓ ମନ୍ତ୍ରୀ ହୋଇ ପାରିଛନ୍ତି। ସେହି ନେତାଙ୍କ ଭିତରେ ରହିଛନ୍ତି ତ୍ରିଲୋଚନ କାନୁନ୍‌ଗୋ, ପଞ୍ଚାନନ କାନୁନଗୋ, ବର୍ତ୍ତମାନର କୃଷିମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା‌, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ।

Advertisment

ତ୍ରିଲୋଚନ କାନୁନ୍‌ଗୋ ରେଭେନ୍ସା କଲେଜ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ସେ ପରବର୍ତ୍ତୀ ସମୟରେ ପ୍ରତ୍ୟକ୍ଷ ନିର୍ବାଚନରେ କଟକର ପ୍ରଥମ ନଗରପାଳ ହେବା ସହ ଜଗତ୍‌ସିଂହପୁର ସାଂସଦ, ଗୋବିନ୍ଦପୁର ବିଧାୟକ ଭାବେ ରାଜନୀତିରେ ଲମ୍ବା ଇନିଂସ ଖେଳି ଥିଲେ। ସେହିପରି ଆଠଗଡ଼ ବିଧାୟକ ତଥା ବର୍ତ୍ତମାନର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କଟକର ମଧୁସୂଦନ ଆଇନ କଲେଜ ଛାତ୍ର ସଂସଦର ସଭାପତି ରହିବା ସହ ବିଭିନ୍ନ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ। ପ୍ରତାପ ଜେନା ଛାତ୍ର ରାଜନୀତି ପରେ ଛାତ୍ର ଜନତାଦଳର ରାଜ୍ୟ ସଭାପତି ବି ରହିଥିଲେ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ବାଣୀବିହାର ଛାତ୍ର ସଂସଦ ସଭାପତି ଓ ଖ୍ରୀଷ୍ଟ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ରହିଥି‌ଲେ। ସେହିପରି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ରାଜନୈତିକ କ୍ୟାରିୟର ବି ଛାତ୍ରରାଜନୀତିରୁ ଆରମ୍ଭ ହୋଇଥିଲା। ସେ ଭଦ୍ରକ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସଂପାଦକ ପାଇଁ ନିର୍ବାଚନ ଲଢି ଯଦିଓ ପରାସ୍ତ ହୋଇଥିଲେ, କିନ୍ତୁ ସେହି ଠାରୁ ତାଙ୍କ ରାଜନୈତିକ ମୂଳଦୁଆ ପଡିଥିଲା। ବାଙ୍କୀର ବିଧାୟକ ଦେବୀରଂଜନ ତ୍ରିପାଠୀ, ଚୌଦ୍ବାର-କଟକ ବିଧାୟକ ସୌଭିକ ରଂଜନ ବିଶ୍ବାଳ ବି ଛାତ୍ର ରାଜନୀତିରେ ସକ୍ରିୟ ରହି ଏବେ ବିଧାୟକ ହେବାର ସୁଯୋଗ ପାଇଛନ୍ତି।