୧୫ କେନ୍ଦ୍ରୀୟ ଅନୁଷ୍ଠାନର ଅଡିଟ୍‌ କରିବ ସଂସଦୀୟ ଟିମ୍‌

୨୦୧୯ ମସିହାରେ କରାଯାଇଥିବା ଖର୍ଚର ନେବେ ହିସାବ
ଏମ୍ସ, ନାଇଜର, ଆଇଆଇଟି ବି ସାମିଲ

ଭୁବନେଶ୍ବର : ଓଡ଼ିଶାରେ ସ୍ଥିତ କେନ୍ଦ୍ର ସରକାରଙ୍କ ୮ଟି ବିଭାଗ ଅଧୀନରେ ଥିବା ୧୫ଟି ଶିକ୍ଷା, କୃଷି, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସମେତ ବିଭିନ୍ନ ବ୍ୟାଙ୍କର ଅଡିଟ୍‌ କରିବ ସଂସଦୀୟ ଦଳ। ରାଜ୍ୟସଭା ସଦସ୍ୟ କେ.ସି ରାମମୂର୍ତ୍ତିଙ୍କ ନେତୃତ୍ବରେ ଗଠିତ ୮ ଜଣିଆ ସଦସ୍ୟ ଏହି କମିଟିରେ ରହିବେ। ସେମାନେ ଏଥି ପୂର୍ବରୁ ସିଲଂ, ଗୌହାଟି, କୋଲକାତା ସ୍ଥିତ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନର ଅଡିଟ୍‌ କରିବା ପରେ ଆଜି ଭୁବନେଶ୍ବର ଆସୁଛନ୍ତି।

ସୂଚନା ଅନୁଯାୟୀ, କୋଭିଡ୍‌ ଆଳରେ ୨୦୧୯ ମସିହାରେ କରାଯାଇଥିବା ଖର୍ଚର ହିସାବ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନ ବିଳମ୍ବରେ ଏବଂ ଠିକ ଭାବରେ ଦିଆଯାଇନଥିବା ନେଇ କିଛି ଦିନ ପୂର୍ବରୁ ସଂସଦରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ସଂସଦୀୟ କମିଟି ଗଠନ କରାଯାଇ ଅଡିଟ କରିବାକୁ ନିର୍ଦେଶ ହୋଇଛି। ସରକାରୀ କାର୍ଯ୍ୟକ୍ରମ ଅନୁସାରେ ଟିମ୍‌ ରବିବାର ଆନାଟୋମି ବିଭାଗ ଅଧୀନରେ ଥିବା ନାଇଜର, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଅନ୍ତର୍ଗତରେ ଏମ୍ସ, ଉତ୍କଳ ବିଶ୍ବବିଦ୍ୟାଳୟର ପପୁଲେସନ ରିସର୍ଚ ସେଣ୍ଟର, କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଅନ୍ତର୍ଗତରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଲିମିଟେଡ, ସୋମବାର ଦିନ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଆଇଆଇଟି ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ଅନ୍ତର୍ଗତରେ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ, ପାରାଦୀପ ବନ୍ଦର, ବିତ୍ତବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, କାନାଡ଼ା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କର ଅଡିଟ କରିବେ। ଏହି ଅବସରରେ ସେମାନେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ସମ୍ବନ୍ଧିତ ଖବର