ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ ମୋହର, ଖୁବ୍‌ଶୀଘ୍ର ଜମି କିଣାବିକା

ଭୁବନେଶ୍ବର: ବକୁଳ ବନ ନିକଟରେ ସ୍ଥାପନ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ନିର୍ମାଣରେ ବିଳମ୍ବକୁ ନେଇ ଉଠୁଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସତ୍ୟବାଦୀ ଗୋପୀନାଥ ଦେବଙ୍କ ନାମରେ ରହିଥିବା ଜମି ବିକ୍ରି କରିବା ପାଇଁ ରାଜ୍ୟ ଦେବୋତ୍ତର କମିସନର ରଖିଥିବା ପ୍ରସ୍ତାବ ଉପରେ ସରକାରୀ ମୋହର ବାଜିଛି। କିଣାବିକା ପାଇଁ ରହିଥିବା ସମସ୍ତ ସର୍ତ୍ତ ରାଜ୍ୟ ସରକାର ମାନି ନେଇଥିବା ଆଇନମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। ଖୁବ୍‌ଶୀଘ୍ର ଏହି ଜମି କିଣାବିକା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଦେବୋତ୍ତର କମିସନର ରଖିଥିବା ସର୍ତ୍ତକୁ କୌଣସି ପରିସ୍ଥିତିରେ ବଦଳାଯିବନି। ସର୍ତ୍ତ ଖିଲାପ ହେଲେ ମହାପ୍ରଭୁଙ୍କ ଖାତାକୁ ଜମି ଫେରିଯିବା ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଦୂର ହୋଇଛି।

ସୂଚନାଯୋଗ୍ୟ, ସତ୍ୟବାଦୀ ବନ ବିଦ୍ୟାଳୟଠାରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଥିଲେ। ବକୁଳ ବନର ୨୯.୦୧ ଏକର ଜମି ବିକ୍ରି କରିବାକୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତର କମିସନରଙ୍କ ନିକଟରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଧାରା-୧୯ ମୁତାବକ ଆବେଦନ କରିଥିଲେ। ଏହାକୁ ନେଇ ଦେବୋତ୍ତର କମିସନରଙ୍କ ନିକଟରେ ୨୬୨/୧୮ରେ ଏକ ‌ମାମଲା ରୁଜୁ ହେବା ସହ ମାମଲାର ଶୁଣାଣି କରି କମିସନର ଜମି ବିକ୍ରି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏଥିରେ ଅନେକ ସର୍ତ୍ତ ରଖିଥିଲେ। ବକୁଳବନରେ ଥିବା ଗଛପତ୍ର କଟା ଯିବ ନାହିଁ। ସେନାପଟା ଲାଗି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଯାଉଥିବା ବଉଳ କାଠକୁ ନେଇ ରହିଥିବା ପରମ୍ପରା ଯେଭଳି ପ୍ରଭାବିତ ନ ହୁଏ ସେଥିପାଇଁ ସରକାର ଧ୍ୟାନ ରଖିବେ। ଓଡ଼ିଆ ବିଶ୍ବବିଦ୍ୟାଳୟ ଛଡ଼ା ଏଠାରେ କୌଣସି ପ୍ରକାରର ବ୍ୟାବସାୟିକ ପ୍ରତିଷ୍ଠାନ ଚଳାଇପାରିବେ ନାହିଁ। ଏଭଳି ସମସ୍ତ ସର୍ତ୍ତକୁ ସରକାର ମାନି ନେଇଛନ୍ତି। ଘରବାଡ଼ି କିସମ ଜମି ଦର ଏକର ପିଛା ୧ କୋଟି ୭୫ଲକ୍ଷ, ବଗାୟତ ଓ ପତିତ କିସମ ଜମି ୧ କୋଟି ୨୫ଲକ୍ଷ ଓ ଜଳାଶୟ ଜମି ୨ଲକ୍ଷ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୨୯.୦୧ ଏକର ଜାଗା ପାଇଁ ସରକାରଙ୍କୁ ୨୪ଟି ପ୍ଲଟ୍‌ କିଣିବାକୁ ରହିଛି। ଜମି ବିକ୍ରିରୁ ଲବ୍ଧ ଅର୍ଥ ଜାତୀୟକରଣ ବ୍ୟାଙ୍କ୍‌ରେ ଦୀର୍ଘ ମିଆଦି ସୂତ୍ରରେ ଜମା ରଖାଯିବାକୁ ଆଦେଶ ହୋଇଛି। ଏହି ଅର୍ଥ ମନ୍ଦିର ବିକାଶରେ ଖର୍ଚ୍ଚ ହେବ। ଗତବର୍ଷ ଗୋପବନ୍ଧୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରି ସାରିଛନ୍ତି।

ସମ୍ବନ୍ଧିତ ଖବର