ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌; ପ୍ରଫେସରଙ୍କ ପାଖକୁ ଫେରିବ କି ‘କୋକୋ’?

କଟକ: ସ୍ଥାନୀୟ ତୁଳସୀପୁର ଅଞ୍ଚଳର ମଧୁସୂଦନ ନଗରର ବାସିନ୍ଦା ପ୍ରଫେସର ସସ୍ମିତା ବେହେରା ଦୀର୍ଘ ଦିନରୁ ପାଳନ କରିଥିବା ଶୁଆ ‘କୋକା’କୁ ପୁଣି ଫେରି ପାଇବେ କି? ‘କୋକୋ’ ନିଖୋଜ ହେବା ଦିନ ଠାରୁ ପ୍ରଫେସରଙ୍କ ଚିନ୍ତା ବଢ଼ିଛି। ପ୍ରଫେସର ଶ୍ରୀମତୀ ବେହେରା ଏବେ ବି କୋକୋ ଫେରିବା ବାଟକୁ ଚାହିଁଛନ୍ତି। ବନ ବିଭାଗ ‌‘କୋକୋ’କୁ ନେଇ ଯିବା ପରେ ପ୍ରଫେସର ଏହାକୁ ଫେରି ପାଇବା ପାଇଁ ଉଦ୍ୟମ କରୁଛନ୍ତି। କାରଣ ଏମିତି ବି ରାଜ୍ୟରେ ହଜାର ହଜାର ଲୋକ ନିଜ ଘର ମାନଙ୍କରେ ଶୁଆ ଓ ଅନ୍ୟ ବନ୍ୟ ପ୍ରାଣୀ ପାଳନ କରୁଛନ୍ତି। କିନ୍ତୁ ଯେତେବେଳେ ବନ ବିଭାଗର ନଜରକୁ ଆସୁଛି ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ଶୁଆ ‘କୋକୋ’କୁ ପ୍ରଫେସର ଅନେକ ଦିନ ପୂର୍ବରୁ ପାଳନ କରିଥିଲେ। ତାକୁ ଯତ୍ନ ନେଉଥିଲେ। ତେଣୁ ପ୍ରଫେସରଙ୍କୁ କୋକା ଫେରାଇ ଦିଆଯାଉ ବୋଲି ୭ ଜଣ ଶିକ୍ଷାବିତ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ଜବତ କରା ଯାଇଥିବା ପୋଷା ଶୁଆ ତାର ପାଳନକାରୀ ପ୍ରଫେସର ସୁସ୍ମିତା ବେହେରାକୁ ଫେରାଇ ଦିଆଯିବା ଉଚିତ୍‌।

ଚିଠିରେ ଶିକ୍ଷାବିତ୍‌ମାନେ ଉଲ୍ଲେଖ କରିଛନ୍ତି ଯେ, ଆଇନର ଦ୍ୱାହି ଦେଇ ଅମାନୁଷିକ କାମ କରିବା ଠିକ୍ ନୁହେଁ । ବନ ବିଭାଗ ଅଧିକାରୀମାନେ ଜାଣିବାକୁ ହେବ ଯେ, ପଶୁ-ପକ୍ଷୀମାନେ କେବଳ ଖାଦ୍ୟ ଖାଇ ବଂଚନ୍ତି ନାହିଁ । ବରଂ ସେମାନଙ୍କୁ ମଧ୍ୟ ମଣିଷଙ୍କ ପରି ସ୍ନେହ ଓ ଶ୍ରଦ୍ଧାର ଆବଶ୍ୟକତା ରହିଛି। ରାଜ୍ୟ ପକ୍ଷୀ ‘ଭଦଭଦଳିଆ’ ଓ ଆହୁରି ଅନେକ ଜୀବଜନ୍ତୁ ବିଲୁପ୍ତ ହୋଇଗଲେଣି। ଯଦି ଏଭଳି ବିରଳ ପକ୍ଷୀଙ୍କର ଯତ୍ନ ପାଇଁ ପଦକ୍ଷେପ ନିଆଯାଆନ୍ତା, ତା’ହେଲ ଭଲ ହୋଇପାରନ୍ତା। ଜଙ୍ଗଲରୁ ବେଆଇନ୍‌ ଭାବେ ଗଛ କଟା ଚାଲିଛି। ବନବିଭାଗ ଅଧିକାରୀ ଏସବୁକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଲେ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହେବେ।

ସୂଚନାଯୋଗ୍ୟ, କୋକୋ ଗତ  ୫ ତାରିଖରେ ନ‌ିଖୋଜ ହୋଇଯାଇଥିଲା। ଶୁଆକୁ ଖୋଜିବା ପାଇଁ ପ୍ରଫେସର ଶ୍ରୀମତୀ ବେହେରା ସବୁସ୍ତରରେ ଉଦ୍ୟମ କରିବା ସହିତ ଲିଫଲେଟ୍ ବି ବାଣ୍ଟି ଥିଲେ। ‌ଶୁଆକୁ ଖୋଜି ଦେଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ପରେ ଏହି ଶୁଆ (କୋକୋ)କୁ କୁଆଖାଇ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା। କେଶୁରା ଅଞ୍ଚଳର ମନୋଜ କୁମାର ସ୍ବାଇଁ ଏହାକୁ ପାଇ ରଖିଥିଲେ। ପରେ ସେ ତାହାକୁ ପ୍ରଫେସର ବେହେରାଙ୍କୁ ହସ୍ତାନ୍ତର କରିଥିଲେ। ପାଣିରେ ଭିଜି ଯାଇଥିବା ଶୁଆଟିର ଯତ୍ନ ନେବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ରହିଥିଲା। କିନ୍ତୁ ଏ ସଂପର୍କରେ ଖବର ପାଇ ବନ ବିଭାଗର ଟିମ୍ ପ୍ରଫେସର ବେହେରାଙ୍କ ଘରେ ପହଞ୍ଚିବା ସହିତ ଶୁଆଟିକୁ ନେଇ ଯାଇଥିଲେ। ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଶୁଆଟିକୁ ଘରେ ରଖିବା ବେଆଇନ ଦର୍ଶାଇ ବନ ବିଭାଗ ଏଭଳି ପଦକ୍ଷେପ ନେଇଥିଲା। କିନ୍ତୁ ବନବିଭାଗ ଶୁଆଟିକୁ ନେବା ସମୟରେ ପ୍ରଫେସର ବେହେରା ଓ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର