ଆଗକୁ ଆସୁଛି ଶିବରାତ୍ରୀ, ରାମଗିରିରେ ମାତିଛନ୍ତି ଶୁଆ ଦଲାଲ

ଜୟପୁର: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ହ୍ରାସ ପାଉଛନ୍ତି ନାଲି ଥଣ୍ଟିଆ ଶାଗୁଆ ଶୁଆ। ପରିସ୍ଥିତି ଏପରି ହେଲାଣି ଯେ ଆଉ ଜଙ୍ଗଲରେ ଦେଖାଯାଉ ନାହାନ୍ତି ଏହି ବିରଳ ପ୍ରଜାତିର ଶୁଆ। ଆନ୍ଧ୍ର ଶୁଆ ମାଫିଆ ଓ ଆଦିବାସୀଙ୍କ ଅର୍ଥ ଲୋଭ ଯୋଗୁଁ ଏବେ ସେମାନେ ଲୁପ୍ତ ପାଇବାକୁ ବସିଲେଣି। ପାହାଡ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲାର ରାମଗିରି, ବୈପାରିଗୁଡା ଏବେ ଏହି ଦାଲାଲଙ୍କ କବଜାରେ ରହିଥିବାବେଳେ ଚେଇଁ ଶୋଇଛି ବନବିଭାଗ।

ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଜଙ୍ଗଲରେ ପୂର୍ବରୁ ବିଭିନ୍ନ ପ୍ରଜାତିର ଶୁଆ ଦେଖା ଯାଉଥିବାବେଳେ ଏମାନଙ୍କର ସ˚ଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦିନକୁ ଦିନ ଜଙ୍ଗଲ ଉଜୁଡିଯିବା ପରିବେଶରେ ପରିବର୍ତ୍ତନ ଓ ବ୍ୟାପକ ଶୁଆ ଚୋରା ଚାଲାଣ ଯୋଗୁଁ ଏମାନଙ୍କର ସ˚ଖ୍ୟା କମୁଥିବା ପକ୍ଷୀ ପ୍ରେମୀଙ୍କ ମହଲରେ ଆଲୋଚନା ହେଉଛି।ଏପରିକି ଏମାନଙ୍କ ବ˚ଶ ଆଉ କେତେ ବର୍ଷ ପରେ ଲୋପ ପାଇଯିବ ବୋଲି ମଧ୍ୟ କୁହାଯାଉଛି। ଗୁପ୍ତେଶ୍ବର ତଥା ଏଠାରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଶୁଆ ବିକିବା ହେଉ ଅବା ବାହାରକୁ ଚାଲାଣ କରିବା ଉଦ୍ଧେଶ୍ୟରେ ଶହ ଶହ ସ˚ଖ୍ୟାରେ ଶୁଆ ଧରି ଅସାଧୁ ବ୍ୟବସାୟୀ ମାନେ କାରବାର ଚଲାଇଛନ୍ତି। ଜଙ୍ଗଲ ବିଭାଗ ଏଥିରେ ରୋକ ଲଗାଇବାକୁ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବାରୁ ଏବେ ଲୁପ୍ତ ଅବସ୍ଥାକୁ ଚାଲି ଆସିଲାଣି ଏହି ଶୁଆଙ୍କ ବଂଶ। ଶବିରାତ୍ରୀ ରହିଥିବାରୁ ଶୁଆ କିଣିବାକୁ ପର୍ଯ୍ୟଟକ ଓ ଗୁପ୍ତେଶ୍ବର ପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ଗୋଟିଏ ଶୁଆର ଦାମ ୫ଶହ ଟଙ୍କାରୁ ଆରମ୍ଭ କରି ୧୦୦୦ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଚଢାଇ ବିକୁଛନ୍ତି। ଦିନ ଥିଲା ଏହି ଜଙ୍ଗଲରେ ବିଭିନ୍ନ ଜାତିର ପକ୍ଷୀମାନଙ୍କ କଳରବରେ ପୁରି ଉଠୁଥିଲା, ଏବେ ଚାରିଆଡେ ପ୍ରାୟ ଖାଁଖାଁ ଲାଗୁଛି। ତଥାପି ଗୁପ୍ତେଶ୍ବରକୁ ଲାଗି ରହିଥିବା ଜଙ୍ଗଲରେ କିଛି ପକ୍ଷୀ ବଞ୍ଚିକରି ରହିଛନ୍ତି। ବିଶେଷକରି ଏଠାରେ ଶୁଆଗୁଡିକର ଉପସ୍ଥିତି ଦେଖା ଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ବସନ୍ତ ରୁତୁର ଆରମ୍ଭ ହେଳକୁ ଶୁଆ ଦଳ ଦଳ ହୋଇ ବିଭିନ୍ନ ଗଛରେ ବସା ତିଆରି କରି ଅଣ୍ତା ଦେଇଥାନ୍ତି। ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ମାର୍ଚ୍ଚ ଶେଷ ବେଳକୁ ଅଣ୍ତା ଫୁଟି ଛୁଆ ବାହାରନ୍ତି। ଜଙ୍ଗଲ ଭିତରେ ରହୁଥିବା ଗାଁର ଲୋକେ ଶୁଆ ବସା ଖୋଜି ଖୋଜି ସେଥିରୁ ଶାବକ ଶୁଆଗୁଡିକୁ ନେଇ ବାହାରେ ବିକ୍ରି କରିଥାନ୍ତି। ସବୁ ଅଞ୍ଚଳରେ ଶୁଆ ଦେଖା ଯାଉ ନଥିବାରୁ ଗ୍ରାହକ ମାନେ ଆଗ୍ରହର ସହ ଏହାକୁ କିଣି ଘରକୁ ନେଇଥାନ୍ତି। ଏହି ଜଙ୍ଗଲରେ ଉନ୍ନତ ପ୍ରଜାତିର ଶୁଆ ଦେଖା ଯାଉଥିବାରୁ ବାହାରୁ ଆସୁଥିବା ଲୋକେ ଅଧିକ ସ˚ଖ୍ୟରେ ମଧ୍ୟ ଶୁଆ କିଣିଥାନ୍ତି। ଯେଉଁ ଲୋକମାନେ ଶୁଆ ପୋଷିବାରେ ଆଗ୍ରହ ରଖିଥାନ୍ତି ସେମାନଙ୍କ ଠାରୁ ବେପାରୀମାନେ ଅଧିକ ଦାମ ରଖିଥାନ୍ତି।

ଏବେ ଶୁଆ ବିକ୍ରି କରିବାର ରୁତୁ ଆସିଥିବାବେଳେ ଗୁପ୍ତେଶ୍ବର ପୀଠରୁ କୋଟା ଜଙ୍କସନ ଯାଏ ଦେଖିବାକୁ ମିଳୁଛି ଠାଏ ଠାଏ ଦାଲାଲଙ୍କ ଶୁଆ ବିକ୍ରି। ଗୁପ୍ତେଶ୍ବର ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଭକ୍ତ ଖୁବ ଆଗ୍ରହର ସହ ଶୁଆ କିଣି ନେଉଥିବାରୁ ବିକାଳିମାନେ ଶୁଆ ପିଛା ୫ଶହ ଟଙ୍କାରୁ ୧୦୦୦ ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି। ଏହି ସମୟରେ ଶୁଆ ବ୍ୟବସାୟୀ ମାନେ ବେଶ ଦି ପଇସା ରୋଜଗାର କରିଥାନ୍ତି। ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଶୁଆ ରହିଥିବାରୁ ସେମାନଙ୍କ ଦାମ ମଧ୍ୟ ଅଲଗା ଅଲଗା ରହିଥାଏ। ଗୁପ୍ତ୍ରେଶ୍ବର ଅଞ୍ଚଳ ସମ୍ପୁର୍ଣ୍ଣ ନକ୍ସଲଙ୍କ ଅକ୍ତିଆରରେ ଥିବାରୁ ଶୁଆ ଧରିବା ବା ଚାଲାଣ ରୋକିବକୁ ବନ କର୍ମଚାରୀ ମାନେ ଜଙ୍ଗଲ ଭିତରକୁ ଯିବାକୁ ଅମଙ୍ଗ ହେଉଥିବା କୁହାଯାଉଛି। ଏହାର ଫାଇଦା ଉଠାଉଛନ୍ତି ଶୁଆ ବେପାରୀ। ଏବେ ରାମଗିରି ଠାରୁ ଗୁପ୍ତେଶ୍ବର ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ଛକ ମାନଙ୍କରେ ଶୁଆ ବେପାରି ଗ୍ରାହକଙ୍କୁ ଅପେକ୍ଷା କରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସରକାର ଶୁଆ ଚାଲାଣକୁ ନିଷିଦ୍ଧ କରିଥିଲେ ମଧ୍ୟ ଲୋକଙ୍କ ଆଗ୍ରହକୁ ଦେଖି ଶୁଆ ବେପାରିମାନେ ଏମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଚୋରା ଚାଲାଣ କରୁଛନ୍ତି। ଏପରିସ୍ଥଳେ ଶୁଆ ବ˚ଶ ଲୋପ ପାଇବା ପୂର୍ବରୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର