ଭାଗଚାଷୀଙ୍କୁ ମାନ୍ୟତା ମିଳିନି, ସହାୟତା ମିଳୁଛି: କୃଷିମନ୍ତ୍ରୀ

ରାଜ୍ୟରେ ୯,୦୫,୧୮୪ ଜଣ ଭାଗ ଚାଷୀ

ଭୁବନେଶ୍ବର : ଭାଗ ଚାଷୀଙ୍କୁ ମାନ୍ୟତା ଦେବାର ପ୍ରଶ୍ନ ଆସିଲା କେଉଁଠୁ। ସେମାନେ ତ ଚାଷୀ। ଯାହାର ଜମି ଅଛି ଚାଷ କରୁଛି ତାକୁ ଯେମିତି ସୁବିଧା ମିଳୁଛି, ଯାହାର ଜମି ନାହିଁ କିନ୍ତୁ ଚାଷ କରୁଛି ତାକୁ ବି ସେମିତି ସୁବିଧା ସୁଯୋଗ ମିଳୁଛି। ଯଦି ଜମି ଅଧିକାରକୁ ନେଇ ଭାଗଚାଷୀର ସଂଜ୍ଞା ସ୍ଥିର କରିବା କଥା ଉଠୁଛି ତେବେ ଏନେଇ ବିସ୍ତୃତ ଆଲୋଚନା କରିବାର ଅଛି। ହେଲେ ରାଜ୍ୟ ସରକାର ଭାଗଚାଷୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଉଛନ୍ତି। ‘ବଳରାମ ଯୋଜନା’ ଭଳି ଯୋଜନା ଭାରତ ବର୍ଷରେ ସ୍ବତନ୍ତ୍ର ଯାହା ଭାଗଚାଷୀଙ୍କ ପାଇଁ ହୋଇଛି।

ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି।
ଆଜି ପ୍ରଶ୍ନକାଳରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନ : ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଉନାହାନ୍ତିି କାହିଁକି, ସରକାର ଚାଷ ଓ ଚାଷୀଙ୍କ ଆୟବୃଦ୍ଧି ପାଇଁ ମାଳମାଳ ଯୋଜନା କରୁଛନ୍ତି, ସ୍ବତନ୍ତ୍ର ବଜେଟ୍, କୃଷି କ୍ୟା‌ବିନେଟ୍‌ରେ କଲେ ହେ‌େଲ ଚାଷୀର ଆୟ କେତେ ବଢ଼ିଛି କହିବେ କି? ସର୍ବଭାରତୀୟସ୍ତରରେ ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ସବୁଠୁ କମ୍‌ କାହିଁକି?ର ଉତ୍ତର ଦେଇମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ, ଜାତୀୟ ପରିସଂଖ୍ୟାନ ସଂସ୍ଥା (ଏନ୍‌ଏସ୍‌ଓ) ଦ୍ବାରା ସାମୟିକ ରୂପେ କୃଷି ପରିବାରର ମାସିକ ଆୟର ଆକଳନ କରାଯାଇଥାଏ। ୨୦୧୨ରେ କୃଷି ପରିବାରର ମାସିକ ଆୟ ୪୯୭୬ଟଙ୍କା ଥିବାବେଳେ ୨୦୧୯ରେ ଏହା ୫୧୧୨ଟଙ୍କା ଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରଗତିଶୀଳ ନୀତି ଓ ଯୋଜନାର ସଫଳ ରୂପାୟନ ଦ୍ବାରା କୃଷକର ମାସିକ ଆୟରେ ନିରନ୍ତର ବୃଦ୍ଧି ଘଟିଛି। ହେଲେ ୨୦୧୨-୧୩ ମସିହାର ଆୟ ସହ ୨୦୧୮-୧୯ର ଆୟ ତୁଳନୀୟ ହୋଇପାରିବନି। କାରଣ ପ୍ରତି ୧୦ବର୍ଷରେ ଏହି ସର୍ଭେ ହେବାକୁ ଥିବାବେଳେ ଏହା ସାଧାରଣ ବର୍ଷରେ ମଝିରେ ହୋଇଥିଲା। ଏହି ସମୟରେ ଓଡ଼ିଶାରେ ଦୁଇଟି ବାତ୍ୟା , ୨୦୧୮ରେ ଖରିଫ୍ ମରୁଡ଼ି ରାଜ୍ୟରେ ଦେଖାଦେଇଥିବାରୁ ରାଜ୍ୟରେ କୃଷି କ୍ଷେତ୍ର, ପ୍ରାଣୀପାଳନ, ଅନ୍ୟାନ୍ୟ ସୂତ୍ରରୁ ଚାଷୀର ଆୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତେଣୁ ୨୦୧୮-୧୯ରେ କୃଷକ ପରିବାରର ଆୟ ଆକଳନକୁ ରାଜ୍ୟର ଚାଷୀଙ୍କ ହାରାହାରି ପ୍ରତିପାଳନକୁ ରାଜ୍ୟର ଚାଷୀଙ୍କ ସାଧାରଣ ହାରାହାରି ଆୟର ପ୍ରତିଫଳନ ହୋଇନପାରେ। କୃଷକ ପରିବାରର ମାସିକ ଆୟ ଆକଳନ ପ୍ରକ୍ରିୟାରେ ଥିବା ଅସଙ୍ଗତିକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।

ବିଧାୟକ ପ୍ରଫୁଲ ସାମଲ ପଚାରିଥିଲେ ରାଜ୍ୟରେ କେତେ ଭାଗଚାଷୀ ଅଛନ୍ତି ନିରୂପଣ ହୋଇଛି କି? ଚାଷୀ ଯେଉଁ ସୁବିଧା ପାଉଛି ସେ ସବୁ ସୁବିଧା ଭାଗଚାଷୀଙ୍କୁ ଦେବାକୁ ଆଇନ ଆଣିବେ କି?

ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ରାଜ୍ୟରେ ୯,୦୫,୧୮୪ଜଣ ଭାଗଚାଷୀ ଅଛନ୍ତି।

ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୪୮,୬୫,୮୫୦ ଚାଷୀ ଅଛନ୍ତି। ସେହିପରି ୨,୮୩,୦୭୧ଜଣ ଅନ୍ୟ ଜମିରେ ଚାଷ କରୁଥିବାବେଳେ ୬,୨୨,୧୧୩ଜଣ ନିଜ ଜମିରେ ଏବଂ ଅନ୍ୟ ଜମିରେ ଚାଷ କରୁଛନ୍ତି।

ବିଧାୟକ ସ୍ବରୁପ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଏବେ କୃଷି ବିଭାଗରେ ୫୦ଟି ଯୋଜନା କାର୍ଯ୍ୟକ୍ଷମ ଥିବାବେଳେ ରାଜ୍ୟ ସରକାରଙ୍କର ୩୯ଟି ଏବଂ କେନ୍ଦ୍ର ସରକାରଙ୍କର ୧୧ଟି ଯୋଜନା ଅଛି।

ଏହି ଆଲୋଚନାରେ ବିଧାୟକ ଭାସ୍କର ମଢ଼ାଇ, ସୁନନ୍ଦା ଦାସ, ସୁର ରାଉତରାୟ, ଦାଶରଥୀ ଗମାଙ୍ଗ ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।

ସମ୍ବନ୍ଧିତ ଖବର