ଯାଜପୁର: ରାସନକାର୍ଡଧାରୀଙ୍କୁ ସୁବିଧାସୁଯୋଗ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନାରେ ଯୋଡ଼ିବାରେ ଲାଗିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥକାର୍ଡ ଯୋଗାଇ ଦେଉଥିବା ବେଳେ ଏବେ ପ୍ରତି କାର୍ଡ ପିଛା ଏକ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ରାଶି ବଣ୍ଟନ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି। ସରକାରୀ ସୁବିଧା ପାଇବା ପାଇଁ ଏବେ କାଗଜପତ୍ରରେ ପରିବାର ଭାଗ ଭାଗ ହେଉଛନ୍ତି। ୫ ମାସ ମଧ୍ୟରେ ଯାଜପୁର ଜିଲ୍ଲାରେ ରାସନକାର୍ଡଧାରୀ ପରିବାର ସଂଖ୍ୟା ୧୯ ହଜାର ବୃଦ୍ଧି ପାଇଛି।
ଗତବର୍ଷ ରାସନକାର୍ଡଧାରୀଙ୍କୁ ବଣ୍ଟନ ପାଇଁ ଆସିଥିବା ଅନୁଦାନରୁ ଶେଷ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ୮ହଜାର ୫୯୫ଟି ପରିବାରକୁ ପ୍ରଶାସନ ଖୋଜି ପାରିନଥିଲା। ଫଳରେ ୮୫ଲକ୍ଷ ୯୫ହଜାର ଟଙ୍କା ବଣ୍ଟନ କରାଯାଇ ପାରିନଥିଲା। ଗତବର୍ଷ ମୋଟ ୩ ଲକ୍ଷ ୯୯ହଜାର ୫୬୫ ରାସନକାର୍ଡଧାରୀଙ୍କ ମଧ୍ୟରୁ ୩ଲକ୍ଷ ୯୦ହଜାର ୯୭ପରିବାରକୁ ହଜାରେ ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯାଇଥିଲା। ତେବେ ଚଳିତ ବର୍ଷ ଗତବର୍ଷ ତୁଳନାରେ ୧୯ହଜାର ୧୧୭ ଅଧିକ ପରିବାରକୁ ସହାୟତା ରାଶି ବଣ୍ଟନ କରିବାକୁ ସରକାର ଅନୁଦାନ ପଠାଇଛନ୍ତି। ଏଥର ଯାଜପୁର ଜିଲ୍ଲାର ୪ଲକ୍ଷ ୧୫ହଜାର ୩୭୭ପରିବାରକୁ ସହାୟତା ରାଶି ବାବଦରେ ୪୧କୋଟି ୫୩ଲକ୍ଷ ୭୭ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଗତ ୫ମାସ ମଧ୍ୟରେ ଜିଲ୍ଲାରେ କ‘ଣ ୧୯ହଜାରରୁ ଅଧିକ ପରିବାର ବୃଦ୍ଧି ପାଇଛନ୍ତି, ଯାହାକି ତଦନ୍ତ ସାପେକ୍ଷ। ତେବେ ଜାନୁଆରି ମାସର ରାସନ ସାମଗ୍ରୀ ଉଠାଣକୁ ଭିତ୍ତି କରି ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥର ସହାୟତା ରାଶି ସବୁ ଲୋକ ନେଉଛନ୍ତି ନା ଗତବର୍ଷ ଭଳି ଫେରସ୍ତ ଯାଉଛି? ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।
ରାସନକାର୍ଡଧାରୀଙ୍କୁ ସରକାର ଅନ୍ୟାନ୍ୟ ଜନହିତକର ଯୋଜନାରେ ସାମିଲ କରୁଥିବାରୁ ରାସନ ସାମଗ୍ରୀ ନେବାକୁ ଆଗ୍ରହ କରୁନଥିବା ପରିବାର ମଧ୍ୟ ଏବେ ରାସନକାର୍ଡ ହାତେଇବାକୁ ଲାଗିପଡ଼ିଛନ୍ତି। ନଚେତ ଅନ୍ୟ ଯୋଜନାରୁ ବାଦ ପଡିବା ନେଇ ଆଶଙ୍କାରେ ରହିଛନ୍ତି। ଏପରିକି ଜିଲ୍ଲାର ଶହ ଶହ ଥିଲାବାଲା ଲୋକ ମଧ୍ୟ କାର୍ଡ ହାତେଇବାରେ ଲାଗିଛନ୍ତି। ଗାଡ଼ିଘୋଡ଼ା ଥିବା ବ୍ୟକ୍ତି ରାସନକାର୍ଡ ଯୋଗାଡ଼ କରୁଛନ୍ତି। ରାସନକାର୍ଡଧାରୀଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଚାଲିଥିବା ବେଳେ ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ଅନେକ ତତ୍ପର ହୋଇପଡ଼ିଛନ୍ତି। ଗୋଟିଏ ଛାତତଳେ ଥିବା ପରିବାରର ଏକାଧିକ ଭାଇ, ସ୍ବାମୀସ୍ତ୍ରୀ, ବାପପୁଅ ଅଲଗା ରାସନକାର୍ଡ କରିବାରେ ଲାଗିପଡ଼ିଛନ୍ତି।