ଭୁବନେଶ୍ବର: ଜୁନ୍ ୧୦ତାରିଖରେ ରାଜ୍ୟ ସରକାର ଓଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ନିୟମ, ୨୦୨୫ ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏହାଦ୍ବାରା ବହୁଦିନ ହେଲା ପାର୍ଟ ପ୍ଲଟ୍‌ ବିକ୍ରି ଉପରେ ଲାଗିଥିବା କଟକଣା ହଟିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାପରେ ବି ପାର୍ଟ ପ୍ଲଟ୍ ପଞ୍ଜୀକରଣ ହୋଇପାରୁନି। ଲୋକେ ଯେଉଁ ସମସ୍ୟାରେ ଥିଲେ ଏବେବି ସେହି ସମସ୍ୟାରେ ଅଛନ୍ତି। 

Advertisment

ସରକାର ନିୟମ କରିଛନ୍ତି  ବିନା ଅନୁମୋଦନରେ ୫୦୦ବର୍ଗମିଟର ବା ୫୩୮୧.୯୬ ବର୍ଗଫୁଟ ପର୍ଯ୍ୟନ୍ତ ଜମିକୁ ଥରେ ବିକ୍ରି କରିହେବ। ଏହି ଜମିର ଏକାଧିକ ମାଲିକ ଥିଲେ ବି କିଛି ସମସ୍ୟା ହେବନି। କିନ୍ତୁ ଏହି ଜମି କୌଣସି ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହେବନି। ଅର୍ଥାତ୍ ପ୍ଲଟିଂ ସ୍କିମ୍ ପାଇଁ ଲାଗୁ ହେବନି। କିନ୍ତୁ ଏବେ ସବ୍‌ ରେଜିଷ୍ଟ୍ରାରମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଯେ ଯେଉଁ ଜମି ବିକ୍ରି ହେବ ତାହା ପ୍ରଥମ ଥର ବିକ୍ରି ହେଉଛି କି କେତେ ଥର ବିକ୍ରି ହେଲାଣି ତାହା ଜାଣିବେ କେମିତି? ଯେଉଁ ଜମି ବିକ୍ରି ହେବ ସେଥିରେ କେତେ ବର୍ଗଫୁଟର ରାସ୍ତା ରହିବ। ସହରାଞ୍ଚଳରେ ୩୦ଫୁଟ ରାସ୍ତା ବାଧ୍ୟତାମୂଳକ କରାଯାଇଥିବାବେଳେ ରାଜସ୍ବ ବିଭାଗ ୨୦ଫୁଟ ରାସ୍ତା ଥିଲେ ବି ପଞ୍ଜୀକରଣ କରିବାକୁ ଅନୁମତି ଦେଉଛି। ଏହିପରି ଅନେକ ଦ୍ବନ୍ଦ୍ବ ଏବେ ଅଧିକାରୀଙ୍କୁ ଘାରିଛି। 

ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ସବ୍‌ ପ୍ଲଟ୍ ପଞ୍ଜୀକରଣ ନେଇ ସବ୍‌ରେଜିଷ୍ଟ୍ରାର, ଡିଏସ୍‌ଆର୍‌ମାନେ ଦ୍ବନ୍ଦ୍ବରେ ଅଛନ୍ତି। ସେମାନଙ୍କ ପାଇଁ ଖୁବ୍‌ଶୀଘ୍ର ଆସନ୍ତା ମାସରେ ଏକ କର୍ମଶାଳା ଆୟୋଜନ ହେବ। ଏହି ଦୁଇ ଦିନିଆ କର୍ମଶାଳାରେ ସେମାନଙ୍କର ବିଭିନ୍ନ ଦ୍ବନ୍ଦ୍ବକୁ ଦୂର କରାଯିବ। ଏହାପରେ ସବ୍‌ ପ୍ଲଟ୍ ପଞ୍ଜୀକରଣ ନେଇ ସମସ୍ୟା ଦୂର ହୋଇଯିବ। ସେହିପରି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡି.କେ ସିଂହ କହିଛନ୍ତି ଯେ ଏବେ ଚାଷଜମି, ଗ୍ରାମାଞ୍ଚଳରେ ଜମି କିଣାବିକାରେ ସମସ୍ୟା ନାହିଁ। ସହରାଞ୍ଚଳରେ କିଛି ଦ୍ବନ୍ଦ୍ବ ରହୁଛି। ତେଣୁ ଏହାକୁ ଦୂର କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି।