ବ୍ରହ୍ମପୁର: ଅନ୍‌ଲାଇନ୍‌ରେ ପାର୍ଟଟାଇମ୍‌ ଜବ୍‌ ଖୋଜିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଏକ ଲକ୍ଷ ୫୮ହଜାର ୮୩୧ଟଙ୍କାର ଠକେଇ ହୋଇଥିବା ନେଇ ଅର୍ଥନୈତିକ ଓ ଅପରାଧ ଥାନାରେ ଅଭି‌ଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ମୁତାବକ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଳକାପୁରୀ ଅଂଚଳର ଜଣେ ଯୁବକ ଗତ ଏପ୍ରିଲ୍ ୧୭ତାରିଖରେ ଅନ୍‌ଲାଇନ୍‌ରେ ପାର୍ଟଟାଇମ୍‌ ଜବ୍‌ ଖୋଜି ଗୋଟିଏ ଲିଙ୍କ୍‌ରେ କ୍ଲିକ୍ କରିଥିଲେ। ପରେ ସେହି ଲିଙ୍କ୍‌ରୁ ତାଙ୍କୁ ହ୍ବାଟସଆପ୍ ମାଧ୍ୟମରେ କିଭଳି ଅନ୍‌ଲାଇନ୍‌ ଟାସ୍କ ପେଜ୍‌ରେ ଟଙ୍କା ଲଗାଇ କମିସନ୍ ପାଇବ, ନିର୍ଦ୍ଦେଶ ଆସିଥିଲା। ତଦନୁଯାୟୀ ସେ ପ୍ରଥମେ ୫ଶହ ଟଙ୍କା ଇନ୍‌ଭେଷ୍ଟ କରିବାରୁ ତାଙ୍କୁ ୫୦ଟଙ୍କା କମିସନ୍ ଆସିଲା। ପୁଣି ୧୦୦୦ଟଙ୍କା ଲଗାଇବାରୁ ୯୨ଟଙ୍କା କମିସନ୍ ପାଇଲେ। ଏହାପରେ ଜଣେ ମହିଳା ହ୍ବାଟ୍ସଆପ୍‌ରେ ଯୋଡ଼ି ହୋଇ ଦୀର୍ଘସମୟ ବାର୍ତ୍ତାଳପ କରିବା ପରେ ୨୫,୧୧୦ଟଙ୍କା ଇନ୍‌ଭେଷ୍ଟ କଲେ ଦ୍ବିଗୁଣିତ ଟଙ୍କା ଫେରସ୍ତ ମିଳିବ ବୋଲି କହିଥିଲେ। ଯୁବକ ଜଣକ ସେହି ପରିମାଣର ଟଙ୍କା ଇଣ୍ଟରନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ପଠାଇବା ପରେ ତାହା ଫ୍ରିଜ୍ ହୋଇଯାଇଥିଲା।

ସେହି ଟଙ୍କା ଆଉ ଯୁବକ ଜଣକ ଉଠାଇ ପାରିନଥିଲେ। ପୁଣିଥରେ ମହିଳାଜଣକ ତାଙ୍କୁ ଆଶ୍ବାସନା ଦେଇ ତାଙ୍କର ଟଙ୍କା ସୁରକ୍ଷିତ ଥିବା କହି ୪୩,୨୨୨ଟଙ୍କାର କମିସନ୍ ମିଳିଥିବା ଦେଖାଇଥିଲେ। ପୁଣି ସେହି ମହିଳାଙ୍କ ନିର୍ଦ୍ଦେଶ ମୁତାବକ, ୪୩,୨୨୨ଟଙ୍କା ଇନ୍‌ଭେଷ୍ଟ କରିଥିଲେ। କିନ୍ତୁ ସେହି ଟଙ୍କା ପ୍ରିଜ୍ ହୋଇଥିବା ଦେଖାଇଥିଲା। ଏହାମଧ୍ୟରେ ସନ୍ଧ୍ୟା ହୋଇଯିବାରୁ, ୟୁପିଆଇ ଲିମିଟ୍‌ ମୁତାବକ, ଆଉ ଟଙ୍କା ଦେଣନେଣ ହୋଇପାରି ନଥିଲା। କିନ୍ତୁ ସେହି ମହିଳାଜଣକ ତାଙ୍କର ଟଙ୍କା ସୁରକ୍ଷିତ ଥିବା କହିଥିଲେ। ପରଦିନ(୧୮ତାରିଖ) ସକାଳୁ ସେହି ମହିଳାଜଣକ ୯୦,୪୯୯ଟଙ୍କା ଇନ୍‌ଭେ‌ଷ୍ଟ କରିବାକୁ କହିଥିଲେ, ନଚେତ୍ କୌଣସି ଟଙ୍କା ‌ଫେରସ୍ତ ମିଳିବନି ବୋଲି କହିଥିଲେ। ତେଣୁ ଯୁବକ ଜଣକ ପୁଣି ଦାବି ମୁତାବକ ଟଙ୍କା ପଠାଇଥିଲେ। କିନ୍ତୁ କିଛିବି ଟଙ୍କା ଫେରସ୍ତ ଆସିନଥିଲା। ଠକାମିର ଶିକାର ହୋଇଥିବା ଜାଣି ଯୁବକ ଜଣକ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି।